ଭୁବନେଶ୍ୱରର ୫ଟି ସ୍କୁଲରେ ସ୍ବାବ୍‌ ନମୂନା ସଂଗ୍ରହ ଆରମ୍ଭ

ଭୁବନେଶ୍ୱର,୧୧।୪(ବ୍ୟୁରୋ): କରୋନା (କୋଭିଡ-୧୯) ଟେଷ୍ଟ ପାଇଁ ଶନିବାରଠାରୁ ଭୁବନେଶ୍ୱରର ବିଭିନ୍ନ ସ୍କୁଲରେ ଆରମ୍ଭ ହୋଇଛି ସ୍ବାବ୍‌ ନମୁନା ସଂଗ୍ରହ ପ୍ରକ୍ରିୟା। ରାଜଧାନୀର ୫ଟି ସ୍କୁଲରେ ମେଡିକାଲ ଟିମ୍‌ ସନ୍ଦିଗ୍ଧଙ୍କ ଠାରୁ ନମୁନା ସଂଗ୍ରହ କରୁଛନ୍ତି। ସକାଳ ୯ଟାରୁ ମଧ୍ୟାହ୍ନ ୧୨ ଓ ଅପରାହ୍ନ ୩ରୁ ୫ଟା ଯାଏ କରୋନା ସନ୍ଦିଗ୍ଧଙ୍କ ଠାରୁ ନମୁନା ସଂଗ୍ରହ କରାଯିବ। ଭୁବନେଶ୍ୱରରେ ଟେଷ୍ଟ କିଟ୍‌ ପହଞ୍ଚିବା ପରେ ଏହି ପଦକ୍ଷେପ ନିଆଯାଇଛି। ବିଶେଷକରି ଯେଉଁମାନଙ୍କ ଟ୍ରାଭେଲ ହିଷ୍ଟ୍ରୀ ରହିଥିବ ଓ ଯେଉଁମାନେ କରୋନା ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସିଥିବେ ସେମାନଙ୍କର ସ୍ବାବ ନମୁନା ସଂଗ୍ରହ କରାଯାଇ ଟେଷ୍ଟ କରାଯିବ।

ଝାରପଡ଼ା ପ୍ରାଥମିକ ବିଦ୍ୟାଳୟ, ଚନ୍ଦ୍ରଶେଖରପୁର ସରକାରୀ ହାଇସ୍କୁଲ, ସହିଦନଗର ସରକାରୀ ହାଇସ୍କୁଲ, ଗଣ୍ଡମୁଣ୍ଡା ୟୁଜି ହାଇସ୍କୁଲ ଓ ନୟାପଲ୍ଲୀ ମମତାଜ ଅଲୀ ହାଇସ୍କୁଲରେ ଏଥିପାଇଁ ବ୍ୟବସ୍ଥା କରାଯାଇଛି। ୧୭ ତାରିଖ ଯାଏ ଚାଲିବ ମେଡିକାଲ ଟିମର ନମୁନା ସଂଗ୍ରହ ଓ ଟେଷ୍ଟ। ଏହି ସମୟରେ ସ୍କୁଲର ଦୁଇ ଜଣ ଶିକ୍ଷକ, ଜଣେ ସ୍ବିପର ଓ ଜଣେ ଓ୍ବାଚ୍‌ମ୍ୟାନ ଉପସ୍ଥିତ ରହିବେ। ଏ ନେଇ ଶୁକ୍ରବାର ଖୋର୍ଦ୍ଧା ଜିଲା ଶିକ୍ଷା ଅଧିକାରୀଙ୍କୁ ଚିଠି ଲେଖିଥିଲେ ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ।

Share