Categories: ଭଦ୍ରକ

ଭୁଲ୍‌ ଇଞ୍ଜେକସନ ନେଲା ଛାତ୍ରୀଙ୍କ ଜୀବନ

ବାସୁଦେବପୁର, ୫।୧୨ (ଡି.ଏନ.ଏ.)- ଭଦ୍ରକ ଜିଲା ବାସୁଦେବପୁର ବ୍ଲକ ଇରମ ବଜାରରେ ଥିବା ଏକ କ୍ଲିନିକରେ ଭୁଲ୍‌ ଇଞ୍ଜେକସନ ନେଇ ଛାତ୍ରୀ ପ୍ରିୟଙ୍କା ବେହେରା(୧୧)ଙ୍କ ବୁଧବାର ରାତିରେ ମୃତ୍ୟୁ ଘଟିଛି। ସେ ବାଲେଶ୍ୱର ଜିଲା ସିମୁଳିଆ ଥାନା ଅଧୀନ ଅନ୍ତରା ଗ୍ରାମର ପ୍ରଭାତ କୁମାର ବେହେରାଙ୍କ ଝିଅ। ଇରମ ଗ୍ରାମରେ ତାଙ୍କ ମାମୁଘରେ ରହି ପାଠ ପଢୁଥିଲେ। ତାଙ୍କୁ ଜ୍ୱର ହୋଇଥିବାରୁ ସନ୍ଧ୍ୟାରେ ଚିକିତ୍ସା ପାଇଁ ଉକ୍ତ କ୍ଲିନିକକୁ ନିଆଯାଇଥିଲା। ସେଠାରେ ଚିକିତ୍ସକ ଏକ ଇଞ୍ଜେକସନ ଦେବା ପରେ ସେ ସଂଜ୍ଞାହୀନ ହୋଇପଡ଼ିଥିଲେ। ପରିବାର ଲୋକେ ତାଙ୍କୁ ବାସୁଦେବପୁର ଡାକ୍ତରଖାନାକୁ ନେଇଯାଇଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଖବରପାଇ ବାସୁଦେବପୁର ଥାନା ପୋଲିସ ଡାକ୍ତରଖାନାରେ ପହଞ୍ଚି ମୃତା ପ୍ରିୟଙ୍କାଙ୍କ ଅଜାଙ୍କ ବୟାନ ରେକର୍ଡ କରିଛି। ଭୁଲ୍‌ ଇଞ୍ଜେକସନ ଯୋଗୁ ତାଙ୍କ ନାତୁଣୀଙ୍କ ମୃତ୍ୟୁ ଘଟିଥିବା ସେ ଅଭିଯୋଗ କରିଛନ୍ତି।