ଭୁବନେଶ୍ୱର କୋର୍ଟକୁ ସମ୍ପୂର୍ଣ୍ଣ ସାନିଟାଇଜ୍‌ କରିବାକୁ ଦାବି: ଆଇନଜୀବୀ ଆତଙ୍କିତ

ଭୁବନେଶ୍ୱର,୩।୪(ବ୍ୟୁରୋ): ପଞ୍ଚମ କରୋନା ସଂକ୍ରମିତ ସୂର୍ଯ୍ୟନଗରରେ ରହୁଥିବା ପ୍ରଦୀପ୍ତ ଦଳବେହେରାଙ୍କ ନାମକୁ ସାର୍ବଜନୀନ କରାଯିବା ପରେ ଏବେ ଭୁବନେଶ୍ୱର ବାର୍‌ର ଆଇନଜୀବୀମାନେ ଆତଙ୍କିତ ଅବସ୍ଥାରେ ଅଛନ୍ତି। କାରଣ ସଂକ୍ରମିତଙ୍କ ଭାଇ ଭୁବନେଶ୍ୱର କୋର୍ଟରେ ନୋଟାରି ଭାବେ କାର୍ଯ୍ୟ କରୁଛନ୍ତି। ସେ ତାଙ୍କ ସଂସ୍ପର୍ଶରେ ଆସିଥିବା ଆଇନଜୀବୀମାନେ ସନ୍ଦେହ କରୁଛନ୍ତି। ସେ ମାର୍ଚ୍ଚ ୨୧ ପର୍ଯ୍ୟନ୍ତ କାର୍ଯ୍ୟସ୍ଥଳରେ ରହି ବହୁ ଆଇନଜୀବୀ ଓ ନୋଟାରିଙ୍କ ସହ ମିଶିଥିବାରୁ ସମସ୍ତଙ୍କ ମଧ୍ୟରେ ଭାଳେଣି ପଡିଛି। ଇତିମଧ୍ୟରେ କେତେଜଣ ଆଇନଜୀବୀ ଟୋଲ୍‌ ଫ୍ରିନ ନଂ.୧୦୪କୁ କଲ୍‌ କରି ଆଇସୋଲେଶନରେ ରହିଥିବା ଜଣାଇଛନ୍ତି। ଭୁବନେଶ୍ୱର ବାର୍‌ର ସେକ୍ରେଟେରୀ ବିଶ୍ୱ ନାରାୟଣ ମହାନ୍ତି କହିଛନ୍ତି, ଶୁଣାଣି ପାଇଁ କୋର୍ଟକୁ ଏବେ ମୁଦାଲା ଓ ସେମାନଙ୍କ ସମ୍ପର୍କୀୟମାନେ ଆସୁଛନ୍ତି। ଫଳରେ ସେମାନଙ୍କ ସହ ଜେଲକୁ କରୋନା ସଂକ୍ରମଣ ବ୍ୟାପିବାର ଯଥେଷ୍ଟ ସମ୍ଭାବନା ରହିଛି। ତେଣୁ କୋର୍ଟକୁ ସମ୍ପୂର୍ଣ୍ଣ ସାନିଟାଇଜ୍‌ କରାଯିବା ସହ ପ୍ରଶାସନ ତୁରନ୍ତ ଆବଶ୍ୟକ ପଦକ୍ଷେପ ଗ୍ରହଣ କରନ୍ତୁ ବୋଲି ସେ ଦାବି କରିଛନ୍ତି।

Share