ଭୁଶୁଡିଲା ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ଛାତ୍ରୀନିବାସ କୋଠା

ବ୍ରହ୍ମପୁର ଅଫିସ,୨୫ା୭-ବ୍ରହ୍ମପୁର ବିଶ୍ୱବିଦ୍ୟାଳୟରେ ଗୁରୁବାର ଅପରାହ୍ନରେ ଘଟିଛି ଏକ ବଡ ଦୁର୍ଘଟଣା ା ବିଶ୍ୱବିଦ୍ୟାଳୟ କ୍ୟାମ୍ପସ୍‌ ପରିସରସ୍ଥ ସାବେରୀ ଛାତ୍ରୀନିବାସର ୩ ମହଲା ବିଶିଷ୍ଟ କୋଠାର ଏକ ଅଂଶ ଭୁଶୁଡି ପଡିଛି ା ଯେଉଁଥିର ଶୌଚାଳୟ ଥିଲା ା ମଧ୍ୟାହ୍ନରେ ଛାତ୍ରୀନିବାସର ସମସ୍ତ ଛାତ୍ରୀ କ୍ଲାସ କରିବା ପାଇଁ ଚାଲି ଯାଇଥିବା ବେଳେ ଏଭଳି ଘଟଣା ଘଟିଥିବା ଜଣାପଡିଛି ା ଫଳରେ ଏକ ବଡ଼ ଦୁର୍ଘଟଣାରୁ ଛାତ୍ରୀନିବାସର ସମସ୍ତ ଅନ୍ତେବାସୀ ବର୍ତ୍ତିଯାଇଛନ୍ତି ା
ଜଣେ ପ୍ରତ୍ୟକ୍ଷଦର୍ଶୀ ଛାତ୍ରୀ ନାମ ଗୋପନ ରଖିବା ସହ କହିଛନ୍ତି, ମଧ୍ୟାହ୍ନରେ ଛାତ୍ରୀନିବାସର ସମସ୍ତ ଛାତ୍ରୀ କ୍ଲାସ କରିବାକୁ ଯାଇଥିଲେ ା କିନ୍ତୁ କେତେକ ଛାତ୍ରୀ ହଷ୍ଟେଲରେ ଥିଲେ ା ଅପରାହ୍ନ ପ୍ରାୟ ୧ ଟା ବେଳେ ରସାୟନ ବିଜ୍ଞାନ ବିଭାଗର ଜଣେ ଛାତ୍ରୀ ଶୌଚାଳୟକୁ ଯାଇଥିବା ବେଳେ ଏକ ଉଚ୍ଚ ଶବ୍ଦ ଶୁଣି ବାହାରକୁ ଚାଲି ଆସିଥିଲେ। ଏହାର କିଛିକ୍ଷଣ ମଧ୍ୟରେ ୩ ମହଲା ବିଶିଷ୍ଟ ଶୌଚାଳୟ କୋଠାଟି ଭୁଶୁଡି ପଡିଥିବା ଦେଖିଥିଲେ ା ତେବେ ଏହାପୂର୍ବରୁ ଅନେକ ସମୟରେ ଶୌଚାଳୟ ଛାତରୁ ପାଣି ଗଳିବା ସହ ପଲସ୍ତରା ଖସୁଥିବା ନେଇ ସେମାନେ କର୍ତ୍ତୃପକ୍ଷଙ୍କ ନିକଟରେ ଅଭିଯୋଗ କରିଥିଲେ। ଖରାଛୁଟିରେ ଛାତ୍ରୀନିବାସ ମରାମତି କାର୍ଯ୍ୟ କରିବାକୁ କର୍ତ୍ତୃପକ୍ଷ ପ୍ରତିଶ୍ରୁତି ଦେଇଥିଲେ ା କିନ୍ତୁ ଖରାଛୁଟିରେ ଅନ୍ୟ କେତେକ କୋଠରିଗୁଡିକର ମରାମତି କରାଯାଇଥିବା ବେଳେ ଶୌଚାଳୟ କୋଠା କାମ ହୋଇ ନ ଥିବା ଛାତ୍ରୀମାନେ କହିଛନ୍ତି ା ଗୁରୁବାର ସକାଳେ ମଧ୍ୟ ଶୌଚାଳୟ ଛାତରୁ ପଲସ୍ତରା ଖସୁଥିବା ନେଇ କର୍ତ୍ତୃପକ୍ଷଙ୍କୁ ଅବଗତ କରାଯାଇଥିବା କେତେଜଣ ଛାତ୍ରୀ ପ୍ରତିକ୍ରିୟାରେ କହିଛନ୍ତି। ଏ ସମ୍ପର୍କରେ ବାରମ୍ବାର ଜଣାଯିବା ସତ୍ତ୍ୱେ ଶୌଚାଳୟ ମରାମତି ଦିଗରେ ଅବହେଳା କରାଯାଇ ଥିବାରୁ ଏଭଳି ଘଟଣା ଘଟିଥିବା ସେମାନେ ଅଭିଯୋଗ କରିଛନ୍ତି ା ଖବର ପାଇ କୁଳସଚିବ ରଞ୍ଜନ ବିଶ୍ୱାଳ, ସ୍ନାତକୋତ୍ତର ପରିଷଦ ଅଧ୍ୟକ୍ଷା ତଥା ଭାରପ୍ରାପ୍ତ କୁଳପତି ପ୍ରଫେସର ଅରୁନ୍ଧତୀ ରଥ ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିବା ସହ ତୁରନ୍ତ ଛାତ୍ରୀମାନଙ୍କୁ ‘ଚିଲିକା’ ଛାତ୍ରୀନିବାସକୁ ସ୍ଥାନାନ୍ତର କରିଥିଲେ।

Share