Categories: ଜାତୀୟ

ଭୁଲ ବୁଝାମଣାରେ ପୋଲିଓ ଟିମ୍‌କୁ ଅଟକ ରଖି ନିସ୍ତୁକ ମାଡ଼ ମାରିଲେ ଲୋକେ

ମିରଟ,୨୭।୧: ଦେଶର ବିଭିନ୍ନ ସ୍ଥାନରେ ଏବେ ବି ନାଗରିକତ୍ୱ ସଂଶୋଧନ ଆଇନ୍‌ (ସିଏଏ)କୁ ନେଇ ବିରୋଧ ଜାରି ରହିଛି। ଏହାକୁ ନେଇ ବିଭିନ୍ନ ପ୍ରକାରର ଗୁଜବ ସୃଷ୍ଟି ହେଉଥିବା ବେଳେ ଏଥିପାଇଁ କେତେକଙ୍କ ଜୀବନ ମଧ୍ୟ ଯାଉଥିବାର ନଜର ଆସିଛି। ଇତିମଧ୍ୟରେ ଉତ୍ତରପ୍ରଦେଶ ମିରଟରୁ ଏସମ୍ପର୍କିତ ଏକ ଘଟଣା ସାମ୍ନାକୁ ଆସିଛି। ଶନିବାର ଲିସାଡି ଗେଟ୍‌ର ଲଖୀପୁରାରେ ଥିବା ଘରଗୁଡିକରେ ପିଲାଙ୍କୁ ପୋଲିଓ ଡ୍ରପ୍‌ ଦେବାକୁ କିଛି ଟିମ୍‌ ପହଞ୍ଚିଥିଲେ। ହେଲେ ସ୍ଥାନୀୟ ଲୋକେ ସେମାନଙ୍କୁ ନ୍ୟାଶନାଲ ପପୁଲେଶନ୍‌ ରେଜିଷ୍ଟ୍ରାର(ଏନ୍‌ପିଆର)ର ଟିମ୍‌ ଭାବି ଅଟକ ରଖିବା ସହ ନିସ୍ତୁକ ମାଡ଼ ମାରିଥିଲେ। ଏହାପରେ ସରକାରୀ ରେଜିଷ୍ଟର ଚିରିବା ସହ ଭ୍ୟାକସିନ୍‌ ମଧ୍ୟ ଚଢ଼ାଇ ନେଇଥିଲେ। ପ୍ରାୟ ଏକ ଘଣ୍ଟା ଧରି ଏହି ଗଣ୍ଡଗୋଳ ଚାଲିଥିଲା। ଉକ୍ତ ଘଟଣାର ଖବର ପାଇ କିଛି ସମୟ ପରେ ସ୍ବାସ୍ଥ୍ୟ ବିଭାଗର ଅଧିକାରୀ ସେଠାରେ ପହଞ୍ଚି ସ୍ଥାନୀୟ ଲୋକଙ୍କୁ ବୁଝାସୁଝା କରିଥିଲେ। ଏଥିସହ ଉକ୍ତ ଟିମ୍‌କୁ ସୁରକ୍ଷିତ ଭାବେ ଉଦ୍ଧାର କରିଥିଲେ। ଏହି ଘଟଣାରେ କିଛି ଲୋକଙ୍କ ବିରୋଧରେ ଲିସାଡି ଗେଟ୍‌ ଥାନାରେ ମାମଲା ରୁଜୁ କରାଯାଇ ତଦନ୍ତ ଜାରି ରହିଛି।

Share