ଭୁବନେଶ୍ୱର,୨୭।୪(ବ୍ୟୁରୋ): ଭୁବନେଶ୍ୱରରେ ରବିବାରଠାରୁ କ୍ୟାବ୍ ସେବା ପ୍ରଦାନକାରୀ ସଂସ୍ଥା ଓଲା, ଉବରରେ ପଞ୍ଜୀକୃତ ଯାନବାହନ ଚଳାଚଳ ଆରମ୍ଭ କରିଛି। ଏଥିପାଇଁ ସର୍ତ୍ତମୂଳକ ଅନୁମତି ପ୍ରଦାନ କରାଯାଇଛି। ଲକ୍ଡାଉନ୍ ଜାରି ରହିଥିବାରୁ କେବଳ ଜରୁରିକାଳୀନ ବୁକିଂ ହୋଇପାରିବ। ଏଥିରେ ପାରା ମେଡିକାଲ କର୍ମଚାରୀ, ରୋଗୀଙ୍କ ସମ୍ପର୍କୀୟ ଯାତାୟାତ କରିପାରିବେ ବୋଲି ଓଲା ଓ ଉବର ପକ୍ଷରୁ କୁହାଯାଇଛି। ତେବେ ସାମାଜିକ ଦୂରତା ବଜାୟ ରଖିବା ଓ ସମ୍ପୂର୍ଣ୍ଣ ସତର୍କତା ଅବଲମ୍ବନ କରିବା ପାଇଁ କାରରେ ଡ୍ରାଇଭର ଓ ୨ଜଣ ଯାତ୍ରୀଙ୍କୁ ନେଇ ହେବ। ଯାତ୍ରୀମାନେ ପଛ ସିଟ୍ରେ ବସିବେ। ସୁରକ୍ଷା ଦୃଷ୍ଟିରୁ ସମସ୍ତ ଗାଡ଼ି ଡ୍ରାଇଭରଙ୍କୁ ମାସ୍କ, ସାନିଟାଇଜର ଓ ଗ୍ଲୋବ୍ସ ପ୍ରଦାନ କରାଯାଇଛି। କିନ୍ତୁ ରୋଗୀଙ୍କୁ କେବଳ ଆମ୍ବୁଲାନ୍ସରେ ନେବାକୁ ନିର୍ଦ୍ଦେଶ ଥିବାବେଳେ ଓଲା କିମ୍ବା ଉବରକୁ ଅନୁମତି ମିଳିନି। ଉଲ୍ଲେଖଯୋଗ୍ୟ, ଏହା ପୂର୍ବରୁ ସର୍ତ୍ତମୂଳକ ଭାବେ ୧୦୦ ଓଲା ଗାଡିକୁ କମିଶନରରେଟ ପୋଲିସ୍ ପକ୍ଷରୁ ପାସ୍ ପ୍ରଦାନ କରାଯାଇଥିଲା। ଏବେ କଟକଣାରେ କୋହଳ କରାଯାଇ ସମସ୍ତ ଓଲା ଓ ଉବର ପଞ୍ଜୀକୃତ ସମସ୍ତ ଗାଡିକୁ ଏହି ଅନୁମତି ମିଳିଛି।