ଭୂମିର ସୁରକ୍ଷା

ଡ. ଜୟକୃଷ୍ଣ ପାଣିଗ୍ରାହୀ

ବିଶ୍ୱ ଦୃଶ୍ୟପଟରେ ସମ୍ପ୍ରତି ବହୁ ପରିବେଶୀୟ ସମସ୍ୟା ଆହ୍ବାନକାରୀ ପାଲଟି ଥିଲାବେଳେ ଜାତିସଂଘ ଯେଉଁ ନିର୍ଦ୍ଦିଷ୍ଟ ପ୍ରସଙ୍ଗକୁ ଚଳିତବର୍ଷ ବିଶ୍ୱ ପରିବେଶ ଦିବସ ପାଳନର ବିଷୟବସ୍ତୁ ରୂପେ ନିର୍ଦ୍ଧାରଣ କରିଛି, ତାହାହେଲା ଭୂମି ପୁନରୁଦ୍ଧାର, ମରୁଭୂମୀକରଣ ଏବଂ ମରୁଡ଼ିର ପ୍ରତିରୋଧ’I ଏହି କାର୍ଯ୍ୟକ୍ରମର ସ୍ଲୋଗାନ୍‌ ରହିଛି, ଆମ ଭୂମି, ଆମ ଭବିଷ୍ୟତ। ଆମେ #ପିଢ଼ି ପୁନରୁଦ୍ଧାର।’ ଜାତିସଂଘ ଦ୍ୱାରା ୧୯୭୨ରେ ମାନବ ପରିବେଶ ଉପରେ ଅନୁଷ୍ଠିତ ଷ୍ଟକ୍‌ହୋମ ସମ୍ମିଳନୀ ଅବସରରେ ପରିବେଶ ଦିବସ ପାଳନ ନିଷ୍ପତ୍ତି ଗୃହୀତ ଏବଂ ୧୯୭୩ରେ ହିଁ ଏହା ପ୍ରଥମେ କେବଳ ଗୋଟିଏ ପୃଥିବୀ’ ପ୍ରସଙ୍ଗ ଉପରେ ପାଳିତ ହୋଇଥିଲା। ପରିବେଶ ସୁରକ୍ଷା ଅଭିପ୍ରାୟରେ ପ୍ରତିବର୍ଷ ଜାତିସଂଘ ଏକ ଗୁରୁତ୍ୱପୂର୍ଣ୍ଣ ବିଷୟବସ୍ତୁକୁ ଚୟନ କରେ ଏବଂ ବିଶ୍ୱସ୍ତରୀୟ ଏହି ପ୍ଲାଟ୍‌ଫର୍ମ ମାଧ୍ୟମରେ ଏ ଦିଗରେ ଜନସଚେତନତା ବୃଦ୍ଧି ଏବଂ କାର୍ଯ୍ୟକ୍ରମ ଗ୍ରହଣ ନିମନ୍ତେ ପ୍ରୟାସ ଜାରି ରହେ। ଭୂମିର ଦାୟିତ୍ୱହୀନ ବ୍ୟବହାର ଦ୍ୱାରା ମାନବ ପରିବେଶ ଓ ପ୍ରାକୃତିକ ପରିସଂସ୍ଥା କିପରି ବ୍ୟାପକ ଅବକ୍ଷୟର ସମ୍ମୁଖୀନ ହେଉଛି, ତାହା ଉପରେ ବିଶଦ ପର୍ଯ୍ୟାଲୋଚନା କରି ପ୍ରତିକାରାତ୍ମକ କାର୍ଯ୍ୟପନ୍ଥା ଅବଲମ୍ବନ କରିବା ହେଉଛି ଚଳିତବର୍ଷ ପରିବେଶ ଦିବସ ପାଳନର ମୁଖ୍ୟ ଉଦ୍ଦେଶ୍ୟ। ବିବିଧ ନକାରାତ୍ମକ ମାନବୀୟ ପ୍ରକ୍ରିୟାରେ ପୃଥିବୀର କୋଟି କୋଟି ହେକ୍ଟର ଜମି ଏବେ ଅବନତିର ଶିକାର ହେଉଛି, ଯାହାର ପରିଣାମରେ ଜମିର ଉତ୍ପାଦକତା ଶକ୍ତି ହ୍ରାସ ପାଉଛି। ଜାତିସଂଘ ତଥ୍ୟ ସୂଚାଉଛି ଯେ, ପୃଥିବୀର ପ୍ରାୟ ଅର୍ଦ୍ଧେକ ଲୋକ ଏହି ପ୍ରକ୍ରିୟାରେ ପ୍ରଭାବିତ ହେଉଛନ୍ତି ଏବଂ ବିଶ୍ୱ ଆୟ (ଜିଡିପି)ର ଅଧା ବିପଦଗ୍ରସ୍ତ ହେଉଛି। ପରିତାପର ବିଷୟ ହେଉଛି, ମାନବ-ସୃଷ୍ଟ ଏହି ପରିବେଶୀୟ ସମସ୍ୟାରେ ଗ୍ରାମୀଣ ସମ୍ପ୍ରଦାୟ, କ୍ଷୁଦ୍ରଚାଷୀ ଏବଂ ଅତିରିକ୍ତ ଗରିବ ଶ୍ରେଣୀର ଲୋକ ସର୍ବାଧିକ କ୍ଷତିଗ୍ରସ୍ତ ହେଉଛନ୍ତି।
ଭୂମିର ଅବନତି, ଜମିର ମରୁଭୂମୀକରଣ ଏବଂ ମରୁଡ଼ିର ପ୍ରକୋପରେ ବୃଦ୍ଧି ଘଟିବା, ଏ ସମସ୍ତ ପ୍ରକ୍ରିୟା ସମ୍ମିଳିତ ଭାବେ ପ୍ରକୃତି ଓ ପରିବେଶ ଉପରେ ଯଥେଷ୍ଟ କୁପ୍ରଭାବ ବିସ୍ତାର କରୁଛନ୍ତି, ଯାହା କ୍ରମଶଃ ଅଧିକ କ୍ଷତିସାଧନର କାରକ ପାଲଟୁଛନ୍ତି। ଭୂମି ଉପରେ ମଣିଷର ନିର୍ଭରଶୀଳତା କ୍ରମେ ବୃଦ୍ଧିପ୍ରାପ୍ତ ହେଉଛି, ଯାହା କୃଷି ଉତ୍ପାଦନ, ଜଙ୍ଗଲ ସମ୍ପଦର ବିନିଯୋଗ, ଖଣି ଉତ୍ତୋଳନ, ବାସଗୃହ ଏବଂ ରାସ୍ତାଘାଟ ନିର୍ମାଣ ଏବଂ ଶିଳ୍ପ ପ୍ରତିଷ୍ଠା ସହିତ ଅନ୍ୟାନ୍ୟ ବହୁ ବିକାଶମୂଳକ କାର୍ଯ୍ୟ ସମ୍ପାଦନ ଉଦ୍ଦେଶ୍ୟରେ ବ୍ୟବହୃତ ହେଉଛି। ଭୌତିକ ଉପାଦାନ, ଯେପରି କି ସ୍ଥଳଭାଗର ଆକୃତି, ମୃତ୍ତିକାର ପ୍ରକାର, ଖଣିଜ ପଦାର୍ଥ, ସ୍ଥାନୀୟ ଜଳବାୟୁ ଏବଂ ଜଳର ଉପଲବ୍ଧତା ଜମିର ବ୍ୟବହାରକୁ ପ୍ରଭାବିତ କରିଥାଏ। ଏହା ବିଭିନ୍ନ ପ୍ରକାରର ଉଦ୍ଭିଦ, ଜୀବଜନ୍ତୁ ଏବଂ ଅଣୁଜୀବମାନଙ୍କର ଅଭିବୃଦ୍ଧି ହାସଲ ନିମନ୍ତେ ଜୀବନ ଧାରଣର ଏକ ମାଧ୍ୟମ ରୂପେ କାର୍ଯ୍ୟ କରିବା ସହିତ ବହୁ ଜୀବଜାତିଙ୍କୁ ଜୀବନଯାପନ ପାଇଁ ଏକ ଉତ୍ତମ ବାସସ୍ଥଳୀ ପ୍ରଦାନକରେ। ଅଙ୍ଗାରକ ଚକ୍ର, ଯବକ୍ଷାରଜାନ ଚକ୍ର, ଅମ୍ଳଜାନ ଚକ୍ର ଏବଂ ଅନ୍ୟ ଜୈବ-ଭୂମି-ରାସାୟନିକ ଚକ୍ର ତଥା ଜଳଚକ୍ର ସହ ଜଡ଼ିତ ହୋଇ ଭୂମି ପୃଥିବୀର ଜଳବାୟୁ ଓ ଜୀବନ ପ୍ରଣାଳୀରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରେ। ବିଶେଷତଃ, ଏକ ଉତ୍ତମ ଅଙ୍ଗାରକ କୁଣ୍ଡ ରୂପେ ଏହା ବାୟୁମଣ୍ଡଳରେ ଅଙ୍ଗାରକାମ୍ଳ ବୃଦ୍ଧିଜନିତ ତାପମାତ୍ରା ବର୍ଦ୍ଧନକୁ ନିୟନ୍ତ୍ରଣ କରେ। ବର୍ତ୍ତମାନ ଜଳବାୟୁ ସମସ୍ୟାର ଉତ୍ସ ପାଲଟିଥିବା କୋଇଲା, ପେଟ୍ରୋଲିୟମ ଏବଂ ପ୍ରାକୃତିକ ବାଷ୍ପ ପରି ଜୀବାଶ୍ମ ଇନ୍ଧନ ତଥା ଭୂତଳ ଜଳର ଏହା ହେଉଛି ମୁଖ୍ୟ ଉପଲବ୍ଧି ଭଣ୍ଡାର। ତେବେ ପରିବର୍ତ୍ତିତ ପରିସ୍ଥିତିରେ ଆଜି ବହୁ ମନୁଷ୍ୟକୃତ ଏବଂ କେତେକ ପ୍ରାକୃତିକ ପ୍ରକ୍ରିୟାର ପରିଣାମରେ ଜମିର କ୍ରମବର୍ଦ୍ଧମାନ ଅବକ୍ଷୟ ଏବଂ ମରୁ ଅଞ୍ଚଳର ସୃଷ୍ଟି ଏକ ବ୍ୟାପକ ଘଟଣା ରୂପେ ପରିଦୃଷ୍ଟ ହେଲାଣି। ଜଳବାୟୁ ସଙ୍କଟ ପରିପ୍ରେକ୍ଷୀରେ ବୃଦ୍ଧି ପାଉଥିବା ମରୁଡ଼ି ଘଟଣା ଏହି ସମସ୍ୟାକୁ ଅଧିକ ଗମ୍ଭୀର କରୁଛି।
ଏସବୁ ପ୍ରକ୍ରିୟାରେ ଜମି କ୍ରମଶଃ ଶୁଷ୍କ ଓ ବାଞ୍ଚଳକୁ ପରିବର୍ତ୍ତିତ ହୋଇ କୃଷି ଉତ୍ପାଦନ ନିମନ୍ତେ ସମ୍ପୂର୍ଣ୍ଣ କିମ୍ବା ଆଂଶିକ ରୂପେ ଏବଂ ମାନବ ବସତି ନିମନ୍ତେ କିଛିମାତ୍ରାରେ ଅନୁପଯୁକ୍ତ ହେଉଛି, କାରଣ ଭୂମିର ଗୁଣାତ୍ମକ ଅବନତି ସହିତ ଜଳ ଉପଲବ୍ଧିରେ ମଧ୍ୟ ହ୍ରାସ ଘଟୁଛି। ଏଥିରେ ବିଶେଷ ରୂପେ ସହାୟକ ହେଉଛି ଭୂଦୃଶ୍ୟରେ ବ୍ୟାପକ ପରିବର୍ତ୍ତନ, ଜମିର ତ୍ରୁଟିପୂର୍ଣ୍ଣ ବ୍ୟବହାର, ଜଙ୍ଗଲ ଧ୍ବଂସ, ବନାଗ୍ନି ଘଟଣା, ପୋଡୁଚାଷ, ବୃକ୍ଷ ଆଚ୍ଛାଦିତ ଅଞ୍ଚଳର ହ୍ରାସ, ମାତ୍ରାଧିକ ଇନ୍ଧନକାଠ ଓ ଗୋଖାଦ୍ୟ ବୃକ୍ଷଲତାର ସଂଗ୍ରହ, ଜଙ୍ଗଲାଞ୍ଚଳରେ ଅନୁପ୍ରବେଶ, ଅତ୍ୟଧିକ ଚାରଣଜନିତ ଚାପ ଏବଂ ବିଶେଷରୂପେ ମରୁଡ଼ି ପରି ଚରମ ପାଣିପାଗ ସମ୍ପର୍କିତ ଦୁର୍ବିପାକ। ବିବିଧ ବିକାଶମୂଳକ କାର୍ଯ୍ୟକ୍ରମର ବର୍ଦ୍ଧିତ ଚାପ, ମୃତ୍ତିକାର ପ୍ରଦୂଷଣ ଓ ପର୍ଯ୍ୟାପ୍ତ ସଂରକ୍ଷଣ ପଦକ୍ଷେପ ଗ୍ରହଣର ଅଭାବ ଏବଂ ସବୁଜ ଗୃହ ବାଷ୍ପ ନିର୍ଗମନ ପରି କାର୍ଯ୍ୟକଳାପ ଭୂମିର ଅବନତିକୁ ତ୍ୱରାନ୍ବିତ କରୁଛି। ବିଶେଷରୂପେ, ମୃତ୍ତିକା ଉପରୁ ପ୍ରାକୃତିକ ସବୁଜ ଆବରଣର ଅପସାରଣ, ଶୁଷ୍କ ଓ ଅର୍ଦ୍ଧ-ଶୁଷ୍କ ଦୁର୍ବଳ ପରିସଂସ୍ଥାରେ ଚାପ ସୃଷ୍ଟିକାରୀ ତୀବ୍ରତର କୃଷିକାର୍ଯ୍ୟ ଏବଂ ଜଳବାୟୁ ପରିବର୍ତ୍ତନ ପ୍ରଭାବରେ ମରୁ ଅଞ୍ଚଳ ସୃଷ୍ଟ ସହଜସାଧ୍ୟ ହେଉଛି। ବର୍ଷାର ସ୍ବଳ୍ପତା ଏବଂ ଗୁରୁତର ଜଳାଭାବ ସହିତ ଉଚ୍ଚ ତାପମାତ୍ରା ବା ଗ୍ରୀଷ୍ମପ୍ରବାହ ପରିସ୍ଥିତି ମରୁଡ଼ିର ତୀବ୍ରତାକୁ ବୃଦ୍ଧି କରୁଛି, ଯାହା ପ୍ରକାରାନ୍ତରେ ଭୂମି ଅବକ୍ଷୟର କାରଣ ହେଉଛି।
ଜଳସ୍ରୋତ ଦ୍ୱାରା ଭୂମିରୁ ମୃତ୍ତିକାର ଅପସାରଣ ଏବଂ ଅବକ୍ଷୟିତ ମୃତ୍ତିକାର ନଦୀନାଳ ମଧ୍ୟକୁ ପରିବାହିତ ହେବା ଯେତିକି କ୍ଷତି ସାଧନ କରେ, ଏହାଦ୍ୱାରା ଉପର ମୃତ୍ତିକାର ଉର୍ବରତାରେ ଅବନତି ଉତ୍ପାଦନ ବା ଫସଲ ଅମଳ ଉପରେ ସେତିକି ନକାରାତ୍ମକ ପ୍ରଭାବ ବିସ୍ତାର କରେ। ଏହି ପରିପ୍ରେକ୍ଷୀରେ ଜାତିସଂଘ ଘୋଷିତ ପରିସଂସ୍ଥା ପୁନରୁଦ୍ଧାର ଦଶନ୍ଧି’ (୨୦୨୧-୨୦୩୦)ର ନିଷ୍ଠାର ସହ କାର୍ଯ୍ୟକାରିତା ଯଥେଷ୍ଟ ଗୁରୁତ୍ୱ ବହନ କରେ, ଯାହା ଭୂମିର ଗୁଣାତ୍ମକ ଉନ୍ନତି ଏବଂ ଉପାଦେୟତାକୁ ସମୃଦ୍ଧି ପ୍ରଦାନ କରିବ। ଭୂମି ପୁନରୁଦ୍ଧାର କାର୍ଯ୍ୟରେ ସଫଳତା ଜୀବିକାରେ ବୃଦ୍ଧି ଘଟାଏ, ଦାରିଦ୍ର୍ୟ ହ୍ରାସ କରେ, ପ୍ରକୃତିରୁ ଦ୍ରବ୍ୟ ଓ ସେବା ପ୍ରଦାନର ପ୍ରବାହକୁ ଜାରି ରଖେ ଏବଂ ଜଳବାୟୁ ପରିବର୍ତ୍ତନ ଜନିତ ଅତ୍ୟଧିକ ବିପର୍ଯ୍ୟୟକୁ ପ୍ରତିରୋଧ କରେ। ଜାତିସଙ୍ଘ ତଥ୍ୟ ପ୍ରକାଶ କରେ ଯେ ପୁନରୁଦ୍ଧାରରେ ବିନିଯୋଗ ହୋଇଥିବା ପ୍ରତ୍ୟେକ ଡଲାର, ପରିସଂସ୍ଥୀୟ ସେବା ପ୍ରଦାନ ମାଧ୍ୟମରେ ୩୦ ଡଲାର ପର୍ଯ୍ୟନ୍ତ ମୂଲ୍ୟ ରହିତ ସାଧନ କରିପାରେ।
ଏପରି ପୃଷ୍ଠଭୂମିରେ ବିଶ୍ୱର ଭୂଦୃଶ୍ୟକୁ ନକାରାତ୍ମକ ଭାବେ ପ୍ରଭାବିତ କରୁଥିବା ଭୂମିର ଅବକ୍ଷୟ ଏବଂ ମରୁଭୂମୀକରଣ ପ୍ରକ୍ରିୟା ବିଷୟରେ ଏକ ଉତ୍ତମ ବ୍ୟାବହାରିକ ଏବଂ ତତ୍ତ୍ୱଗତ ବୁଝାମଣା ହାସଲର ଆବଶ୍ୟକତା ରହିଛି। ଏହାକୁ ଦୃଷ୍ଟିରେ ରଖି ସାଉଦି ଆରବର ରିୟାଦ୍‌ରେ ଅନୁଷ୍ଠିତ ହେଉଥିବା ୨୦୨୪ ମସିହା ପରିବେଶ ଦିବସର ବିଶ୍ୱସ୍ତରୀୟ ମୁଖ୍ୟ ସମାରୋହର ଏହି ଆୟୋଜକ ରାଷ୍ଟ୍ର ସମାଧାନର ପନ୍ଥା ନିରୂପଣ ତଥା ସଚେତନତା ସୃଷ୍ଟି ଲକ୍ଷ୍ୟରେ ପ୍ରତିବଦ୍ଧତାର ସହ କାର୍ଯ୍ୟରତ ଅଛି। ମରୁ ଅଞ୍ଚଳ, ମୃତ୍ତିକାର ଅବନତି ଏବଂ ମରୁଡ଼ି ପରି ସମସ୍ୟାର ସମ୍ମୁଖୀନ ହେଉଥିବା ଏହି ରାଷ୍ଟ୍ର ସାଉଦି ସବୁଜ ଉଦ୍ୟମ’ ଏବଂ ମଧ୍ୟପ୍ରାଚ୍ୟ ସବୁଜ ଉଦ୍ୟମ’ ପରି ପ୍ରକଳ୍ପ ମାଧ୍ୟମରେ ଜାତୀୟ ତଥା ଆଞ୍ଚଳିକ ସ୍ତରରେ ପ୍ରତିକାରାତ୍ମକ କାର୍ଯ୍ୟ ସମ୍ପାଦନ କରୁଛି, ଯାହାକୁ ଅନ୍ୟ ରାଷ୍ଟ୍ରମାନେ ଅନୁକରଣ କରିବା ଏକାନ୍ତ ପ୍ରୟୋଜନୀୟ। ସମ୍ପ୍ରତି ଜି-୨୦ ଗୋଷ୍ଠୀର ସଭାପତିତ୍ୱ କରୁଥିବା ସାଉଦି ମଧ୍ୟ ବୈଶ୍ୱିକ ଭୂମି ପୁନରୁଦ୍ଧାର ପଦକ୍ଷେପ’ ଯୋଜନାକୁ ଅନ୍ତଃରାଷ୍ଟ୍ରୀୟ ସ୍ତରରେ କାର୍ଯ୍ୟକାରୀ କରୁଛି। ଗୁରୁତ୍ୱପୂର୍ଣ୍ଣ ଘଟଣା ହେଉଛି ଆଗାମୀ ଡିସେମ୍ବରରେ ରିୟାଦ୍‌ରେ ଅନୁଷ୍ଠିତ ହେବାକୁ ଯାଉଛି ମରୁଭୂମି ସୃଷ୍ଟି ବିରୁଦ୍ଧରେ ମୁକାବିଲା ନିମନ୍ତେ ଜାତିସଂଘ ସମ୍ମିଳନୀର ଷୋଡ଼ଶ ଅଧିବେଶନ (କୋପ-୧୬), ଯେଉଁଥିରେ ୧୯୭ ସଦସ୍ୟ ରାଷ୍ଟ୍ରଙ୍କ ମଧ୍ୟରେ ଏହି ପ୍ରସଙ୍ଗରେ ବିସ୍ତୃତ ଆଲୋଚନା ଓ କାର୍ଯ୍ୟକ୍ରମ ଗ୍ରହଣର ସୁଯୋଗ ରହିଛି। ଏପରି ସବୁଜ ପରିବର୍ତ୍ତନ’କୁ ଆଜିର ପିଢ଼ି ଏକ ବିଶ୍ୱବ୍ୟାପୀ ଆନ୍ଦୋଳନରେ ରୂପାନ୍ତରିତ କରି ଭୂମିର ଅବନତିକୁ ପ୍ରତିହତ କରିବା ତଥା ଉତ୍ପାଦକତାରେ ବୃଦ୍ଧି ଘଟାଇବା ଦ୍ୱାରା ହିଁ ସମଗ୍ର ଜୀବଜଗତର ଭବିଷ୍ୟତ ସୁରକ୍ଷା ଦୃଢ଼ୀଭୂତ ହୋଇପାରିବ।
ସମ୍ପାଦକ, ଓଡ଼ିଶା ପରିବେଶ ସମିତି, ଭୁବନେଶ୍ୱର
ମୋ:୯୪୩୭୦୭୬୧୦୦


Enter your email to get our daily news in your inbox.

All Right Reserved By Dharitri.Com

ସଦ୍‌ଗୁରୁ ଓ ସତ୍‌ନାମ

ଆମର ଗୋଟାଏ ଦୋଷ ଯେ, କିଛି ନ ବୁଝି, ମହାପୁରୁଷଙ୍କ ଉପରେ ମୂଳରୁ ଭରଷା କରୁ। ଭଗବତ୍‌ ଶକ୍ତିରେ ଅଲୌକିକ ଭାବରେ ସବୁ ସେ କରିଦେବେ...

ବିଷମୁକ୍ତ ହେବ କି ଭାତହାଣ୍ଡି

ମ୍ପ୍ରତିକ ସମୟକୁ ଲକ୍ଷ୍ୟକଲେ କୃଷି ହିଁ ଆମ ଭବିଷ୍ୟତ ବୋଲି କୁହାଯାଇପାରେ। ଏହି କୃଷି ଆମ ଅର୍ଥନୀତିର ସଂସ୍କାରକ। ଆମ ରାଜ୍ୟରେ ସତୁରି ଭାଗରୁ ଅଧିକ...

ଟ୍ରମ୍ପ୍‌ ଓ କପ୍‌ ସମ୍ମିଳନୀ

ଆମେରିକାର ରାଷ୍ଟ୍ରପତି ନିର୍ବାଚନରେ ଡୋନାଲ୍ଡ ଟ୍ରମ୍ପ୍‌ଙ୍କ ବିଜୟ ବକୁରେ ଅନୁଷ୍ଠିତ ମିଳିତ ଜାତିସଂଘର ଜଳବାୟୁ ପରିବର୍ତ୍ତନ ସମ୍ମିଳନୀ (କପ୍‌୨୯) ଉପରେ କଳାବାଦଲ ଛାଇ ଦେଇଛି। ଏକଥା...

ପୋଷଣୀୟ ମତ୍ସ୍ୟକ୍ଷେତ୍ର

ଶ୍ୱ ଅର୍ଥନୀତି, ପୁଷ୍ଟିକର ଖାଦ୍ୟ, ନିଯୁକ୍ତି ଓ ସର୍ବୋପରି ପରିବେଶ ପ୍ରତି ମତ୍ସ୍ୟ ସମ୍ପଦର ଅବଦାନ ଓ ଏହାର ଗୁରୁତ୍ୱ ନିଦର୍ଶନ ପାଇଁ ବିଶ୍ୱ ମତ୍ସ୍ୟ...

ଦୁର୍ନୀତିର ବଳୟ

ଆଜି ଘରେ, ବାହାରେ, ରାଜ୍ୟରେ, ଦେଶ ଭିତରେ ଓ ଦେଶ ବାହାରେ ‘ଦୁର୍ନୀତି’ ତା’ର କାୟା ବିସ୍ତାର କରି ଚାଲିଛି। ଏହାକୁ ରୋକିବା ପାଇଁ ଶପଥ...

ସଂସ୍କୃତି ବିନିମୟର ସମୃଦ୍ଧ ଇତିହାସ

ସ୍ଥଳ ଓ ଜଳପଥ ଦେଇ ସମଗ୍ର ଉପମହାଦେଶରେ ଭାରତ ଏହାର ସାଂସ୍କୃତିକ ସମ୍ପର୍କ ସ୍ଥାପନ କରିଥିଲା। ସ୍ଥଳଭାଗରେ ଏହା ସମଗ୍ର ହିନ୍ଦୁକୁଶ, ପାରସ୍ୟ (ଆଧୁନିକ ଇରାନ)...

ଏକ ଅନନ୍ୟ ଦୁନିଆ

ପିଲାମାନେ ଆନିମେଶନ ଚଳଚ୍ଚିତ୍ର କିମ୍ବା କାର୍ଟୁନ କାର୍ଯ୍ୟକ୍ରମ ଯଥା ଟମ୍‌ ଏବଂ ଜେରୀ, ମିକି ମାଉସ୍‌, ଚିକୋ ବଣ୍ଟି , ନିଞ୍ଜା ହତୋଡ଼ି, ଅଗି ଆଣ୍ଡ...

ନିଶା ନିଶାଣରେ ନାବାଳକ

ଶାସକ୍ତ ବ୍ୟକ୍ତିମାନେ ସେମାନଙ୍କ କାର୍ଯ୍ୟକଳାପ ଉପରେ ନିୟନ୍ତ୍ରଣ ହରାଇଥାନ୍ତି। ବନ୍ଧୁତ୍ୱକୁ କ୍ଷତି ପହଞ୍ଚାଇବା, ପରିବାରକୁ ଆଘାତ ଦେବା କିମ୍ବା ଚାକିରି ହରାଇବା ଇତ୍ୟାଦି ବିପଦରେ ମଧ୍ୟ...

Advertisement
Dharitri Youth Conclave 2024

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri