Categories: ଜାତୀୟ

ଭୂକମ୍ପରେ ବହୁ ଘର କ୍ଷତିଗ୍ରସ୍ତ

ଆଇଜଲ,୨୩ା୬(ପି.ଟି.) ମିଜୋରାମରେ ସୋମବାର ଭୋର ସମୟରେ ୫.୩ ତୀବ୍ରତାର ଭୂକମ୍ପ ଅନୁଭୂତ ହୋଇଛି। ଭୂକମ୍ପ ଯୋଗୁ ବହୁ ଘର କ୍ଷତିଗ୍ରସ୍ତ ହେବା ସହ ବିଭିନ୍ନ ସ୍ଥାନରେ ରାସ୍ତାରେ ଫାଟ ସୃଷ୍ଟି ହୋଇଛି। ତେବେ କେହି ମୃତାହତ ହୋଇଥିବାର ଖବର ମିଳିନାହିଁ। ଭୋର ୪ଟା ୧୦ ମିନିଟ ସମୟରେ ଭୂକମ୍ପ ଅନୁଭୂତ ହୋଇଥିଲା। ଏହାର କେନ୍ଦ୍ରସ୍ଥଳ ଭାରତ-ମ୍ୟାନ୍‌ମାର ସୀମାନ୍ତ ଚମ୍ଫାଇ ଜିଲାର ଜୋଖଥର ବୋଲି ଜାତୀୟ ଭୂକମ୍ପ ବିଜ୍ଞାନ କେନ୍ଦ୍ର ପକ୍ଷରୁ କୁହାଯାଇଛି। ରାଜଧାନୀ ଆଇଜଲ ସମେତ ରାଜ୍ୟର ବିଭିନ୍ନ ଅଞ୍ଚଳରେ ଏହାର କମ୍ପନ ଅନୁଭୂତ ହୋଇଥିଲା। ଜୋଖଥରସ୍ଥିତ ଚର୍ଚ୍ଚ ସମେତ ଚମ୍ଫାଇ ଜିଲାର ବହୁ ଘର ଓ ବିଲ୍ଡିଂ ଆଂଶିକ କ୍ଷତିଗ୍ରସ୍ତ ହୋଇଛି। ସମ୍ପୂର୍ଣ୍ଣ କ୍ଷୟକ୍ଷତି ଆକଳନ କରାଯାଇନାହିଁ। ରବିବାର ଅପରାହ୍ନରେ ମଧ୍ୟ ମିଜୋରାମରେ ୫.୧ ତୀବ୍ରତାର ଭୂକମ୍ପ ହୋଇଥିଲା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭୂକମ୍ପ କ୍ଷୟକ୍ଷତି ସମ୍ପର୍କରେ ମିଜୋରାମ ମୁଖ୍ୟମନ୍ତ୍ରୀ ଜୋରାମଥାଙ୍ଗାଙ୍କ ସହ କଥା ହୋଇଛନ୍ତି। କେନ୍ଦ୍ର ସରକାର ସମସ୍ତ ସମ୍ଭାବ୍ୟ ସହାୟତା ଯୋଗାଇଦେବେ ବୋଲି ମୋଦି ଟୁଇଟ୍‌ କରିଛନ୍ତି।

Share