ଭୁଲ୍‌ରେ ବି ପିଅନ୍ତୁନି କଞ୍ଚା କ୍ଷୀର

ପ୍ରତିଦିନ ଗୋଟିଏ ଗ୍ଲାସ କ୍ଷୀର ପିଇବା ପାଇଁ ଡାକ୍ତର ପରାମର୍ଶ ଦେଇଥାନ୍ତି। କ୍ଷୀରରେ ଭରପୂର ମାତ୍ରାରେ କ୍ୟାଲସିୟମ ଓ ପ୍ରୋଟିନ ରହିଛି, ଯାହା ହାଡ଼ର ବିକାଶ କରିବା ସହିତ ଶରୀର ପାଇଁ ବହୁ ଉପକାରୀ ହୋଇଥାଏ। କିନ୍ତୁ ଅନେକ ସମୟରେ ଦେଖା ଯାଇଥାଏ ଯେ, କ୍ଷୀରକୁ ନ ସିଝାଇ କିଛି ଲୋକ କଞ୍ଚା ପିଇଥାନ୍ତି। ତେବେ କଞ୍ଚା କ୍ଷୀର ପିଇବା ଶରୀର ପାଇଁ କ୍ଷତିକାରକ ବୋଲି ଜଣାପଡ଼ିଛି।
*କ୍ଷୀରକୁ ସିଝାଇବା ପରେ ଏଥିରୁ ଜରୁରୀ ପୋଷକ ତତ୍ତ୍ୱ ନଷ୍ଟ ହୋଇଯାଏ ବୋଲି ସାଧାରଣତଃ ବିଶ୍ୱାସ କରାଯାଇଥାଏ। କିନ୍ତୁ ଏହା ଠିକ୍‌ ନୁହେଁ। କ୍ଷୀର କଞ୍ଚା ହେଉ କିମ୍ବା ସିଝା-ଏଥିରେ ନ୍ୟୁଟ୍ରିସନ୍‌ର ମାତ୍ରା ସମାନ ରହିଥାଏ। କ୍ଷୀରରେ କ୍ୟାଲସିୟମ, ଫସ୍‌ଫରସ ଓ ମିନେରାଲ୍ସ ପରି ପୋଷକ ତତ୍ତ୍ୱ ରହିଛି, ଯାହା ଉଚ୍ଚ ତାପମାତ୍ରାରେ ସିଝାଇବା ପରେ ମଧ୍ୟ ନଷ୍ଟ ହୋଇ ନ ଥାଏ।
*କିଛି ଲୋକ ବିଶ୍ୱାସ କରନ୍ତି ଯେ, କଞ୍ଚା କ୍ଷୀର ପିଇଲେ ଶରୀରକୁ ଅଧିକ ଲାଭ ମିଳିଥାଏ। କିନ୍ତୁ ଏହି ମତ ସମସ୍ତଙ୍କ ପାଇଁ ସମାନ ନୁହେଁ। କଞ୍ଚା କ୍ଷୀର ଲାକ୍ଟୋସ ଇନ୍ଟଲେରାନ୍ସ ବା ମିଲ୍କ ଇନ୍ଟଲେରାନ୍ସ ନାମକ ଏକ ପ୍ରକାର ରୋଗରେ ପୀଡ଼ିତ ବ୍ୟକ୍ତିଙ୍କ ପାଇଁ ଉପକାରୀ ବୋଲି କୁହାଯାଏ। ଏହାର କାରଣ କଞ୍ଚା କ୍ଷୀରରେ ‘ଲାକ୍ଟୋସ’ ନାମକ ଏକ ତତ୍ତ୍ୱ ରହିଛି, ଯାହା ପାଚନ କ୍ରିୟାରେ ସାହାଯ୍ୟ କରିଥାଏ। କିନ୍ତୁ କ୍ଷୀରକୁ ସିଝାଇବା ପରେ ସେଥିରେ ଥିବା ‘ଲାକ୍ଟୋସ’ ନଷ୍ଟ ହୋଇଯାଇଥାଏ। କୌଣସି ବ୍ୟକ୍ତିଙ୍କୁ ଶ୍ୱାସ କିମ୍ବା ଏକ୍‌ଜିମା ପରି ସ୍କିନ ଆଲର୍ଜି ଥିଲେ, ସେମାନଙ୍କ ପାଇଁ କଞ୍ଚା କ୍ଷୀର ଉପକାରୀ ସାବ୍ୟସ୍ତ ହୋଇଥାଏ। କିନ୍ତୁ ସମସ୍ତଙ୍କ ପାଇଁ ନୁହେଁ।

*କଞ୍ଚା କ୍ଷୀରରେ Salmonella, Escherichia, Campylobacter, E. Coli ଓ Cryptosporidium ଭଳି କ୍ଷତିକାରକ ବ୍ୟାକ୍ଟେରିଆ ରହିଛନ୍ତି। ଏହି ବ୍ୟାକ୍ଟେରିଆଗୁଡ଼ିକ ଅଧିକ ସମୟ ପର୍ଯ୍ୟନ୍ତ ଜୀବିତ ରହନ୍ତି। ଏଥିପାଇଁ କଞ୍ଚା କ୍ଷୀର ଶୀଘ୍ର ଖରାପ ହୋଇଯାଏ। ତେଣୁ କଞ୍ଚା କ୍ଷୀର ପିଇଲେ ଏହିସବୁ ବ୍ୟାକ୍ଟେରିଆ ଶରୀରରେ ପ୍ରବେଶ କରନ୍ତି ଓ ଡାଇରିଆ, ଡିହାଇଡ୍ରେସନ, ରିଆକ୍ଟିଭ ଆର୍ଥ୍ରାଇଟିସ ଭଳି ଗମ୍ଭୀର ରୋଗ ଦେଖାଦେଇଥାଏ। ଏହା ବ୍ୟତୀତ କଞ୍ଚା କ୍ଷୀର ପିଇଲେ ବାନ୍ତି ଓ ଜ୍ୱର ମଧ୍ୟ ହୋଇଥାଏ। ତେଣୁ କଞ୍ଚା କ୍ଷୀର ପିଇବା ପାଇଁ ବାରଣ କରାଯାଇଥାଏ। ସୂଚନାଯୋଗ୍ୟ, ଅନେକ ଗବେଷଣାରୁ ଏହା ଜଣାପଡେ ଯେ, କଞ୍ଚା ଓ ସିଝା କ୍ଷୀରରେ ସମାନ ମାତ୍ରାରେ ପୋଷକ ତତ୍ତ୍ୱ ରହିଛି।