ଭୁଶୁଡ଼ିଲା ଅଧ୍ୟକ୍ଷ କାର୍ଯ୍ୟାଳୟର ସିଲିଂ

କଟକ ଅଫିସ,୫।୯: ଜାତୀୟ କବି ବୀର କିଶୋର (ଜେକେବିକେ) ସରକାରୀ କଲେଜର ଅଧ୍ୟକ୍ଷଙ୍କ କାର୍ଯ୍ୟାଳୟର ସିଲିଂ ଭୁଶୁଡ଼ି ପଡିଛି। ବୁଧବାର କାର୍ଯ୍ୟାଳୟ ଖୋଲାଯିବା ପରେ ଅଧ୍ୟକ୍ଷଙ୍କ ରୁମ୍‌ ଭିତରେ ସିଲିଂଗୁଡ଼ିକ ବିଛାଡ଼ି ହୋଇ ପଡ଼ିଥିବା ଦେଖିବାକୁ ମିଳିଥିଲା। ଅଧ୍ୟକ୍ଷ ବସୁଥିବା ଚେୟାରର ଉପରପାର୍ଶ୍ୱ ସିଲିଂ ଅଧିକମାତ୍ରାରେ ଭୁଶୁଡ଼ିଛି। ରବିବାରଠାରୁ କଲେଜ ବନ୍ଦ ଥିବା ହେତୁ ଏହା କେଉଁଦିନ ଭୁଶୁଡ଼ିଛି ତାହା ଜଣାପଡ଼ିନାହିଁ। ବିଧାୟକ ସୌଭିକ ବିଶ୍ୱାଳ ପରିସ୍ଥିତି ଅନୁଧ୍ୟାନ କରିଛନ୍ତି।
୨୦୧୬ରେ ନ୍ୟାଶନାଲ ଆସେସମେଣ୍ଟ ଆଣ୍ଡ ଆକ୍ରିଡିଟେଶନ କାଉନସିଲ(ନାକ୍‌) କମିଟି ଗସ୍ତ ସମୟରେ ଅଧ୍ୟକ୍ଷଙ୍କ କାର୍ଯ୍ୟାଳୟର ନବୀକରଣ କରାଯାଇଥିଲା। ଏହି ସମୟରେ ହିଁ ସିଲିଂଗୁଡ଼ିକ ଲଗାଯାଇଥିଲା। ସାମୂଦ୍ରିକ ଝଡ଼ ଫନୀ ପ୍ରଭାବରେ କଲେଜର ବିଭିନ୍ନ କୋଠାର କାନ୍ଥ ଦୁର୍ବଳ ହୋଇପଡ଼ିଥିବା ଜଣାପଡ଼ିଛି। ବିଜ୍ଞାନ ବ୍ଲକର ରୁମ୍‌ ନଂ.୭, କଳା ବ୍ଲକର ରୁମ ନଂ.୧୮, ପାଠାଗାରର ଛାତରୁ ପାଣି ଝରୁଛି। ଏପରି କି ପାଠାଗାରର ଅନେକ ପୁସ୍ତକ ଓଦା ହୋଇ ନଷ୍ଟ ହେବାକୁ ବସିଲାଣି। ବାଣିଜ୍ୟ ବ୍ଲକର ବିଭିନ୍ନ ରୁମ୍‌ରେ ମଧ୍ୟ ସମାନ ଅବସ୍ଥା ଦେଖିବାକୁ ମିଳିଛି। ବର୍ଷା ପରେ ବିଭିନ୍ନ ରୁମ୍‌ର କାନ୍ଥ ବିପଜ୍ଜନକ ହୋଇପଡିଛି। ଏହି କାନ୍ଥଗୁଡ଼ିକୁ ଛୁଇଁଲେ କରେଣ୍ଟ ମାରୁଛି ବୋଲି କେତେଜଣ କର୍ମଚାରୀ କହିଛନ୍ତି। ସେହିପରି ପ୍ରଶାସନିକ କାର୍ଯ୍ୟାଳୟର କାନ୍ଥ ବିପଦସଙ୍କୁଳ ଅବସ୍ଥାରେ ରହିଥିବା ଦେଖିବାକୁ ମିଳିଛି। ଗତ ମେ ଶେଷ ସପ୍ତାହରେ କଲେଜ ପକ୍ଷରୁ ଏକ ଜରୁରିକାଳୀନ ବୈଠକ ଡକାଯାଇଥିଲା। ପରେ ପୂର୍ତ୍ତବିଭାଗ, ରାଜ୍ୟ ଉଚ୍ଚଶିକ୍ଷା ବିଭାଗ ଓ ସେସୁକୁ ଏ ନେଇ ଚିଠି ଲେଖାଯାଇଥିଲା। ପୂର୍ତ୍ତ ବିଭାଗ ପକ୍ଷରୁ ମରାମତିର ଆକଳନ ପାଇଁ ଏକ ଟିମ୍‌ ଯିବ ବୋଲି ବାରମ୍ବାର କୁହାଯାଇଥିଲେ ମଧ୍ୟ ଏପର୍ଯ୍ୟନ୍ତ କୌଣସି କାର୍ଯ୍ୟ ଆଗେଇ ପାରିନାହିଁ। ଏବେ କଲେଜର ଯୁକ୍ତ ୨ ଓ ଯୁକ୍ତ ୩ ଶ୍ରେଣୀରେ ୨୬୦୦ ଛାତ୍ରୀଛାତ୍ର ଅଛନ୍ତି। ଏ ସମ୍ପର୍କରେ ଜାଣିବା ପାଇଁ ଅଧ୍ୟକ୍ଷ ଡ.ମଧୁସ୍ମିତା ମିଶ୍ରଙ୍କୁ ଯୋଗାଯୋଗ କରାଯାଇଥିଲେ ମଧ୍ୟ ତାଙ୍କ ଫୋନ ସୁଇଚ୍‌ ଅଫ ଥିଲା। ଅନ୍ୟପକ୍ଷରେ କଲେଜର ବରିଷ୍ଠ ଅଧ୍ୟାପକ ଡ. ଅନନ୍ତ କିଶୋର ଜେନା କହିଛନ୍ତି, କଲେଜ କୋଠା ବିପଦସଙ୍କୁଳ ଅବସ୍ଥାରେ ଅଛି। କିଛି ରୁମ୍‌ର କାନ୍ଥ ଭୁଶୁଡ଼ିବା ପରିସ୍ଥିତିରେ ପହଞ୍ଚିଲାଣି। ଏହାର ମରାମତି ତୁରନ୍ତ କରା ନ ଗଲେ ଆଗାମୀ ଦିନରେ କିଛି ବଡ଼ ବିପଦ ଘଟିପାରେ। ସୂଚନାଥାଉ କି, ପୁରାତନ ରେଭେନ୍‌ଶା କଲେଜର ଓଲ୍ଡ ପିଜି ହଷ୍ଟେଲ କୋଠା ଓଏମ୍‌ପିରେ ଥିଲା। ଏହି ପୁରୁଣା କୋଠାରେ ହିଁ ଏବେ ଜେକେବିକେ କଲେଜ ଚାଲିଛି।

Share