Categories: ମେଟ୍ରୋ

ଭୁବନେଶ୍ୱରରେ ବିଶ୍ୱର ପ୍ରଥମ ବୈଦିକ ସ୍ମୃତି ଗବେଷଣାଗାର : ଅନ୍ତର୍ନିହିତ ଶକ୍ତିର ବିକାଶରେ ଦେଶର ବିକାଶ

ଭୁବନେଶ୍ୱର, ୩।୮(ବ୍ୟୁରୋ): ମଣିଷ ଭିତରେ ଥିବା ଅନ୍ତର୍ନିହିତ ଶକ୍ତିର ବିକାଶ ଓ ବିନିଯୋଗ ହୋଇପାରିଲେ ଦେଶର ବିକାଶ ହୋଇପାରିବ। ବର୍ତ୍ତମାନର ଶିକ୍ଷା ପଦ୍ଧତି, ସୃଜନ ଶକ୍ତି ଓ କଳ୍ପନା ଶକ୍ତି ବିକାଶର ସହାୟକ ହୋଇପାରୁନାହିଁ। ତେଣୁ ସବୁବେଳେ ସମସ୍ତେ ଚାପଗ୍ରସ୍ତ ହୋଇ ରହୁଛନ୍ତି। ଏଥିପାଇଁ ସ୍ମୃତିଶକ୍ତି ବୃଦ୍ଧି ଉପରେ ଜୋର୍‌ ଦେବା ନିହାତି ଆବଶ୍ୟକ। ଶନିବାର ଭୁବନେଶ୍ୱରରେ ଅନୁଷ୍ଠିତ ଏକ ଖବରଦାତା ସମ୍ମିଳନୀରେ ଏହା କହିଛନ୍ତିି ନିଜର ଗଭୀର ସ୍ମୃତିଶକ୍ତି ପାଇଁ ଲିମ୍‌କା ବୁକ୍‌ ଅଫ୍‌ ରେକର୍ଡରେ ସ୍ଥାନ ପାଇଥିବା ବୀରେନ୍ଦ୍ର ମେହେତା। ଭୁବନେଶ୍ୱରର କିଟ୍‌ ବିଶ୍ୱବିଦ୍ୟାଳୟ ପରିସରରେ ଖୋଲିଥିବା ବିଶ୍ୱର ସର୍ବପ୍ରଥମ ବୈଦିକ ସ୍ମୃତି ଗବେଷଣାଗାର ସମ୍ପର୍କରେ ସୂଚନା ଦିଆଯାଇଛି। ଏହି ଅବସରରେ ମେହେତା କହିଛନ୍ତି ଯେ, ସ୍ମୃତିଶକ୍ତି ବୃଦ୍ଧି ତଥା ଚାପମୁକ୍ତ ହେବା ପାଇଁ ଆମ ପୁରାତନ ଶାସ୍ତ୍ର ବେଦରେ ଅନେକ ପଦ୍ଧତିର ଅବତାରଣା କରାଯାଇଛି। ଏସବୁ ପଦ୍ଧତିର ବିନିଯୋଗ କରି ଶ୍ରୀବିଦ୍ୟା, ବୈଦିକ ସ୍ମୃତି ଶକ୍ତି, ମାନସିକ ଶକ୍ତି, ଦୃଶ୍ୟମାନ କଳା ତଥା ଆହୁରି ଅନେକ ଲୁକ୍କାୟିତ ଶକ୍ତିର ବୃଦ୍ଧି ଘଟାଯାଇପାରିବ। ଏହାଦ୍ୱାରା ଠିକ୍‌ ଭାବେ ମସ୍ତିଷ୍କକୁ ସକ୍ରିୟ ରଖିବା, ଶକ୍ତିଶାଳୀ ଫଟୋଗ୍ରାଫିକ୍‌ ସ୍ମୃତି, ଚାପରୁ ମୁକ୍ତି, ବୈଦିକ ପଦ୍ଧତିରେ ମାନସିକ ସମସ୍ୟାର ସମାଧାନ, ଯୋଗକ୍ରିୟା, ଆତ୍ମନିର୍ଭରଶୀଳତା ଓ ଆତ୍ମପ୍ରତ୍ୟୟ ବୃଦ୍ଧି, ବ୍ୟକ୍ତିତ୍ୱର ବିକାଶ, ଚିନ୍ତାଶକ୍ତି ତଥା ଆଧ୍ୟତ୍ମିକ ଶକ୍ତିର ଜାଗରଣ ଓ ସକରାତ୍ମକ ଚିନ୍ତାର ବିକାଶ ଘଟିିବ। ଚାପଗ୍ରସ୍ତ ମନୁଷ୍ୟ ଏବଂ ପିଲାମାନଙ୍କ ପାଇଁ ଏହା ନିହାତି ଆବଶ୍ୟକ ଅଟେ। ଯଦି ଏହାକୁ ଠିକ୍‌ ଭାବରେ ଜଣେ ଅନୁସରଣ କରେ ବା ଗ୍ରହଣ କରେ, ଆଗାମୀ ଦିନରେ ସେ ଜଣେ ବିଦ୍ୱାନ ହୋଇପାରିବ। ଏଭଳି ପରିସ୍ଥିତିରେ ଯେ କୌଣସି ବ୍ୟକ୍ତି ଏହି ଗବେଷଣାଗାରର ଲାଭ ନେଇପାରିବେ। ଏହି ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ ବିଶିଷ୍ଟ ଖାଦ୍ୟ ବିଶେଷଜ୍ଞ ନୀତା ଭୂପାଳନ୍‌ ଏବଂ ବି.ଆର୍‌. ସିଂ ରାଜପୁରୋହିତ ପ୍ରମୁଖ ଉପସ୍ଥିତ ଥିଲେ।

Share