ଦେଶର ରାଜଧାନୀ ଦିଲ୍ଲୀ ଭୂକମ୍ପ ଜୋନ୍ରେ ରହିଛି। ଏଠାରେ ଗତ ୨ ମାସ ମଧ୍ୟରେ ୧୫ଥର କମ୍ ତୀବ୍ରତାଯୁକ୍ତ ଭୂକମ୍ପ ହୋଇସାରିଛି। ଏବେ ଏହାକୁ ନେଇ ବିଶେଷଜ୍ଞଙ୍କ ଚିନ୍ତା ବଢ଼ିଛି। ସୋମବାର ଏଠାରେ ୨.୧ ତୀବ୍ରତାଯୁକ୍ତ ଭୂକମ୍ପ ହୋଇଛି। ଏହାର କେନ୍ଦ୍ର ହରିୟାଣାର ଗୁରୁଗ୍ରାମ୍ ଥିଲା ବୋଲି ଭୂଗବେଷଣା କେନ୍ଦ୍ର ପକ୍ଷରୁ କୁହାଯାଇଛି। ରାଜଧାନୀରେ ଆଗାମୀ ଦିନରେ ଅଧିକ ତୀବ୍ରତାଯୁକ୍ତ ଭୂକମ୍ପ ହେବାର ଆଶଙ୍କା ରହିଥିବା ବିଶେଷଜ୍ଞ ଆଶଙ୍କା କରୁଛନ୍ତି। ଏଠାକାର ୮୦ ପ୍ରତିଶତରୁ କୋଠା ଅସୁରକ୍ଷିତ ବୋଲି କୁହାଯାଉଛି। ଦିଲ୍ଲୀର ୬୦ ପ୍ରତିଶତ ଅଞ୍ଚଳରେ କୋଠା ନିର୍ମାଣ ସମୟରେ ସରକାରୀ ମାର୍ଗଦର୍ଶିକାକୁ ଉଲ୍ଲଂଘନ କରାଯାଇଛି। ଭବିଷ୍ୟତରେ ଅଧିକ ତୀବ୍ରତାଯୁକ୍ତ ଭୂକମ୍ପ ହେଲେ ଏସବୁ କୋଠା ଏହାକୁ ସହ୍ୟ କରିବାକୁ ସକ୍ଷମ ହେବ ନାହିଁ ବୋଲି ଭାରତୀୟ ପାଣିପାଗ ବିଭାଗର ସେସମୋଲୋଜି ଆଣ୍ଡ ଆର୍ଥକ୍ୱାକ୍ ଇଭାଲ୍ୟୁଶନ ସେଣ୍ଟର ପକ୍ଷରୁ ଏ.କେ. ଶୁକ୍ଳା ସୂଚନା ଦେଇଛନ୍ତି। ୧୭୨୦ରେ ଦିଲ୍ଲୀରେ ୬.୫ ତୀବ୍ରତାଯୁକ୍ତ ଭୂକମ୍ପ ହୋଇଥିଲା। ସେହିପରି ୧୯୫୬ରେ ୬.୭ ତୀବ୍ରତାଯୁକ୍ତ ଭୂକମ୍ପ ବୁଲନ୍ଦସହର ନିକଟରେ ହୋଇଥିଲା। ଦିଲ୍ଲୀ ନିକଟରେ ବହୁ ଫଲ୍ଟଲାଇନ୍ ରହିଥିବା ଭୂକମ୍ପ ବିଶେଷଜ୍ଞ ସୂଚନା ଦେଇଛନ୍ତି। ଫଲ୍ଟ ଲାଇନ୍ରେ ଥିବା ବୃହତାକାୟ ପଥର ଚଟାଣ ଚଳପ୍ରଚଳ ହେଲେ ପ୍ଲେଟୋଟେକନିନ୍ସ୍ ଅନୁସାରେ ଭୂପୃଷ୍ଠ ଥରିବାକୁ ଲାଗିଥାଏ। ମଥୁରା, ମୋରାଦାବାଦ୍ ଏବଂ ଶୋନହାଠାରେ ଏଭଳି ଫଲ୍ଟ ଲାଇନ୍ ରହିଥିବା କୁହାଯାଉଛି। ଏପ୍ରିଲ୍ ୧୨ରୁ ଜୁନ୍ ୮ ମଧ୍ୟରେ ଦିଲ୍ଲୀ ୧୫ ଥର ଥରିଛି। ମେ ୨୯ରେ ରୋହତକ୍ଠାରେ ହୋଇଥିବା ଭୂକମ୍ପର ତୀବ୍ରତା ରିକ୍ଟର ସ୍କେଲରେ ୪.୫ ଥିଲା। ଗତ ୨ ମାସ ମଧ୍ୟରେ ୪.୫ଠାରୁ ଅଧିକ ତୀବ୍ରତାଯୁକ୍ତ ଭୂକମ୍ପ ଦିଲ୍ଲୀରେ ହୋଇନାହିଁ। ତେବେ ଏହାଠାରୁ ଅଧିକ ତୀବ୍ରତାଯୁକ୍ତ ଭୂକମ୍ପ ହେଲେ ଦିଲ୍ଲୀରେ କ୍ଷୟକ୍ଷତି ଆଶଙ୍କାକୁ ଏଡ଼ାଇ ଦେଇ ହେବ ନାହିଁ ବୋଲି ବେଙ୍ଗାଲୁରର ଜବାହରଲାଲ ନେହେରୁ ସେଣ୍ଟର ଫର୍ ଆଡଭାନ୍ସଡ୍ ସାଇଣ୍ଟିଫିକ୍ ରିସର୍ଚ୍ଚର ଜିଓଡାଇନାମିକ୍ସ୍ ପ୍ରଫେସର ସି.ପି. ରାଜେନ୍ଦ୍ରନ କହିଛନ୍ତି। ଦିଲ୍ଲୀର ୩୦ ପ୍ରତିଶତ ଅଞ୍ଚଳ ଭୂକମ୍ପ ଜୋନ୍-୫ରେ ରହିଛି। ଅବଶିଷ୍ଟ ଅଞ୍ଚଳ ଭୂକମ୍ପ ଜୋନ୍-୪ରେ ଥିବା ସେ କହିଛନ୍ତି। ଏପରିସ୍ଥଳେ ଯଦି ୬.୦ ଅବା ୬.୫ ତୀବ୍ରତାଯୁକ୍ତ ଭୂକମ୍ପ ଆସେ ତେବେ ଦିଲ୍ଲୀରେ ସଙ୍କଟ ସୃଷ୍ଟି ହେବାର ଆଶଙ୍କା ରହିଛି। ଏସବୁ କମ୍ ତୀବତ୍ରାଯୁକ୍ତ ଭୂକମ୍ପ ଭବିଷ୍ୟତରେ ହେବାକୁ ଥିବା ବଡ଼ ଧରଣର ପ୍ରାକୃତିକ ବିପର୍ଯ୍ୟୟର ସୂଚନା ଆଶଙ୍କାକୁ ବହୁଗୁଣା ବଢ଼ାଇ ଦେଇଥିବା ସେ କହିଛନ୍ତି।