Categories: ମେଟ୍ରୋ

ଭୁବନେଶ୍ୱରର ୧୨ ହୋଟେଲରେ ଅଛନ୍ତି ୧୫, ହୋମ କ୍ୱାରାଣ୍ଟାଇନ୍‌ରେ ୧୦୦୦ ସନ୍ଦିଗ୍ଧ

ଭୁବନେଶ୍ୱର,୨୮ା୩(ବ୍ୟୁରୋ): ଭୁବନେଶ୍ୱର ତଥା ବାହାରୁ ଆସୁଥିବା ନାଗରିକଙ୍କ ପାଇଁ ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ଓ ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି) ପକ୍ଷରୁ କ୍ୱାରାଣ୍ଟାଇନ ବ୍ୟବସ୍ଥା କରାଯାଇଛି। ଏଥିପାଇଁ ସହରର କେତେକ ହୋଟେଲ ଏବଂ ବିଭିନ୍ନ ସରକାରୀ କୋଠାକୁ ଚୟନ କରାଯାଇଛି। ଏଥିସହ ଯେଉଁମାନେ ହୋମ୍‌ କ୍ୱାରାଣ୍ଟାଇନ୍‌ରେ ରହିବାକୁ ଚାହୁଁଛନ୍ତି ସେମାନଙ୍କ ପାଇଁ ବିଭିନ୍ନ ନିୟମକାନୁନ ଲାଗୁ କରାଯାଇଛି। ଇତିମଧ୍ୟରେ ଏଯାବତ୍‌ ହୋମ୍‌ କ୍ୱାରାଣ୍ଟାଇନ୍‌ରେ ୧୦୦୦, ସରକାରୀ କୋଠାରେ ୨୫ ଓ ଭୁବନେଶ୍ୱରର ୧୨ ହୋଟେଲରେ ୧୫ ସନ୍ଦିଗ୍ଧ କ୍ୱାରାଣ୍ଟାଇନ୍‌ରେ ରହୁଥିବା ବିଏମ୍‌ସି କମିଶନର ପ୍ରେମଚନ୍ଦ୍ର ଚୌଧାରୀ କହିଛନ୍ତି। ସଂକ୍ରମଣକୁ ରୋକିବା ଓ ଲକ୍ଷଣ ଦେଖାଯାଉଥିବା ନାଗରିକଙ୍କ ସ୍ବାସ୍ଥ୍ୟାବସ୍ଥାରେ ଉନ୍ନତି ପାଇଁ ୧୪ ଦିନର କ୍ୱାରାଣ୍ଟାଇନ୍‌ରେ ରହିବାକୁ ଥିବାବେଳେ କେତେଜଣ ଜନସାଧାରଣ ହୋଟେଲ, ସରକାରୀ କୋଠାରେ ଥିବାବେଳେ ଅନ୍ୟକେତେ ହୋମ କ୍ୱାରାଣ୍ଟାଇନ୍‌ରେ ରହୁଛନ୍ତି। ସେମାନଙ୍କ ସହ ବିଏମ୍‌ସିର ସ୍ବତନ୍ତ୍ର ଟିମ୍‌ ନିୟମିତ କଥା ହେଉଥିବା ବେଳେ ସ୍ବାସ୍ଥ୍ୟାବସ୍ଥାକୁ ଯାଞ୍ଚ କରୁଛନ୍ତି ବୋଲି କମିଶନର ଚୌଧାରୀ କହିଛନ୍ତି। ଆବଶ୍ୟକ ପଡ଼ିଲେ ଡାକ୍ତରୀ ଟିମ୍‌ ସେମାନଙ୍କୁ ଦେଖିବାକୁ ଯାଉଛନ୍ତି। ଏହା ବ୍ୟତୀତ ସେମାନଙ୍କ ଖାଦ୍ୟପେୟ ସହ କେମିତି ରହିବେ କାହା ସହ କଥା ହୋଇପାରିବେ କି ନାହିଁ ତା’ର ମାନୁଆଲ ତାଙ୍କୁ ପ୍ରଦାନ କରାଯାଇଛି। ୧୪ ଦିନର କ୍ୱାରେଣ୍ଟାଇନ୍‌ରେ ରହିବା ପରେ ସନ୍ଦିଗ୍ଧଙ୍କୁ ବିଏମ୍‌ସି ତରଫରୁ ସୂଚାଇ ଦିଆଯାଉଛି ବୋଲି ସେ କହିଛନ୍ତି।

Share