Categories: ବାଣିଜ୍ୟ

ଭୂଷଣ ପାଓ୍ବାରର ପୂର୍ବତନ ସିଏମ୍‌ଡି ଗିରଫ

ନୂଆଦିଲ୍ଲୀ,୨୩-୧୧: ଭୂଷଣ ପାଓ୍ବାର ଏବଂ ଷ୍ଟିଲ ଲିମିଟେଡ(ବିଏସ୍‌ପିଏଲ୍‌)ର ପୂର୍ବତନ ମୁଖ୍ୟ ପରିଚାଳନା ନିର୍ଦ୍ଦେଶକ (ସିଏମ୍‌ଡି) ସଞ୍ଜୟ ସିଂଘଲଙ୍କୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ଶୁକ୍ରବାର ଗିରଫ କରିଛି। ବହୁକୋଟିର ବ୍ୟାଙ୍କ ଋଣ ଠକେଇ ମାମଲାରେ ତାଙ୍କୁ ଗିରଫ କରାଯାଇଥିବା ଇଡି ପକ୍ଷରୁ କୁହାଯାଇଛି। ବେଆଇନ ଅର୍ଥକାରବାର ନିରୋଧ ଆଇନ(ପିଏମ୍‌ଏଲ୍‌ଏ)ରେ ସିଂଙ୍ଗଲ ଗିରଫ ହୋଇଥିବା ବେଳେ ତାଙ୍କୁ ଏହା ପୂର୍ବରୁ କିଛି ଘଣ୍ଟା ଧରି ଜେରା କରାଯାଇଥିଲା। ସେ ତଦନ୍ତ ପ୍ରକ୍ରିୟାରେ ସହାୟତା କରୁ ନ ଥିବା ଜଣାପଡିଛି। ତାଙ୍କୁ ଶନିବାର ସ୍ଥାନୀୟ କୋର୍ଟରେ ହାଜର କରାଯିବ। ତାଙ୍କ ହାଜତ ମିଆଦକୁ ବଢାଯିବାକୁ କୋର୍ଟଙ୍କୁ ନିବେଦନ କରାଯିବ ବୋଲି ଇଡି ଅଧିକାରୀ ପ୍ରକାଶ କରିଛନ୍ତି। ଇଡି ନିକଟରେ ବିପିଏସ୍‌ଏଲ୍‌ର ୪୦୨୫ କୋଟି ଟଙ୍କା ମୂଲ୍ୟର ସମ୍ପତ୍ତି ଜବତ କରିଛି।
କମ୍ପାନୀ ବିରୋଧରେ ଅନୀୟମିତତା ମାମଲାକୁ ନେଇ ସିବିଆଇ ମଧ୍ୟ ତଦନ୍ତ କରୁଛି। ସିବିଆଇ ଏଫ୍‌ଆଇଆର୍‌ ଆଧାରରେ ଇଡି ପକ୍ଷରୁ କମ୍ପାନୀ ବିରୋଧରେ ବେଆଇନ ଅର୍ଥ କାରବାର ମାମଲା ରୁଜୁ କରାଯାଇଥିଲା। ସିଂଘଲଙ୍କ ସମେତ କମ୍ପାନୀ ଅନ୍ୟ ବ୍ୟକ୍ତିବିଶେଷଙ୍କ ବିରୋଧରେ ଦୁର୍ନୀତିର ସଙ୍ଗିନ ଅଭିଯୋଗ ଆସିଛି। ପଞ୍ଜାବ ନ୍ୟାଶନାଲ ବ୍ୟାଙ୍କ, ଓରିଏଣ୍ଟାଲ ବ୍ୟାଙ୍କ ଅଫ୍‌ କମର୍ସ,ଆଇଡିବିଆଇ ବ୍ୟାଙ୍କ ଏବଂ ୟୁକୋ ବ୍ୟାଙ୍କ ଭଳି ରାଷ୍ଟ୍ରାୟତ୍ତ ବ୍ୟାଙ୍କରେ କମ୍ପାନୀର ଋଣ ଆକାଉଣ୍ଟରୁ ନିର୍ଦ୍ଦେଶକ ଏବଂ କର୍ମଚାରୀମାନେ ବେଆଇନ ଭାବେ ୨,୩୪୮ କୋଟି ଟଙ୍କା ହେରଫେର କରିଥିବା ଅଭିଯୋଗ ହୋଇଛି। ଏହି ଅର୍ଥକୁ ବିଭିନ୍ନ ଭୂତ ଆକାଉଣ୍ଟକୁ ପଠାଯାଇଥିବା ଏଫ୍‌ଆଇଆର୍‌ରେ ଉଲ୍ଲେଖ ରହିଛି।

Share