ଭୂମିହୀନଙ୍କୁ ଘରଡିହ ଯୋଗାଅ: ମୁଖ୍ୟ ଶାସନ ସଚିବ

ଭୁବନେଶ୍ୱର,୧୮ା୬(ବ୍ୟୁରୋ): ଗ୍ରାମାଞ୍ଚଳରେ ସମସ୍ତ ପରିବାରଙ୍କ କଚ୍ଚାଘରକୁ ପକ୍କାଘରରେ ପରିଣତ କରିବା ଦିଗରେ ଏକ ବଡ଼ ପଦକ୍ଷେପ ସ୍ବରୂପ ଗତ ୫ ବର୍ଷ ମଧ୍ୟରେ ୨୫ଲକ୍ଷ ୧୮ହଜାର ୪ଶହ ୯୭ ପକ୍କାଗୃହ ନିର୍ମାଣ ପୂର୍ଣ୍ଣାଙ୍ଗ ହୋଇଛି। ମୁଖ୍ୟ ଶାସନ ସଚିବ ଅସିତ କୁମାର ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଗ୍ରାମୀଣ ଗୃହ ନିର୍ମାଣ ଯୋଜନା ସମ୍ବନ୍ଧିତ ଏକ ଉଚ୍ଚସ୍ତରୀୟ ବୈଠକରୁ ଏହା ଜଣାପଡ଼ିଛି। ଲୋକସେବା ଭବନଠାରେ ବୁଧବାର ଅନୁଷ୍ଠିତ ବୈଠକରେ ପଞ୍ଚାୟତିରାଜ ଓ ପାନୀୟ ଜଳ ଯୋଗାଣ ପ୍ରମୁଖ ଶାସନ ସଚିବ ଦେଓ ରଞ୍ଜନ କୁମାର ସିଂ ଏ ସମ୍ପର୍କିତ ତଥ୍ୟ ଉପସ୍ଥାପିତ କରିଛନ୍ତି। ଚଳିତ ମାସ ପର୍ଯ୍ୟନ୍ତ ହୋଇଥିବା କାର୍ଯ୍ୟର ଅଗ୍ରଗତି ସମ୍ପର୍କରେ ସମୀକ୍ଷା କରି ଗ୍ରାମୀଣ ଗୃହ ନିର୍ମାଣ ଯୋଜନାର କାର୍ଯ୍ୟାନ୍ବୟନକୁ ଅଧିକ ହିତାଧିକାରୀ କେନ୍ଦ୍ରିକ କରିବା ପାଇଁ ମୁଖ୍ୟ ଶାସନ ସଚିବ ନିର୍ଦ୍ଦେଶ ଦେଇଛନ୍ତି। ପକ୍କାଘର ପାଇବାକୁ ଅପେକ୍ଷାରତ ତାଲିକା ଅନ୍ତର୍ଭୁକ୍ତ ସମସ୍ତ ଭୂମିହୀନ ପରିବାରଙ୍କୁ ଘରଡିହ ଯୋଗାଇବାଲାଗି କୁହାଯାଇଛି। ସେ କହିଛନ୍ତି ଯେ, ଭୂମିହୀନ ପରିବାରଗୁଡ଼ିକ ହିଁ ପ୍ରକୃତରେ ଦରିଦ୍ରତମ। ସେମାନଙ୍କୁ ପକ୍କାଘର ଯୋଗାଣ ଯୋଜନାର ମୌଳିକ ଲକ୍ଷ୍ୟ ହୋଇଥିବାରୁ ସେମାନଙ୍କୁ ଘରଡିହ ଯୋଗାଇବାକୁ ହେବ। ଆବଶ୍ୟକ ପଡ଼ିଲେ ଏଥିଲାଗି ନିୟମରେ ସଂଶୋଧନ ପ୍ରସ୍ତାବ ନିମନ୍ତେ ମୁଖ୍ୟ ଶାସନ ସଚିବ, ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା,ଜଙ୍ଗଲ ଓ ପରିବେଶ ଏବଂ ପଞ୍ଚାୟତିରାଜ ଓ ପାନୀୟ ଜଳ ଯୋଗାଣ ବିଭାଗକୁ ନିର୍ଦ୍ଦେଶ ଦେଇଛନ୍ତି। ଏ ସମ୍ବନ୍ଧୀୟ ତଥ୍ୟ ଉପସ୍ଥାପିତ କରି ସ୍ବତନ୍ତ୍ର ପ୍ରକଳ୍ପ ସମୂହ ନିର୍ଦ୍ଦେଶକ ରାଜେଶ ପ୍ରଭାକର ପାଟିଲ କହିଛନ୍ତି, ଗ୍ରାମୀଣ ଗୃହ ଯୋଗାଣ ପାଇଁ ପ୍ରସ୍ତୁତ କରାଯାଇଥିବା ଅପେକ୍ଷାରତ ତାଲିକାରେ ପ୍ରାୟ ୫୭,୨୫୭ ଭୂମିହୀନ ଅଛନ୍ତି। ସେଥିମଧ୍ୟରୁ ଚଳିତ ମାସ ସୁଦ୍ଧା ୮,୦୬୯ ପରିବାରକୁ ଘରଡିହ ଯୋଗାଇ ଦିଆଯାଇଛି।

Share