‘ଭୂମିହୀନଙ୍କୁ ଜମି ଯୋଗାଇ ଦିଆଯାଉ’

ବାଲେଶ୍ୱର ଅଫିସ,୧୪।୧-ବାଲେଶ୍ୱର ଜିଲା ଚାନ୍ଦିପୁରସ୍ଥିତ ଶ୍ରୀକୋଣା, ହିଡ଼ିଗାଁ ପଞ୍ଚାୟତ ଅଞ୍ଚଳର ଭୂମିହୀନ ଆଦିବାସୀ ଓ ଦଳିତମାନେ ଦୀର୍ଘଦିନ ଧରି ରହିଆସୁଥିବାରୁ ସେମାନଙ୍କୁ ସରକାରଙ୍କ ପକ୍ଷରୁ ଜମି ଯୋଗାଇଦେବା ପ୍ରତିବାଦରେ ସୋମବାର ଭାରତୀୟ କ୍ଷେତ ମଜଦୁର ୟୁନିଅନ ଜିଲା କମିଟି ପକ୍ଷରୁ ଜିଲାପାଳଙ୍କ ଅଫିସ୍‌ ଘେରାଉ କରି ବିକ୍ଷୋଭ ପ୍ରଦର୍ଶନ କରିଥିଲେ।
ସଦର ତହସିଲ ଅଞ୍ଚଳର ବିଶେଷ କରି ଉପକୂଳବର୍ତ୍ତୀ ପଞ୍ଚାୟତ ସମେତ ସହର ଚତୁଃପାର୍ଶ୍ୱ ଗ୍ରାମରେ ଶହ ଶହ ବର୍ଷ ଧରି ରହିଆସୁଥିବା ଭୂମିହୀନ, ଆଦିବାସୀ, ଦଳିତ ଓ ଅନ୍ୟାନ୍ୟ ଗରିବ ଲୋକେ ଘରଡ଼ିହ ଓ ଚାଷ ପାଇଁ ଜମିପଟ୍ଟା ଓ ବାସଗୃହ ଦାବିରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ୨୦୦୯ରୁ ୨୦୧୩ ମଧ୍ୟରେ ସଦର ତହସିଲରେ ଅନ୍ୟୁନ ୫ହଜାର ଭୂମିହୀନ ଜମି ପଟ୍ଟା ପାଇଁ ଆବେଦନ କରିଥିଲେ। ତତ୍କାଳୀନ ତହସିଲଦାର ଏହି ଆବେଦନପତ୍ର ଗ୍ରହଣ କରି ରସିଦ ସବୁ ଦେଇଥିଲେ। ଏହାପରେ ସରଜମିନ ତଦନ୍ତ ମଧ୍ୟ କରିଥିଲେ। ତାଙ୍କ ବଦଳି ପରେ ଭୂମିହୀନଙ୍କୁ ଚିହ୍ନଟ ଓ ପଟ୍ଟା ପ୍ରଦାନ ଅଟକିଗଲା। ଏବେ ଏହି ଭୂମିହୀନମାନେ ରହୁଥିବା ସରକାରୀ ଅଥବା ଜମିଦାର ଜମିରୁ ଚାନ୍ଦିପୁର, ଶ୍ରୀକୋଣା, ହିଡ଼ିଗାଁ ଆଦିି ପଞ୍ଚାୟତରୁ ଚାନ୍ଦିପୁର ଆରଆଇଙ୍କ ସହାୟତାରେ ଉଚ୍ଛେଦ କରିଦିଆଯାଇଛି। ଏପରିକି ଚାନ୍ଦିପୁର ଫକୀରମୋହନ ବିଦ୍ୟାଳୟ ନିକଟରେ ଆଦିବାସୀମାନେ ଗତ ୨୦ବର୍ଷ ଧରି ଯେଉଁଠି ୨୦ରୁ ୨୫ ଟ୍ରକ୍‌ ବାଲି ପୋତି ପଡ଼ିଆ କରି ସଭା ସମିତି ବୈଠକ ଆଦି କରୁଥିଲେ, ସେ ଜମିକୁ ପଞ୍ଚାୟତର ପ୍ରଭାବଶାଳୀ ଲୋକେ ଡୋଜର ଲଗାଇ ଭାଙ୍ଗି ଗାଡ଼ି ଷ୍ଟାଣ୍ଡ ନାମରେ ଜବରଦଖଲ ଉଦ୍ୟମ କରୁଛନ୍ତି। ଏହି ପରିସ୍ଥିତିରେ ଭୂମିହୀନମାନେ ସିପିଆଇ ନେତା ଜୟନ୍ତ ଦାସ, ଭାରତୀୟ କ୍ଷେତ ମଜଦୁର ୟୁନିଅନ୍‌ର ବାଲେଶ୍ୱର ସଦର ବ୍ଲକ ସଭାପତି ଯତୀନ ପାତ୍ର, ସମ୍ପାଦିକା ସୁହାଗୀ ମାଝି, ଜିଲା ସମ୍ପାଦକ ତପନ କୁମାର ସିଟ, ରାମଚନ୍ଦ୍ର ମାଝି, ଉମାକାନ୍ତ ବାହାଦୁର ପ୍ରମୁଖଙ୍କ ନେତୃତ୍ୱରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ପରେ ଏକ ୫ ଜଣିଆ ପ୍ରତିନିଧି ଦଳ ଜିଲାପାଳଙ୍କ ଅନୁପସ୍ଥିତି ହେତୁ ରାଜସ୍ବ ଅଧିକାରୀଙ୍କଠାରେ ଦାବିପତ୍ର ଦାଖଲ କରିଥିଲେ। ଯଦି ୧୫ଦିନ ମଧ୍ୟରେ ଏ ସମସ୍ୟା ସମାଧାନ ନ ହୁଏ ତା’ହେଲେ ବ୍ୟାପକ ଆନ୍ଦୋଳନ ଚେତାବନୀ ଦେଇଛନ୍ତି।

Share