ଭୁବନେଶ୍ୱର,୩।୪(ବ୍ୟୁରୋ): ଭୁବନେଶ୍ୱର, ଭଦ୍ରକ ଶୁକ୍ରବାର ସନ୍ଧ୍ୟା ୮ଟାରୁ ରବିବାର ସନ୍ଧ୍ୟା ୮ଟା ପର୍ଯ୍ୟନ୍ତ ସଟ୍ ଡାଉନ୍ ଘୋଷଣା କରାଯାଇଛି। ଏହି ସମୟରେ ଗ୍ରୋସରୀ, ଫଳ, ପରିବା, ମାଛ, ମାଂସ, ଅଣ୍ଡା, କ୍ଷୀର ଦୋକାନ ବନ୍ଦ ରହିବ। ଔଷଧ ଦୋକାନ ଖୋଲିଲେ ମଧ୍ୟ ଏହାର ସଂଖ୍ୟାକୁ କମାଇ ଦିଆଯିବ। କେଉଁ ଔଷଧ ଦୋକାନ ଖୋଲିବ ସେ ନେଇ ସ୍ଥାନୀୟ ଅଧିକାରୀ ନିଷ୍ପତ୍ତି ନେବେ। ଅତି ଜରୁରୀ ନ ଥିଲେ ହସ୍ପିଟାଲ ନ ଯିବାକୁ କହିଲେ ପୋଲିସ ଡିଭି ଅଭୟ ଶୁକ୍ରବାର ଖବରଦାତା ସମ୍ମିଳନୀରେ ସୂଚନା ଦେଇଛନ୍ତି।
ଅଭୟ କହିଛନ୍ତି, ଓଡ଼ିଶାର ଜନସାଧାରଣ ଲକ୍ଡାଉନ୍କୁ ସହଯୋଗ କରୁଛନ୍ତି। ୪୮ ଘଣ୍ଟା ପାଇଁ ସଟ୍ ଡାଉନ୍ରେ କର୍ଫ୍ୟୁ ଭଳି ପରିସ୍ଥିତି ରହିବ। ଲକ୍ଡାଉନ୍ ସମୟରେ ଖାଉଟି ସାମଗ୍ରୀ ଦୋକାନ ଖୋଲା ରହିଥିଲା। ମାତ୍ର ଆଗାମୀ ୪୮ ଘଣ୍ଟା ଏଗୁଡ଼ିକ ବନ୍ଦ ରହିବ। ଔଷଧ ଦୋକାନ ଖୋଲା ଉପରେ ମଧ୍ୟ ପ୍ରତିବନ୍ଧକ ଲଗାଯାଇଛି। କେତେ ଦୋକାନ ଖୋଲିବ ସେ ନେଇ ସ୍ଥାନୀୟ ଅଧିକାରୀ ନିଷ୍ପତ୍ତି ନେବେ। ଏହି ସମୟରେ ସାଧାରଣ ଅସୁସ୍ଥତା ଥିଲେ ଡାକ୍ତରଖାନା ଆସନ୍ତୁ ନାହିଁ। ଅପରପକ୍ଷେ ଜରୁରିକାଳୀନ ସ୍ଥିତିକୁ ଦୃଷ୍ଟିରେ ରଖି ସହରରେ ଆମ୍ବୁଲାନ୍ସ ସଂଖ୍ୟା ବଢ଼ାଇ ଦିଆଯାଇଛି। ବିଶେଷ ଅସୁବିଧା ହେଲେ ଆମ୍ବୁଲାନ୍ସ ସହ ଯୋଗାଯୋଗ କରନ୍ତୁ ବୋଲି ସେ କହିଛନ୍ତି।