ଭୁଲ୍‌ ଜାତିଗତ ପ୍ରମାଣପତ୍ର ଦାଖଲ ଅଭିଯୋଗ: ସୋର ବିଧାୟକଙ୍କ ନାମରେ ହାଇକୋର୍ଟରେ ମାମଲା

ସୋର, ୨୧।୬(ଡି.ଏନ.ଏ.)- ଭୁଲ୍‌ ଜାତିଗତ ପ୍ରମାଣପତ୍ର ପ୍ରଦାନ ଏବଂ ନିର୍ବାଚନୀ ସତ୍ୟପାଠରେ ନିର୍ଦ୍ଦିଷ୍ଟ କଲମ ଫାଙ୍କା ଛାଡ଼ିବା ଘଟଣା ସୋର ବିଧାୟକ ପର୍ଶୁରାମ ଧଡ଼ାଙ୍କୁ ପୁଣି ଥରେ ଅଡ଼ୁଆରେ ପକାଇଛି। ଏନେଇ ୨୦୧୯ ନିର୍ବାଚନରେ ସୋର ବିଧାନସଭା ଆସନ ପାଇଁ ଭାଜପାରୁ ପ୍ରାର୍ଥୀ ହୋଇଥିବା ରାକେଶ କୁମାର ମଲ୍ଲିକ ଗତ ୧୭ତାରିଖରେ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି। ମଲ୍ଲିକଙ୍କ ଆବେଦନକୁ ଭିତ୍ତି କରି ହାଇକୋର୍ଟରେ ଏକ ଇଲେକ୍ସନ ମିସ୍‌ କେସ୍‌(୧/୨୦୧୯) ରୁଜୁ ହୋଇଛି। ବିଧାୟକ ଧଡ଼ାଙ୍କ ମୂଳ ଜାତି ଘଣି ହୋଇଥିବାବେଳେ ସେ ତାଙ୍କ ଜାତିଗତ ପ୍ରମାଣପତ୍ରରେ କୈବର୍ତ୍ତ ଦର୍ଶାଇଥିବା ହାଇକୋର୍ଟରେ ଅଭିଯୋଗ ହୋଇଛି। ଏଥିସହିତ ୨୦୧୯ ନିର୍ବାଚନ ପାଇଁ ଦାଖଲ ହୋଇଥିବା ସତ୍ୟପାଠ ପୂରଣରେ ମଧ୍ୟ ଅନେକ ଗୁରୁତ୍ୱପୂର୍ଣ୍ଣ କଲମ୍‌ ଫାଙ୍କା ରଖାଯାଇଛି ବୋଲି ମଲ୍ଲିକ ତ୍ରୁଟି ଦର୍ଶାଇଛନ୍ତି।
୨୦୧୪ରେ ମଧ୍ୟ ବିଧାୟକ ପର୍ଶୁରାମ ଧଡ଼ାଙ୍କ ଜାତିଗତ ପ୍ରମାଣପତ୍ରକୁ ନେଇ ହାଇକୋର୍ଟରେ କଂଗ୍ରେସର ପରାଜିତ ପ୍ରାର୍ଥୀ ମୃତ୍ୟୁଞ୍ଜୟ ଜେନା ଓ ଭାଜପା ପରାଜିତ ପ୍ରାର୍ଥୀ ରାକେଶ ମଲ୍ଲିକ ଆବେଦନ କରିଥିଲେ। ଉକ୍ତ ଆବେଦନକୁ ବିରୋଧ କରି ଧଡ଼ା ସୁପ୍ରିମ କୋର୍ଟ ଯାଇଥିଲେ। ମାତ୍ର ଉକ୍ତ ମାମଲାକୁ ହାଇକୋର୍ଟରେ ବିଚାର କରିବାକୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଥିଲେ। ଯାହାକି ଏବେ ବିଚାରାଧୀନ ରହିଛି। ସୋର ବିଧାନସଭା ଆସନ ତଫସିଲଭୂକ୍ତ ଜାତିଙ୍କ ପାଇଁ ଉଦ୍ଦିଷ୍ଟ ଥିବାବେଳେ ଧଡ଼ା ଭୁଲ୍‌ ଜାତିଗତ ପ୍ରମାଣ ପତ୍ର ଦେଇ ନିର୍ବାଚନ ଲଢ଼ି ବିଧାୟକ ଭାବେ ନିର୍ବାଚିତ ହୋଇଛନ୍ତି ବୋଲି ମଲ୍ଲିକ ଅଭିଯୋଗ ଆଣିଛନ୍ତି। ମଲ୍ଲିକଙ୍କ ଏଭଳି ଅଭିଯୋଗ ସମ୍ପର୍କରେ ବିଧାୟକ ଧଡ଼ାଙ୍କ କୌଣସି ମତାମତ ମିଳିପାରି ନାହିଁ।