ଭୁବନେଶ୍ୱରରେ ବୁଲିବ ମାସ୍କ ମୋବାଇଲ ଭ୍ୟାନ୍‌

ଭୁବନେଶ୍ୱର, ୨୧ା୪(ବ୍ୟୁରୋ): କରୋନା ଭୂୂତାଣୁ ସଂକ୍ରମଣ ରୋକିବା ଦିଗରେ ସତର୍କତାମୂଳକ ପଦକ୍ଷେପ ସ୍ବରୂପ ରାଜ୍ୟ ସରକାର ମାସ୍କ ପିନ୍ଧିବା ବାଧ୍ୟତାମୂଳକ କରିଛନ୍ତି। ସାଧାରଣ ଲୋକଙ୍କ ଲାଗି ରାଜ୍ୟର ବିଭିନ୍ନ ଜିଲାରେ ଥିବା ସ୍ବୟଂ ସହାୟକ ଗୋଷ୍ଠୀ ତଥା ଉତ୍ପାଦକ ଗୋଷ୍ଠୀର ସଦସ୍ୟାମାନେ କପଡ଼ାରେ ମାସ୍କ ତିଆରି କରୁଛନ୍ତି। ଏହି କପଡ଼ା ମାସ୍କ ଲୋକଙ୍କ ନିକଟରେ ସୁବିଧାରେ ଉପଲବ୍ଧ କରାଇବା ପାଇଁ ରାଜ୍ୟ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ଅଧୀନ ଓର୍‌ମାସ୍‌ ପକ୍ଷରୁ ଅଭିଯାନ ଆରମ୍ଭ ହୋଇଛି।
ଅନ୍ୟପକ୍ଷରେ ଏହି ମାସ୍କର ବିକ୍ରି ପାଇଁ ଭୁବନେଶ୍ୱର ଯୁନିଟ-୮ସ୍ଥିତ ଏସ୍‌ଆଇଆର୍‌ଡି କ୍ୟାମ୍ପସ ସମ୍ମୁଖରେ ଏକ ସ୍ବତନ୍ତ୍ର କାଉଣ୍ଟର ଖୋଲାଯାଇଛି। ରବିବାର ପୂର୍ବାହ୍ନରେ ଏହି କାଉଣ୍ଟରର ଶୁଭାରମ୍ଭ କରାଯାଇଛି। ଏଠାରେ ମିଳୁଥିବା ପ୍ରତ୍ୟେକ ମାସ୍କର ଦାମ୍‌ ୧୫ ଟଙ୍କା ରହିଛି। ଏହି ମାସ୍କକୁ ଥରେ ବ୍ୟବହାର କରିବା ପରେ ଡିଟରଜେଣ୍ଟ କିମ୍ବା ଗରମ ପାଣିରେ ଭଲ ଭାବେ ସଫା କରି ପୁଣିଥରେ ବ୍ୟବହାର କରିହେବ। କାଉଣ୍ଟରରେ ସ୍ବୟଂ ସହାୟକ ଗୋଷ୍ଠୀର ସଦସ୍ୟମାନେ କରୋନା ସତର୍କତାମୂଳକ ନିୟମ ଅବଲମ୍ବନ କରି ମାସ୍କ ବିକ୍ରି କରୁଛନ୍ତି। ପ୍ରତିଦିନ ସକାଳ ୮ଟାରୁ ଦିନ ୧୨ଟା ଏବଂ ଅପରାହ୍ନ ୪ଟାରୁ ରାତି ୮ଟା ଯାଏ ଏହି କାଉଣ୍ଟର ଖୋଲା ରହିବ। ଏଥିସହ ଏକ ମୋବାଇଲ ଭ୍ୟାନ ମଧ୍ୟ ସୋମବାରଠାରୁ ଭୁବନେଶ୍ୱରର ବିଭିନ୍ନ ଅଞ୍ଚଳ ପରିକ୍ରମା କରିବ। ଏଥିରେ କରୋନା ମୁକାବିଲା ସଚେତନତା ବାର୍ତ୍ତା ସହ ମାସ୍କ ସମ୍ପର୍କିତ ସୂଚନା ରହିବ। ଉକ୍ତ ଭ୍ୟାନ୍‌ରେ ମାସ୍କ ବିକ୍ରି କରିବାକୁ ଯୋଜନା ରହିଛି। ସେହିଭଳି ସ୍ବୟଂ ସହାୟକ ଗୋଷ୍ଠୀ ଏବଂ ଉତ୍ପାଦକ ଗୋଷ୍ଠୀ ଦ୍ୱାରା ତିଆରି ମାସ୍କ ରାଜ୍ୟର ବିଭିନ୍ନ ଜିଲା ସଦର ମହକୁମା ଏବଂ ବ୍ଲକ୍‌ ସ୍ତରରେ ମଧ୍ୟ ବିକ୍ରି କରିବାରେ ଓର୍‌ମାସ୍‌ ସହଯୋଗ କରୁଛି। ସାଧାରଣ କପଡ଼ାରେ ତିଆରି ଏବଂ କମ୍‌ ଦର ଯୋଗୁ ଲୋକଙ୍କ ମଧ୍ୟରେ ଏହି ମାସ୍କର ଚାହିଦା ରହିଥିବା ଦେଖିବାକୁ ମିଳୁଛି। ସୂଚନାଯୋଗ୍ୟ କରୋନା ଲକ୍‌ଡାଉନ୍‌ ପରଠାରୁ ଏବେସୁଦ୍ଧା ରାଜ୍ୟର ୨୧ ଜିଲାର ସ୍ବୟଂ ସହାୟକ ଗୋଷ୍ଠୀ ଏବଂ ଉତ୍ପାଦକ ଗୋଷ୍ଠୀ ପ୍ରାୟ ୧୨ ଲକ୍ଷ ମାସ୍କ ତିଆରି କରି ବଜାରକୁ ଛାଡ଼ିଛନ୍ତି।

Share