ଭୁବନେଶ୍ୱର ଏମ୍‌ପିଙ୍କ ଜନଶୁଣାଣି, ଲୋକଙ୍କ ଅଭିଯୋଗ ଶୁଣିଲେ: ସମାଧାନ ପାଇଁ ପଦକ୍ଷେପ ନେଲେ

ଖୋର୍ଦ୍ଧା ଅଫିସ,୨୮ା୧୨: ଖୋର୍ଦ୍ଧା ସହରସ୍ଥିତ ପୂର୍ତ୍ତ ବିଭାଗ ଡାକବଙ୍ଗଳାରେ ଖୋର୍ଦ୍ଧା ନିର୍ବାଚନମଣ୍ଡଳୀସ୍ତରୀୟ ଜନଶୁଣାଣି ଶୁକ୍ରବାର ଅନୁଷ୍ଠିତ ହୋଇଯାଇଛି। ଏଥିରେ ଭୁବନେଶ୍ୱର ଏମ୍‌ପି ଅପରାଜିତା ଷଡଙ୍ଗୀ ଯୋଗଦେଇ ଲୋକଙ୍କ ଅଭିଯୋଗ ଶୁଣିଥିଲେ। କିଛି ଅଭିଯୋଗକୁ ଜନଶୁଣାଣି ଶିବିରରେ ସମାଧାନ କରାଇଥିଲେ। ଆଉ କିଛି ଅଭିଯୋଗର ଫଲୋଅପ କରାଯାଇ ସମାଧାନ କରିବାକୁ ପ୍ରତିଶ୍ରୁତି ଦେଇଛନ୍ତି। ଭୁବନେଶ୍ୱର ଏମ୍‌ପି ଷଡଙ୍ଗୀଙ୍କ ସୂଚନା ଅନୁସାରେ, ଭୁବନେଶ୍ୱର କାର୍ଯ୍ୟାଳୟରେ ସପ୍ତାହକୁ ୩ ଦିନ ଅଭିଯୋଗ ଶୁଣାଣି କରୁଛନ୍ତି। ହେଲେ ଭୁବନେଶ୍ୱର ଲୋକସଭା ଅଧୀନରେ ଥିବା ୭ ନିର୍ବାଚନମଣ୍ଡଳୀର ଲୋକ ଭୁବନେଶ୍ୱରରେ ପହଞ୍ଚତ୍ ଅଭିଯୋଗ କରିବା ସମ୍ଭବ ନୁହେଁ। ଲୋକଙ୍କ ସୁବିଧା ପାଇଁ ବିଧାନସଭା କ୍ଷେତ୍ରକୁ ଯାଇ ଅଭିଯୋଗ ଶୁଣାଣି କରୁଛି। ଦଳମତ ନିର୍ବିଶେଷରେ ସମସ୍ତଙ୍କ ଅଭିଯୋଗ ଗ୍ରହଣ କରାଯାଇ ଶୁଣାଣି କରାଯାଉଛି। ଯାହା ଅଭିଯୋଗ ଆସିଲା ତାହା ଭଲ ଭାବେ ବୁଝିବାକୁ ପଡୁଛି। ପରେ ସେହି ସମସ୍ୟାର ସମାଧାନ କରିବାକୁ ପଦକ୍ଷେପ ନିଆଯାଉଛି। ଜୟଦେବ, ବେଗୁନିଆ, ଜଟଣୀ ବିଧାନସଭାରେ ଅଭିଯୋଗ ଶୁଣାଣି ପୂର୍ବରୁ କରାଯାଇଥିଲା। ତେବେ ଖୋର୍ଦ୍ଧାରେ ପ୍ରଥମଥର ପାଇଁ କରାଯାଇଛି। ପ୍ରତି ବିଧାନସଭା ନିର୍ବାଚନମଣ୍ଡଳୀରେ ମାସକୁ ଅଥବା ଦେଢ଼ମାସକୁ ଥରେ ଅଭିଯୋଗ ଶୁଣାଣି ମୋ ପକ୍ଷରୁ କରାଯିବ। ଅଭିଯୋଗକୁ ପଞ୍ଜୀକୃତ କରାଯିବ। ଅଭିଯୋଗର କେତେଦୂର ସମାଧାନ ହେଲା ତା’ର ଫଲୋଅପ ନିଆଯାଇ ପଦକ୍ଷେପ ନିଆଯିବ ବୋଲି ପ୍ରକାଶ କରିଛନ୍ତି। ଶୁଣାଣି ସମୟରେ ନିକୁଞ୍ଜ ପଟ୍ଟନାୟକ, ସୁବାସ ଗନ୍ତାୟତ, କାଳୁ ଚରଣ ଖଣ୍ଡେଇତରାୟ, ରାଜୀବ ଷଡଙ୍ଗୀ, ଅଜୟ ମିଶ୍ର, ମୀନା ଦାସ, ପ୍ରତାପ ମହାପାତ୍ର ପ୍ରମୁଖ ଭାଜପାର ନେତାମାନେ ଉପସ୍ଥିତ ଥିଲେ।

Share