ଭୁବନେଶ୍ୱର ସାହିତ୍ୟ ସମାଜ ଅଧିବେଶନ: ଗୁଣାତ୍ମକତା ଉପରେ ଗୁରୁତ୍ୱ ଦିଅନ୍ତୁ ସମ୍ପାଦକ

ଭୁବନେଶ୍ୱର,୩ା୧୨(ବ୍ୟୁରୋ): ଓଡ଼ିଶାରେ ପତ୍ରିକା ସଂପାଦନା ଅନେକ ସମ୍ଭାବନା ଓ ସ୍ବପ୍ନକୁ ସାକାର କରିବା କ୍ଷେତ୍ରରେ ତତ୍ପର ହେବା ଆବଶ୍ୟକ। ପତ୍ରିକାର ଗୁଣାତ୍ମକ ମାନ ତାହାର ସଫଳ ସଂପାଦନା ଉପରେ ନିର୍ଭର କରେ। ପାଠକୀୟ ଆଦୃତି, ଲେଖକୀୟ ଆକର୍ଷଣ ଓ ପ୍ରକାଶକୀୟ ଆନ୍ତରିକତା ବଳରେ ଜଣେ ସଂପାଦକ ଲୋକପ୍ରିୟତା ଅର୍ଜନ କରେ। ଜଣେ ସଂପାଦକ ଲେଖା ସଂଗ୍ରହଣ କି ସଂକଳନ ଉପରେ ଗୁରୁତ୍ୱ ନ ଦେଇ ପତ୍ରିକାର ଗୁଣାତ୍ମକତା ବଜାୟ ରଖିବା ଉପରେ ଦୃଷ୍ଟିଦେବା ଆବଶ୍ୟକ ବୋଲି ଭୁବନେଶ୍ୱର ସାହିତ୍ୟ ସମାଜ ଅଧିବେଶନରେ ମତପ୍ରକାଶ ପାଇଛି। ସ୍ଥାନୀୟ କୃଷକ ସମାଜଠାରେ ଅନୁଷ୍ଠିତ ଏହି ବୈଠକରେ ସଂପାଦକ, ଗବେଷକ ଓ ସଂଗଠକ ଡ. ରମେଶ ପାଣି ଯୋଗଦେଇ ବ୍ୟବସାୟିକ ସଫଳତା ଉପରେ ଗୁରୁତ୍ୱ ନ ଦେଇ ଜଣେ ସଂପାଦକ ପ୍ରତିଭା ଚୟନ, ପାଠକୀୟ ପସନ୍ଦ, ଲେଖକୀୟ ସ୍ବାଭିମାନକୁ ପ୍ରାଥମିକତା ଦେବା ଦରକାର ବୋଲି କହିଥିଲେ। ପତ୍ରିକାର ସଫଳତା ତାର ସଂପାଦକୀୟ ଦକ୍ଷତା ଉପରେ ନିର୍ଭର କରେ ବୋଲି ସେ କହିଥିଲେ। ଅନୁଷ୍ଠାନର ସଭାପତି ତଥା କବି ସୂର୍ଯ୍ୟ ମିଶ୍ର କାର୍ଯ୍ୟକ୍ରମରେ ଅଧ୍ୟକ୍ଷତା କରି ପ୍ରକାଶନରେ ନିୟମିତତା, ଲେଖା ନିର୍ବାଚନ ଓ ପାଠକୀୟ ରୁଚି ହେଉଛି ଜଣେ ସଂପାଦକ ପାଇଁ ବଡ଼ ଆହ୍ବାନ ବୋଲି କହିଥିଲେ। ଦ୍ୱିତୀୟ ଅଧିବେଶନରେ ଉପସଭାପତି ମିନତି ଦାଶ, ସବିତା ଶତପଥୀ, ଅନ୍ନପୂର୍ଣ୍ଣା ଭଟ୍ଟ ଓ ଶ୍ରୁତିକୀର୍ତ୍ତି ତ୍ରିପାଠୀଙ୍କ ମିଳିତ ସଂଯୋଜନାରେ ଅନୁଷ୍ଠିତ କବିତା ପାଠୋତ୍ସବରେ ମଞ୍ଜୁଳା ତ୍ରିପାଠୀ, ସୁଷମା ଲେଙ୍କା, ସୌଦାମିନୀ ବେହେରା, ଅମ୍ବିକା ସ୍ବାଇଁ, କମଳିନୀ ଦେବୀ, ଦୀନବନ୍ଧୁ ପଣ୍ଡା, ଡ. ରାଜୀବ ଷଡ଼ଙ୍ଗୀ, ସୁଧୀର ମଉଡ଼ମଣି ପ୍ରମୁଖ ସ୍ବରଚିତ କବିତା ପାଠ କରିଥିଲେ।

Share