ଭୁଶୁଡ଼ିଲା ଦୁଇ ମହଲା କୋଠା: ଅଳ୍ପକେ ବର୍ତ୍ତିିଲେ ପରିବାର ଲୋକେ

ଜଟଣୀ,୧୦ା୭(ଡି.ଏନ.ଏ.): ଜଟଣୀ ମ୍ୟୁନିସିପାଲିଟି ଅନ୍ତର୍ଗତ ରାଜାବଜାର ଅଞ୍ଚଳରେ ଏକ ବହୁ ପୁରୁଣା ୨ ମହଲା କୋଠାଘରର ଅର୍ଦ୍ଧାଧିକ ଅଂଶ ମଙ୍ଗଳବାର ସନ୍ଧ୍ୟାରେ ଭୁଶୁଡି ପଡ଼ିଥିଲା। ସୌଭାଗ୍ୟକୁ ଏହା ମଧ୍ୟରେ ରହୁଥିବା ପରିବାର ଲୋକେ ଅଳ୍ପକେ ବର୍ତ୍ତିଯାଇଛନ୍ତି। ହେଲେ ୬ଟି ଛେଳି ପଥର ତଳେ ଚାପି ହୋଇ ମରି ଯାଇଥିଲେ। ଅପରାହ୍ନରୁ ସନ୍ଧ୍ୟା ପର୍ଯ୍ୟନ୍ତ ଜଟଣୀରେ ମୁଷଳଧାରାରେ ବର୍ଷା ହୋଇଥିଲା। ବର୍ଷା ଛାଡ଼ିବା କିଛି ସମୟ ପରେ ସନ୍ଧ୍ୟା ପ୍ରାୟ ୮ଟାରେ ଏହା ଘଟିଥିଲା। ବର୍ଷା ହେଉଥିବାରୁ ଗୃହ ମାଲିକ ଜାଭେଦ ମହମ୍ମଦ ରଖିଥିବା ଛେଳିଗୁଡ଼ିକୁ ଘର ସମ୍ମୁଖ ତଳମହଲା କୋଠରି ମଧ୍ୟରେ ଆଣି ରଖିଥିଲେ। ଭୁଶୁଡ଼ି ପଡ଼ିଥିବା ସମ୍ମୁଖ କୋଠରିକୁ ଲାଗି ତଳ ମହଲାର ଅନ୍ୟ କୋଠରିରେ ଜାଭେଦଙ୍କ ପତ୍ନୀ ଓ ତାଙ୍କ ଦୁଇପିଲା ରହିଥିଲେ। ସୌଭାଗ୍ୟକୁ ଉପର ଓ ତଳମହଲା ସମ୍ମୁଖ ଦୁଇ କୋଠରି ଭୁଶୁଡ଼ି ପଡ଼ିଥିଲା। ଏ ନେଇ ଜାଭେଦଙ୍କ ସ୍ତ୍ରୀ ସାମିନା କୁହନ୍ତି, ହଠାତ୍‌ ପ୍ରଚଣ୍ଡ ଶବ୍ଦ ହୋଇଥିଲା। ଦୁଇପିଲା ଓ ସେ ଭୟଭୀତ ହୋଇପଡ଼ି କ’ଣ ହୋଇଛି ପ୍ରଥମେ ବୁଝିପାରି ନ ଥିଲୁ। ପରେ ଦେଖିଲା ବେଳକୁ ଏପରି ଅବସ୍ଥା। ସାହି ପିଲାଙ୍କ ସହାୟତାରେ ଘରର ପଛପଟେ ବହୁ କଷ୍ଟରେ ବାହାରିଥିଲୁ ବୋଲି ସେ କହିଛନ୍ତି। ଖବରପାଇ ଅଗ୍ନିଶମ ବିଭାଗ, ପୋଲିସ ଘଟଣାସ୍ଥଳରେ ପହଞ୍ଚତ୍ଥିଲା। ପଥର ତଳେ ଚାପି ହୋଇପଡ଼ିଥିବା ୧୦ଟି ଛେଳିଙ୍କ ମଧ୍ୟରୁ ୪ଟିକୁ ଅଗ୍ନିଶମ କର୍ମଚାରୀ ଜୀବନ୍ତ ବାହାର କରିଥିଲେ। ଏହି କୋଠାଟି ୧୦୦ ବର୍ଷର ବୋଲି ସ୍ଥାନୀୟ ଲୋକଙ୍କଠାରୁ ଜଣାପଡ଼ିଛି।

Share