ଭୁବନେଶ୍ୱର କରୋନା ହଟ୍‌ସ୍ପଟ୍‌: ମୁଖ୍ୟ ଶାସନ ସଚିବ

ଭୁବନେଶ୍ୱର,୧୭।୪(ବ୍ୟୁରୋ): କରୋନା ମୁକାବିଲା ଲାଗି ରାଜ୍ୟ ସରକାରଙ୍କ ପକ୍ଷରୁ ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯାଉଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶରେ ନିୟୋଜିତ ହୋଇଥିବା ସମସ୍ତ ଅଧିକାରୀ ଏଥିପାଇଁ ୨୪/୭ କାମ କରୁଛନ୍ତି। ଇତିମଧ୍ୟରେ ଓଡ଼ିଶାରେ ୭,୫୭୭ଟି ନମୂନା ପରୀକ୍ଷଣ କରାଯାଇଛି। ୭ଟି ଲ୍ୟାବ୍‌ରେ ଏହି ପରୀକ୍ଷା କରାଯାଇଛି। ସେଥିରୁ ୬୦ଜଣ ପଜିଟିଭ୍‌ ବାହାରିଛନ୍ତି। ଚିକିତ୍ସା ପରେ ୧୯ଜଣ ସୁସ୍ଥ ହୋଇଛନ୍ତି। ମୋଟାମୋଟି ଭାବେ ଦେଖିବାକୁ ଗଲେ କେବଳ ଭୁବନେଶ୍ୱରରେ ୪୬ ପଜିଟିଭ୍‌ ମାମଲା ରହିଛି। ଏଥିରୁ ଭୁବନେଶ୍ୱର ହଟ୍‌ସ୍ପଟ୍‌ ବୋଲି ସ୍ପଷ୍ଟ ହୋଇଛି। ଏଥିଯୋଗୁ ସହରବାସୀଙ୍କୁ ସାମାଜିକ ଦୂରତ୍ୱ କଡ଼ାକଡ଼ି ଭାବେ ପାଳନ କରିବାକୁ କୁହାଯାଉଛି। ଲୋକମାନଙ୍କ ସହଯୋଗ ଯୋଗୁ ଏହି ସଂଖ୍ୟା ଦୁଇଦିନ ମଧ୍ୟରେ ବଢ଼ି ନ ଥିବା ଦେଖାଯାଇଛି। ତେବେ ପରିସ୍ଥିତିକୁ ଦୃଷ୍ଟିରେ ରଖି ରାଜଧାନୀକୁ ଶଟ୍‌ଡାଉନ୍‌ କରାଯାଇଥିଲା। ଏପରିକି କରୋନା ସଂକ୍ରମିତ ବ୍ୟକ୍ତି ଚିହ୍ନଟ ହୋଇଥିବା ଅଞ୍ଚଳକୁ କଣ୍ଟେନ୍‌ମେଣ୍ଟ ଜୋନ୍‌ ଭାବେ ଘୋଷଣା କରାଯାଇଥିଲା। ବର୍ତ୍ତମାନ ୨ଟିରୁ କଣ୍ଟେନ୍‌ମେଣ୍ଟ କଟକଣା ଉଠାଇ ଦିଆଯାଇଥିବା ବେଳେ ୩ଟିରେ ବଳବତ୍ତର ରହିଛି। ସେଠାରେ ଘରକୁ ଘର ଯାଇ ସର୍ଭେ କରାଯାଉଥିବା ଶୁକ୍ରବାର ଗୀତଗୋବିନ୍ଦ ସଦନରେ ଆୟୋଜିତ ଖବରଦାତା ସମ୍ମିଳନୀରେ ମୁଖ୍ୟ ଶାସନ ସଚିବ ଅସିତ୍‌ ତ୍ରିପାଠୀ ସୂଚନା ଦେଇ କହିଛନ୍ତି।

Share