
ଭୁବନେଶ୍ୱର,୬ା୪: ବିଜେଡିର ବରିଷ୍ଠ ନେତା ଭୂପିନ୍ଦର ସିଂ ଏକ ବିସ୍ଫୋରକ ବୟାନ ଦେଇଛନ୍ତି। ଯାହାକୁ ନେଇ ଏବେ ଖୁବ୍ ଚର୍ଚ୍ଚା। ଓକ୍ଫ ବିଲ୍କୁ ବିଜେଡି ଏମ୍ପି ସସ୍ମିତ ପାତ୍ର ସମର୍ଥନ କରିବା ପରେ ସେ ଏପରି ବୟାନ ଦେବା ରାଜନୈତିକ ମହଲରେ ଚର୍ଚ୍ଚାର ଖୋରାକ ଯୋଗାଇଛି।
ସେ ଆହୁରି ମଧ୍ୟ କହିଛନ୍ତି, ଏକା ସସ୍ମିତ ନହନ୍ତି, ଏଥିରେ ଏକାଧିକ ବ୍ୟକ୍ତି ସମ୍ପୃକ୍ତ ଅଛନ୍ତି। ବର୍ତ୍ତମାନ କାଳବୈଶାଖୀ ଚାଲିଛି, ପବନର ବେଗ ଅଧିକ ରହିଛି। ଏଥିରେ ଦଳ ଯେ, କ୍ଷତି ସହିବନି ତାହାକୁ ଆମେ ଅସ୍ବୀକାର କରିବା ନାହିଁ। ଉକ୍ତ ଘଟଣାର ଅନୁଧ୍ୟାନ କରାଯିବ। କୌଣସି ବ୍ୟକ୍ତିଙ୍କର ସାହସ ନାହିଁ ଯେ, କି ଦଳର ନିଷ୍ପତ୍ତି ବଦଳାଇ ଦେଇପାରିବେ। ତେବେ ଭୂପିନ୍ଦରଙ୍କ ଏପରି ବୟାନ କେଉଁମାନଙ୍କୁ ତାହା ବୁଝାପଡୁନାହିଁ।
ଅନ୍ୟପକ୍ଷରେ ସସ୍ମିତଙ୍କ ବିରୋଧରେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ ଚିଠି ଲେଖିଛନ୍ତି ପ୍ରତାପ ଜେନା। ଚିଠିରେ ସେ ସସ୍ମିତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିଛନ୍ତି। ଏଥିରେ ସେ ଆହୁରି ଲେଖିଛନ୍ତି ଯେ, ସୋସିଆଲ ମିଡିଆରେ ସସ୍ମିତଙ୍କ ଦଳ ବିରୋଧୀ କାର୍ଯ୍ୟ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ଏହା ଦଳ ବିରୋଧରେ ବଡ଼ ଷଡ଼ଯନ୍ତ୍ର। କିଏ ଏହି ଷଡ଼ଯନ୍ତ୍ର ରଚିଛନ୍ତି ତାହା ଅନୁଧ୍ୟାନ କରାଯିବା ଉଚିତ ବୋଲି ପ୍ରତାପ କହିଛନ୍ତି।