ଭୁବନେଶ୍ୱର ଫେରନ୍ତା ଭଡାଟିଆଙ୍କୁ ଘରେ ପୂରାଇଲେନି ମାଲିକ

ବାଲେଶ୍ୱର ଅଫିସ,୧୭।୪-ଭୁବନେଶ୍ୱରରୁ ଫେରିଥିବାରୁ ଜଣେ ଭଡାଟିଆଙ୍କୁ ତାଙ୍କ ଘର ମାଲିକ ଘରେ ନ ପୂରାଇବା ଘଟଣା ବାଲେଶ୍ୱର ଅଡ଼ରବଜାର ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଛି। ଶେଷରେ ସେ ଅନ୍ୟ ଉପାୟ ନ ପାଇ ଗୁରୁବାର ସହଦେବଖୁଣ୍ଟା ମଡ଼େଲ ଥାନାରେ ଅଭିଯୋଗ କରିଛନ୍ତି। ସଦର ତହସିଲଦାର ପୂର୍ଣ୍ଣଚନ୍ଦ୍ର ପାତ୍ର, ଡା. ମୃତ୍ୟୁଞ୍ଜୟ ମିଶ୍ର, ଥାନା ଆଇଆଇସି କୃଷ୍ଣଚନ୍ଦ୍ର ପଲେଇ, ମେଡ଼ିକାଲ ଟିମ୍‌ ସହ ସେଠାରେ ପହଞ୍ଚତ୍ ଭଡ଼ାଟିଆ ପରିବାରର ସମସ୍ତ ସଦସ୍ୟଙ୍କ ସ୍ବାସ୍ଥ୍ୟାବସ୍ଥା ଯାଞ୍ଚ କରିଥିଲେ। ଘର ମାଲିକଙ୍କ ବୃଦ୍ଧା ମା’ ବାପା ଏବଂ ବଡ଼ ଭାଇମାନେ ପରିବାରରେ ରହୁଥିବାରୁ ସେ ଭଡ଼ାଟିଆଙ୍କୁ ରଖିବା ପାଇଁ ବାରଣ କରିଥିଲେ। ଅତିରିକ୍ତ ଜିଲାପାଳ ସମ୍ବିତ କୁମାର ନାୟକ ଏହି ଘଟଣାରେ ହସ୍ତକ୍ଷେପ କରି ଭଡ଼ାଟିଆଙ୍କ ପରିବାରର ଦୁଇଜଣ ଲୋକଙ୍କୁ ସାବଧାନତା ସହକାରେ ରହିବା ପାଇଁ ନିର୍ଦ୍ଦେଶ ଦେଇଥିଲେ। ଅନ୍ୟ ସମ୍ପର୍କୀୟଙ୍କ ଅନ୍ୟତ୍ର ରହିବା ପାଇଁ ଅଧିକାରୀମାନେ ଏକ ପ୍ରସ୍ତାବ ଦେଇଛନ୍ତି। ଖବର ଲେଖା ହେବା ପର୍ଯ୍ୟନ୍ତ ଏ ବିଷୟରେ ଅଧିକାରୀମାନେ ଘର ମାଲିକଙ୍କ ସହ ଆଲୋଚନା କରୁଥିବାର ଜଣାପଡ଼ିଛି।
ଅଡ଼ରବଜାର ଓଡ଼ିଏନ୍‌ ଟକିଜ୍‌ ପଛପଟେ ଦୀର୍ଘଦିନ ହେଲା ଅମିତ୍‌ ଶର୍ମା ନାମକ ବ୍ୟକ୍ତି ଭଡ଼ାରେ ରହିଆସୁଛନ୍ତି। ତାଙ୍କ ବାପାଙ୍କ ଦେହ ଖରାପ ଥିବା କାରଣରୁ ସେ ଭୁବନେଶ୍ୱରସ୍ଥିତ ଏକ ହସ୍‌ପିଟାଲକୁ ଚିକିତ୍ସା ନିମନ୍ତେ ଯାଇଥିଲେ। ସେଠାରେ କିଛିଦିନ ଚିକିତ୍ସା ପରେ ଗୁରୁବାର ଅପରାହ୍ନ ୨ଟା ସମୟରେ ଅମିତ ପରିବାର ସହ ବାଲେଶ୍ୱରସ୍ଥିତ ଭଡ଼ାଘରକୁ ଫେରିଥିଲେ। କରୋନା ଭୂତାଣୁ ସଂକ୍ରମଣ ଭୟରେ ଘର ମାଲିକ ସେମାନଙ୍କୁ ଘର ଭିତରେ ପଶିବାକୁ ଦେଇ ନ ଥିଲେ। ଅନ୍ୟତ୍ର ରହିବା ପାଇଁ କହିଥିଲେ।