ଭୁବନେଶ୍ୱର ବିମାନ ବନ୍ଦରରୁ ୧୨ଲକ୍ଷ ଟଙ୍କାର ବିଦେଶୀ ସିଗାରେଟ ଜବତ, କୁଆଲାଲମ୍ପୁରରୁ ଚାଲାଣ ହେଉଥିଲା ପଶ୍ଚିମବଙ୍ଗ

ଭୁବନେଶ୍ୱର,୧୫ା୧୦(ବ୍ୟୁରୋ): ବିମାନରେ ବେଆଇନ ସୁନା ପରେ ଏବେ ବିଦେଶୀ ସିଗାରେଟ ଚାଲାଣ ଧରାପଡ଼ିଛି। ଭୁବନେଶ୍ୱର ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରୁ ରାଜସ୍ବ ଗୋଇନ୍ଦା ବିଭାଗ (ଡିଆର୍‌ଆଇ) ମଙ୍ଗଳବାର ୧୨ଲକ୍ଷ ଟଙ୍କାର ସିଗାରେଟ ଜବତ କରିଛି। ୪୦୦ ପ୍ୟାକେଟରେ ରହିଥିବା ୮୦ହଜାର ସିଗାରେଟ କୁଆଲାଲମ୍ପୁରରୁ କଲିକତା ଚାଲାଣ ହେଉଥିଲା। ଭୁବନେଶ୍ୱରରୁ ବସ୍‌ କିମ୍ବା ଟ୍ରେନ୍‌ରେ ପଶ୍ଚିମବଙ୍ଗ ଯାଇଥାନ୍ତା। ସିଗାରେଟ ଚାଲାଣ କରୁଥିବା ୨ଜଣଙ୍କୁ ଡିଆର୍‌ଆଇର ଅଧିକାରୀମାନେ ଅଟକ ରଖି ପଚରାଉଚରା କରୁଛନ୍ତି। ସେମାନଙ୍କ ଘର ପଶ୍ଚିମବଙ୍ଗରେ ବୋଲି ଜଣାପଡ଼ିଛି। ଏହି ଅନ୍ତର୍ଜାତୀୟ ର଼୍ୟାକେଟର ଅଧିକ ଖୋଳତାଡ଼ ଆରମ୍ଭ ହୋଇଛି।

ଡିଆର୍‌ଆଇ ଅଧିକାରୀଙ୍କ ସୂଚନାନୁସାରେ, ଜବତ ସିଗାରେଟ ‘ମାର୍ଲବୋର୍‌’ ବ୍ରାଣ୍ଡ୍‌ର। କୁଆଲାଲମ୍ପୁରରେ ଏହାର ଦାମ ଖୁବ୍‌ କମ୍‌। କିନ୍ତୁ ଓଡିଶା, ପଶ୍ଚିମବଙ୍ଗ ସମେତ ଭାରତର ଅନ୍ୟ ରାଜ୍ୟରେ ଗୋଟିଏ ସିଗାରେଟ ୧୫ରୁ ୨୦ଟଙ୍କାରେ ବିକ୍ରି ହେଉଛି। ରହିଥିବା ଆଇନ ଅନୁଯାୟୀ ଆମଦାନୀ କଲେ ବିଭିନ୍ନ ଟିକସ ଓ ସବୁ ଖର୍ଚ୍ଚ ମିଶିଲେ ସିଗାରେଟ ଗୋଟାପ୍ରତି କିଣା ୧୫ରୁ ଊର୍ଦ୍ଧ୍ୱ ଟଙ୍କା ପଡ଼ିଯିବ। ତେଣୁ ଧରାପଡ଼ିଥିବା ଦୁଇଜଣ ଦଲାଲ କୁଆଲାଲମ୍ପୁରରୁ କମ୍‌ ଦାମ୍‌ରେ ସିଗାରେଟ କିଣି ବେଆଇନ ଭାବେ ଲଗେଜ୍‌ ପାର୍ସଲରେ ବିମାନରେ ଆଣୁଥିଲେ। ସେମାନେ ସୋମବାର ଏୟାର ଏସିଆ ବିମାନ ଏକେ-୩୧ରେ କୁଆଲାଲମ୍ପୁର ବିମାନବନ୍ଦରରୁ ଭୁବନେଶ୍ୱର ଅଭିମୁଖେ ବାହାରିଥିଲେ। ଏ ସମ୍ପର୍କରେ ଡିଆର୍‌ଆଇଙ୍କ ନିକଟରେ ସୂଚନା ପହଞ୍ଚତ୍ବା ପରେ ଧରିବାକୁ ଯୋଜନା ହୋଇଥିଲା। ରାତି ପ୍ରାୟ ୯ଟାରେ ସମ୍ପୃକ୍ତ ଦୁଇଜଣ ଯାତ୍ରୀ ବିମାନରୁ ଓହ୍ଲାଇ ମୁଖ୍ୟ ଗେଟ୍‌ ଦେଇ ବାହାରକୁ ବାହାରିବା ସମୟରେ ଡିଆର୍‌ଆଇ ଅଧିକାରୀମାନେ ଯାଞ୍ଚ କରିଥିଲେ। ସେମାନଙ୍କ ଲଗେଜରୁ ୪ଶହ ପ୍ୟାକେଟ ବିଦେଶୀ ସିଗାରେଟ ମିଳିଥିଲା। ପଚରାଉଚରାବେଳେ ସେମାନେ କହିଛନ୍ତି ଯେ, କୁଆଲାଲମ୍ପୁରକୁ ନିୟମିତ ଭାବେ ଯାଇ ହୋଟେଲରେ ରୁହନ୍ତି। କମ୍‌ ଦାମରେ ମିଳୁଥିବା ସିଗାରେଟ ଓ ଅନ୍ୟ ସାମଗ୍ରୀ କିଣି ବିମାନଯୋଗେ ପଶ୍ଚିମବଙ୍ଗ ଚାଲାଣ କରନ୍ତି। କିନ୍ତୁ ବିଜୁପଟ୍ଟନାୟକ ବିମାନ ବନ୍ଦର ଦେଇ ପୂର୍ବରୁ କେବେ ସିଗାରେଟ କାରବାର କରିନାହାନ୍ତି। ଏବେ କଲିକତା ସମେତ ଅନ୍ୟ ବିମାନବନ୍ଦରରେ ଯାଞ୍ଚ କଡାକଡି ହେଉଥିବାରୁ ପ୍ରଥମଥର ବିଜୁପଟ୍ଟନାୟକ ବିମାନ ବନ୍ଦର ଦେଇ ଚାଲାଣ କରିବାକୁ ଯୋଜନା କରିଥିଲେ ବୋଲି ସେମାନେ ଡିଆରଆଇ ଅଧିକାରୀଙ୍କୁ କହିଛନ୍ତି।

Share