ଭୁବନେଶ୍ୱରରେ ନମୂନା ସଂଗ୍ରହ ଆରମ୍ଭ: ଦୁଇଟି ପର୍ଯ୍ୟାୟରେ ହେବ ପରୀକ୍ଷା, ସକାଳ ୮ରୁ ୧୧ ଏବଂ ଅପରାହ୍ନ ୪ରୁ ୬ଟା ଯାଏ ହେବ ନମୂନା ସଂଗ୍ରହ

ଭୁବନେଶ୍ୱର, ୧୮।୪(ବ୍ୟୁରୋ): କରୋନା ମୁକାବିଲା ନିମେନ୍ତ ହଟ୍‌ସ୍ପଟ୍‌ ସାଜିଥିବା ଭୁବନେଶ୍ୱରରୁ ନମୂନା ସଂଗ୍ରହ ପ୍ରକ୍ରିୟା ଶନିବାରଠାରୁ ଆରମ୍ଭ ହୋଇଛି। ଏଥିପାଇଁ ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି) ପକ୍ଷରୁ ୩ଟି ଜୋନ୍‌ରେ ୧୩ଟି ଟିମ୍‌ ଗଠନ ହୋଇଛି। ପ୍ରତ୍ୟେକ ଟିମ୍‌ରେ ଡାକ୍ତର, ଶିକ୍ଷକ ଓ ପରିମଳ କର୍ମଚାରୀ ରହିବେ। ୧୩ଟି ଟିମ୍‌ ୨ଟି ସିଫ୍ଟରେ ସାମ୍ପଲ ସଂଗ୍ରହ କରିବେ। ସକାଳ ୮ଟାରୁ ଦିନ ୧୧ଟା ଓ ଅପରାହ୍ନ ୪ଟାରୁ ସନ୍ଧ୍ୟା ୬ଟା ଯାଏ କାମ କରିବେ। ଏ ନେଇ ବିଏମ୍‌ସି ପକ୍ଷରୁ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଛି।
ଆଗାମୀ ୭ଦିନ ମଧ୍ୟରେ ୫,୦୦୦ ନମୂନା ଟେଷ୍ଟ କରିବାକୁ ସରକାର ନିଷ୍ପତ୍ତି ନେଇଛନ୍ତି। ଏ ନେଇ ମୁଖ୍ୟ ଶାସନ ସଚିବ ଅସିତ୍‌ ତ୍ରିପାଠୀ ସୂଚନା ଦେଇଥିଲେ। ସେ କହିଥିଲେ ଯେ, ଭୁବନେଶ୍ୱର କରୋନାର ହଟ୍‌ସ୍ପଟ୍‌ ଭାବେ ଚିହ୍ନଟ ହୋଇଥିବାରୁ ଏଭଳି ନିଷ୍ପତ୍ତି ନିଆଯାଇଛି। ବର୍ତ୍ତମାନ ପର୍ଯ୍ୟନ୍ତ ଭୁବନେଶ୍ୱରରେ ୪୬ କରୋନା ପଜିଟିଭ୍‌ ଚିହ୍ନଟ ହୋଇଥିବା ବେଳେ ୫୦୦୦ ନମୂନା ଟେଷ୍ଟ କରାଗଲେ ଏକ ସ୍ପଷ୍ଟ ଚିତ୍ର ମିଳିପାରିବ ବୋଲି ସେ କହିଥିଲେ।
ତ୍ରିପାଠୀ ଆହୁରୀ ମଧ୍ୟ କହିଥିଲେ ଯେ, ୪ଟି କାଟାଗୋରୀ(ବର୍ଗ)ରେ ଲୋକଙ୍କୁ ଚୟନ କରାଯାଇ ନମୂନା ସଂଗ୍ରହ କରାଯିବ। ଏହାନୁଯାୟୀ ପରୀକ୍ଷଣ କରାଯିବ। ବିଶେଷକରି ଟ୍ରାଭେଲ ହିଷ୍ଟ୍ରୀ ଥିବା ଲୋକ, ଲକ୍ଷଣ ଥିବା ଲୋକ, ସ୍ବାସ୍ଥ୍ୟକର୍ମୀ, ପୋଲିସ, ପରିମଳ କର୍ମଚାରୀଙ୍କ ସାମ୍ପୁଲ ଟେଷ୍ଟ ହେବ। ସେହିଭଳି ୬୦ବର୍ଷରୁ ଅଧିକ ବୟସ୍କ ଓ ପୂର୍ବରୁ ରୋଗ ଥିବା ଲୋକଙ୍କ ଟେଷ୍ଟ କରାଯିବ। ପରେ ସାଧାରଣଲୋକଙ୍କ ପରୀକ୍ଷା କରାଯିବ। ସାମ୍ପଲ ସଂଗ୍ରହ ବେଳେ ସହଯୋଗ କରିବାକୁ ସେ ଅନୁରୋଧ କରିଛନ୍ତି।

Share