ଭୁଲ ତଥ୍ୟ ଦେଇ ବ୍ୟାଙ୍କରୁ ୪ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କା ଋଣ ଉଠାଣ: ଜଣେ ଅଟକ

ବାସୁଦେବପୁର,୮।୧୨(ଡି.ଏନ୍‌.ଏ.) : ଭଦ୍ରକ ଜିଲା ବାସୁଦେବପୁର ଥାନା ଅନ୍ତର୍ଗତ ଗୁଆଗଡ଼ିଆ ଗ୍ରାମର ଜଣେ ଏରୋନେଟିକ୍‌ ଇଞ୍ଜିନିୟର ଦୁଇଟି ବ୍ୟାଙ୍କରେ ଭୁଲ କାଗଜପତ୍ର ଦେଇ ଅନ୍ୟ ଜଣେ ଯୁବକଙ୍କ ନାମରେ ଆକାଉଣ୍ଟ ଖୋଲି ପ୍ରାୟ ୪ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କାର ଋଣ ଉଠାଣ କରିନେବା ଘଟଣା ଚର୍ଚ୍ଚାର ବିଷୟ ପାଲଟିଛି। ଯୁବକଙ୍କ ନାମରେ ଏହି ଋଣ କରାଯାଇଥିବା ସଂପୃକ୍ତ ବ୍ୟାଙ୍କରୁ ତାଙ୍କୁ ଅବଗତ କରାଯିବା ପରେ ସେ ଋଣ କରି ନ ଥିବା ବେଳେ କେଉଁ ପରିସ୍ଥିତିରେ ତାଙ୍କ ନାମରେ ଋଣ ଉଠାଣ ହେଲା ତାହା ଜାଣି ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି। ତେବେ ଏହି ଋଣ ଉଠାଣ କରି ନେଇଥିବା ଯୁବ ଇଞ୍ଜିନିୟରଙ୍କୁ ସ୍ଥାନୀୟ ଗୁଆଗଡ଼ିଆ ଲୋକମାନେ ଅଟକ ରଖି ମାଡ଼ ମାରି ପୋଲିସ ଜିମା ଦେଇଛନ୍ତି। ବାସୁଦେବପୁର ଥାନା ଆଇଆଇସି ମଧୁମିତା ମହାନ୍ତି ଉକ୍ତ ଯୁବ ଇଞ୍ଜିନିୟରଙ୍କୁ ଗ୍ରାମବାସୀଙ୍କଠାରୁ ଉଦ୍ଧାର କରି ପଚରାଉଚରା ପାଇଁ ଥାନାରେ ଅଟକ ରଖିଛନ୍ତି। ଏହି ଘଟଣା ବ୍ୟାଙ୍କ ସମ୍ପର୍କିତ ହୋଇଥିବାବେଳେ ଆଜି ରବିବାର ଥିବାରୁ ଅଧିକ ତଦନ୍ତ ଆବଶ୍ୟକତା ଥିଲେ ମଧ୍ୟ ହୋଇପାରିନାହିଁ। ତେବେ ସୋମବାର ଏନେଇ ଅଧିକ ତଦନ୍ତ କରାଯିବ।