ଭୁବନେଶ୍ୱର ବିମାନବନ୍ଦର ହେବ ନନ୍‌-ଟଚ୍‌ ବିମାନବନ୍ଦର

ଭୁବନେଶ୍ୱର, ୧୧।୫(ବ୍ୟୁରୋ): ଲକ୍‌ଡାଉନ୍‌ ହଟିବା ପରେ ବିମାନ ସେବା ସ୍ବାଭାବିକ ହୋଇପାରେ। ତେଣୁ ବିମାନ ସେବା ଆରମ୍ଭ ହେଲେ ଯାତ୍ରୀ ଓ କର୍ମଚାରୀଙ୍କୁ କିପରି ସୁରକ୍ଷା ଦିଆଯିବ ସେଥିପାଇଁ ଭୁବନେଶ୍ୱର ବିମାନବନ୍ଦରରେ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଛି। ବିମାନ ବନ୍ଦରକୁ ନନ୍‌-ଟଚ୍‌ କରିବା ପାଇଁ ସମସ୍ତ ଦିଗ ପ୍ରତି ଧ୍ୟାନ ଦିଆଯାଉଛି। ଟର୍ମିନାଲ ପରିସରରେ ପ୍ରବେଶଠାରୁ ଆରମ୍ଭ କରି ଟିକେଟ୍‌, ଚେକ୍‌-ଇନ୍‌ କାଉଣ୍ଟର ସବୁଠି ବିନା ସ୍ପର୍ଶ ବା ନନ୍‌-ଟଚ୍‌ରେ କାର୍ଯ୍ୟ କରିବା ପାଇଁ ଭୁବନେଶ୍ୱରର ବିମାନ ବନ୍ଦର କର୍ତ୍ତୃପକ୍ଷ ଯୋଜନା କରୁଛନ୍ତି। କରୋନା ସଂକ୍ରମଣ ରୋକିବା ପାଇଁ ଏଭଳି ପଦକ୍ଷେପ ନିଆଯାଉଥିବା ଜଣାପଡ଼ିଛି। ପ୍ରବେଶ ପଥରେ ପୂର୍ବରୁ ଟିକେଟ ତଥା ପରିଚୟ ପତ୍ର ଦେଖାଇବାବେଳେ ସୁରକ୍ଷା କର୍ମୀ ତାହାକୁ ହାତରେ ଧରି ଯାଞ୍ଚ କରୁଥିଲେ। କିନ୍ତୁ ଏବେ ଆଉ ସେଭଳି ହେବ ନାହିଁ। ଯାତ୍ରୀମାନେ ଟେବୁଲ ଉପରେ ପରିଚୟ ପତ୍ର ଓ ଟିକେଟ୍‌ ଆଦି ରଖିବା ପରେ ସୁରକ୍ଷା କର୍ମୀ ନୂତନ ଯନ୍ତ୍ର ସାହାଯ୍ୟରେ ତାହାକୁ ଯାଞ୍ଚ କରିବେ।
ଅନ୍ୟପଟେ ଲକ୍‌ଡାଉନ୍‌ ସମୟରେ ଭୁବନେଶ୍ୱର ବିମାନବନ୍ଦରର ଆଧୁନିକୀକରଣ କାର୍ଯ୍ୟ ଜାରି ରହିଛି। ବିମାନବନ୍ଦର ପରିସରରେ ଏୟାର ଟ୍ରାଫିକ୍‌ କଣ୍ଟ୍ରୋଲ ବା ଏଟିସି ଟାୱାର, ପାରାଲାଲ୍‌ ଟାକ୍ସି ବେ’ କାମ ମଧ୍ୟ ଆରମ୍ଭ ହୋଇଛି ବୋଲି ଭୁବନେଶ୍ୱର ବିମାନ ବନ୍ଦର ନିର୍ଦ୍ଦେଶକ ଭି.ଭି. ରାଓ କହିଛନ୍ତି।

Share