ଭୁବନେଶ୍ୱରେ ପହଞ୍ଚିଲା ଶହୀଦ ଅଜିତ୍‌ଙ୍କ ମରଶରୀର: ଶେଷଦର୍ଶନ କରି ଶ୍ରଦ୍ଧାଞ୍ଜଳି ଦେଲେ ରାଜ୍ୟପାଳ, ଜନ୍ମମାଟିରେ ହେବ ଶେଷକୃତ୍ୟ

ଭୁବନେଶ୍ୱର,୨୦।୬(ବ୍ୟୁରୋ): ଜମ୍ମୁ-କଶ୍ମୀରର ଅନନ୍ତନାଗ ଜିଲାରେ ହୋଇଥିବା ଆତଙ୍କବାଦୀ ଆକ୍ରମଣରେ ଶହୀଦ ହୋଇଥିବା ଓଡ଼ିଆ ଯବାନ ଅଜିତ୍‌ ସାହୁଙ୍କ ମରଶରୀର ଭୁବନେଶ୍ୱରରେ ପହଞ୍ଚିଛି। ବାୟୁସେନାର ସ୍ବତନ୍ତ୍ର ବିମାନ ଯୋଗେ ମରଶରୀର ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିବା ପରେ ପ୍ରାର୍ଥୀବ ଶରୀରକୁ ସ୍ଥାନୀୟ ୧୨୦ ବାଟାଲିୟନ ପରିସରକୁ ନିଆଯାଇଥିଲା। ସେଠାରେ ରାଜ୍ୟପାଳ ଗଣେଶୀ ଲାଲଙ୍କ ସମେତ ବହୁ ମନ୍ତ୍ରୀ ଓ ନେତା ପହଞ୍ଚି ଅଜିତଙ୍କ ଶେଷ ଦର୍ଶନ କରିବା ସହ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି। ଏହାପରେ ମରଶରୀରକୁ ଜନ୍ମମାଟି କାମାକ୍ଷାନଗର ବ୍ଲକ ବଡ଼ସୁଆଳ ଗ୍ରାମ ଅଭିମୁଖେ ନିଆଯାଇଛି। ସେଠାରେ ସମ୍ପୂର୍ଣ୍ଣ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଶେଷକୃତ୍ୟ ସମ୍ପନ୍ନ କରାଯିବ ବୋଲି ଜଣାପଡ଼ିଛି।

ପ୍ରକାଶ ଯୋଗ୍ୟ, ଅନନନ୍ତାଗରେ ସୋମବାର ଆତଙ୍କବାଦୀ ଓ ସୁରକ୍ଷାକର୍ମୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଥିଲା। ଏଥିରେ ଅଜିତ୍‌ ଶହୀଦ ହୋଇଥିଲେ। ୨୦୧୫ରେ ସେ ଭାରତୀୟ ସେନାବାହିନୀରେ ଯୋଗ ଦେଇଥିଲେ। ମଙ୍ଗଳବାର ସେ ଶହୀଦ ହୋଇଥିବା ନେଇ ଘରକୁ ଫୋନ୍‌ ଆସିବା ପରେ ପରିବାର ତଥା ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି। ତେବେ ବିମାନରେ ଯାନ୍ତ୍ରିକ ତ୍ରୁଟି କାରଣରୁ ତାଙ୍କ ମରଶରୀର ଓଡ଼ିଶା ଆସିବାରେ ବିଳମ୍ବ ହୋଇଥିଲା।

Share