Categories: ରାଜ୍ୟ

ଭୂତମୁଣ୍ଡାଇରେ ଟ୍ରକ୍‌ ଟର୍ମିନାଲ ନିର୍ମାଣକୁ ବିରୋଧ

କୁଜଙ୍ଗ,୨୯ା୬(ସ୍ବ.ପ୍ର.): କୁଜଙ୍ଗ ବ୍ଲକ ଭୂତମୁଣ୍ଡାଇ ପଞ୍ଚାୟତ ନିକଟବର୍ତ୍ତୀ ଜାତୀୟ ରାଜପଥ ପାର୍ଶ୍ୱରେ ପାରାଦୀପ ବନ୍ଦର କର୍ତ୍ତୃପକ୍ଷଙ୍କ ପକ୍ଷରୁ ନିର୍ମାଣ ହେବାକୁ ଥିବା ଟ୍ରକ ଟର୍ମିନାଲକୁ ବିରୋଧ କରି ଆଞ୍ଚଳିକ ସୁରକ୍ଷା ସମିତି ପକ୍ଷରୁ ଶୁକ୍ରବାର ଧାରଣା ଦିଆଯାଇଛି। ଏହି ଟର୍ମିନାଲ ନିର୍ମାଣ ପାଇଁ ଶୁକ୍ରବାର ଶିଳାନ୍ୟାସ ହେବାର ଥିବାବେଳେ ଧାରଣା ଯୋଗୁ ତାହା ବାତିଲ କରାଯାଇଥିବା କୁହାଯାଉଛି। ଏହି ସ୍ଥାନରେ ସୁପର ସ୍ପେଶିଆଲିଟି ହସ୍ପିଟାଲ ନିର୍ମାଣ ପାଇଁ ଆଞ୍ଚଳିକ ସୁରକ୍ଷା ସମିତି ପକ୍ଷରୁ ଦୀର୍ଘଦିନ ଧରି ଦାବି ହୋଇଆସୁଛି। ମାତ୍ର ଏଥିପ୍ରତି ଦୃଷ୍ଟି ଦିଆ ନ ଯାଇ ଟ୍ରକ୍‌ ଟର୍ମିନାଲ ନିର୍ମାଣ କରାଯାଉଥିବାରୁ ଜନ ଅସନ୍ତୋଷ ତେଜିବାରେ ଲାଗିଛି। ପ୍ରକାଶ ଯେ, ଗତ ଏକ ବର୍ଷ ହେଲା କୁଜଙ୍ଗ ଓ ପାରାଦୀପ ଅଞ୍ଚଳର ଜନସାଧାରଣଙ୍କୁ ଉନ୍ନତମାନର ସ୍ବାସ୍ଥ୍ୟସେବା ଯୋଗାଇଦେବା ଦାବିରେ ଭୂତମୁଣ୍ଡାଇଠାରେ ଏକ ସୁପର ସ୍ପେଶିଆଲିଟି ହସ୍ପିଟାଲ ନିର୍ମାଣ କରିବାକୁ ଆଞ୍ଚଳିକ ସୁରକ୍ଷା ସମିତି ଆନ୍ଦୋଳନ ଚଳାଇ ଆସୁଛି। ଏନେଇ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ନିକଟରେ ଦାବି ଉପସ୍ଥାପନ କରାଯାଇଛି। ମାତ୍ର ଏହି ସ୍ଥାନରେ ପାରାଦୀପ ବନ୍ଦର ପକ୍ଷରୁ ଟ୍ରକ ରହଣୀ ପାଇଁ ଟର୍ମିନାଲ ନିର୍ମାଣ କରିବାକୁ ଟେଣ୍ଡର କରାଯାଇଛି। ଏହାକୁ ଆରମ୍ଭରୁ ଆଞ୍ଚଳିକ ସୁରକ୍ଷା ସମିତି ବିରୋଧ କରିଆସୁଛି। ତେବେ ନିର୍ମାଣ ପାଇଁ କାର୍ଯ୍ୟାଦେଶ ପାଇଥିବା ଠିକା ସଂସ୍ଥା ପକ୍ଷରୁ ଶୁଭ ଦିଆଯିବାକୁ ଥିବା ସୂଚନା ପାଇ ସମିତି ବିରୋଧ ପ୍ରଦର୍ଶନ କରିଛି। ସମିତିର ବରିଷ୍ଠ ସଭ୍ୟ ପୂର୍ବତନ ସରପଞ୍ଚ ସଞ୍ଜୟ କୁମାର ସ୍ବାଇଁ, ସ୍ଥାନୀୟ ସରପଞ୍ଚ ଜ୍ୟୋତିର୍ମୟୀ ସ୍ବାଇଁ, ଦେବବାଳା ମହାପାତ୍ର, ମିନର୍ଭା ପରିଡ଼ା, ପ୍ରମୋଦ କୁମାର ସ୍ବାଇଁ, ପ୍ରଶାନ୍ତ ଚୌଧୁରୀ, ରବୀନ୍ଦ୍ର ସ୍ବାଇଁ ପ୍ରମୁଖ ଧାରଣାରେ ବସିଥିଲେ। ଆସନ୍ତା ଦିନରେ ଟ୍ରକ ଟର୍ମିନାଲ ନିର୍ମାଣକୁ ତୀବ୍ର ବିରୋଧ କରାଯିବା ସହିତ ସୁପର ସ୍ପେଶିଆଲିଟି ହସ୍ପିଟାଲ ନିର୍ମାଣ ଦାବିରେ ଆନ୍ଦୋଳନ କରାଯିବ ବୋଲି ସମିତିର ସଭାପତି ରଘୁନାଥ ସାହୁ ପ୍ରକାଶ କରିଛନ୍ତି।

Share