Categories: ବାଣିଜ୍ୟ

ଭୂଷଣ ମାମଲାରେ ୨୮୪ଜଣଙ୍କ ବିରୋଧରେ ଚାର୍ଜଶିଟ୍‌

ନୂଆଦିଲ୍ଲୀ,୧୧-୭: ଭୂଷଣ ଷ୍ଟିଲ ବେଆଇନ୍‌ ଋଣ କାରବାର ମାମଲାରେ ସିରିୟସ ଫ୍ରଡ ଇନଭେଷ୍ଟିଗେଶନ ଅଫିସ(ଏସ୍‌ଏଫ୍‌ଆଇଓ) ପକ୍ଷରୁ ୨୮୪ ବ୍ୟକ୍ତି ଏବଂ ସଂସ୍ଥାଙ୍କ ବିରୋଧରେ ଚାର୍ଜଶିଟ ଦାଏର ହୋଇଛି। ଏହି ମାମଲାରେ ୬୦୦ ବ୍ୟକ୍ତିଙ୍କ ବିରୋଧରେ ଅଭିଯୋଗ ଆସିଥିବା ବେଳେ ମୋଟ ୭୦ ହଜାର ପୃଷ୍ଠାର ଚାର୍ଜଶିଟ ଏସ୍‌ଏଫ୍‌ଆଇଓ ପ୍ରସ୍ତୁତ କରିଛି। ମାମଲାରେ ସବୁ ଅଭିଯୁକ୍ତଙ୍କୁ ଯଦି ଏକାଥରକେ ହାଜର କରାଯାଏ ଏବଂ ବ୍ୟକ୍ତି ପିଛା ୧ ମିନିଟ ସମୟ ନିଆଯାଏ ତେବେ ୪ ଘଣ୍ଟା ୪୫ ମିନିଟରୁ ଅଧିକ ସମୟ ଲାଗିବ ବୋଲି ଆକଳନ କରାଯାଇଛି। ଭୂଷଣ ପକ୍ଷରୁ ମାମଲା ଲଢୁଥିବା ବରିଷ୍ଠ ଓକିଲ ବିଜୟ ଅଗ୍ରଓ୍ବାଲ କହିଛନ୍ତି ଯେ, ଏହି ମାମଲାର ଶୁଣାଣି ଏତେ ଶୀଘ୍ର ଶେଷ ହେବ ନାହିଁ। ଶୁଣାଣି ଲାଗି କୋର୍ଟ ରୁମ ନୁହେଁ ବରଂ ଏକ ଷ୍ଟାଡିୟମ ଆବଶ୍ୟକ।
ସୂଚନାଯୋଗ୍ୟ ୨୦୧୭ରେ ଭୂଷଣ ଷ୍ଟିଲ ୪୭,୭୦୦ କୋଟି ଟଙ୍କାର ଋଣ ଖିଲାପ ମାମଲାରେ ଜଡିତ ଥିବା ସାମ୍ନାକୁ ଆସିଥିଲା। ପଞ୍ଜାବ ନ୍ୟାଶନାଲ ବ୍ୟାଙ୍କରୁ ଭୂଷଣ ୩,୮୧୫ କୋଟି ଟଙ୍କା ବେଆଇନ ଋଣ କାରବାର କରିଥିବା ଗତ ସପ୍ତାହରେ ଜଣାପଡିଥିଲା। କନସୋର୍ଟିୟମ ବ୍ୟାଙ୍କଠାରୁ ଋଣ ଉଠାଇବା ଲାଗି କମ୍ପାନୀ ବୁକ ଅଫ୍‌ ଆକାଉଣ୍ଟରେ ବିଭିନ୍ନ ଜାଲିଆତି କରିଥିବା ତଦନ୍ତରୁ ସାମ୍ନାକୁ ଆସିଛି। ବ୍ୟାଙ୍କ ବ୍ୟବସ୍ଥାରୁ ଅର୍ଥ ହେରଫେର ଅଭିଯୋଗରେ କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (ସିବିଆଇ) ପକ୍ଷରୁ କମ୍ପାନୀ ଏବଂ ଏହାର ନିର୍ଦ୍ଦେଶକଙ୍କ ବିରୋଧରେ ଏଫ୍‌ଆଇଆର୍‌ ଦାଏର ହୋଇଛି। ଚାର୍ଜଶିଟରେ ନଁା ରହିଥିବା ମୋଟ ୨୮୪ଙ୍କ ମଧ୍ୟରୁ ୧୫୦ କମ୍ପାନୀ ରହିଛି। ଶୁଣାଣି ବେଳେ ଅଭିଯୋଗ ଆସିଥିବା କମ୍ପାନୀମାନେ ମଧ୍ୟ ଉପସ୍ଥିତ ରହିବେ ବୋଲି ନିର୍ଦ୍ଦେଶ ରହିଛି। କୋର୍ଟରେ ମାମଲା ପଡି ରହୁଥିବାରୁ ଉକ୍ତ ମାମଲାର କେତେ ଶୀଘ୍ର ଚୂଡାନ୍ତ ରୂପ ନେବ ସେ ନେଇ କିଛି କହିବା ଠିକ ହେବ ନାହିଁ ବୋଲି ଆଇନ ବିଶାରଦ କହିଛନ୍ତି। ଆପରାଧିକ ମାମଲା ତୁଳନାରେ ଅର୍ଥନୈତିକ ଅପରାଧ ମାମଲାଗୁଡିକ ଅଧିକ ସମୟ ଲାଗୁଛି। ଏଭଳି ମାମଲାରେ ଦୋଷୀଙ୍କୁ ଦଣ୍ଡ ଦେବାକୁ ହେଲେ ଠିକ୍‌ ତଥ୍ୟ ପ୍ରମାଣ ଆବଶ୍ୟକତା ରହିଛି। ଆଇଏଲ୍‌ଆଣ୍ଡଏଫ୍‌ଏସ୍‌ ମାମଲାରେ ୩୨ ହଜାର ପୃଷ୍ଠାର ଚାର୍ଜଶିଟ ହୋଇଥିବା ବେଳେ ଭୂଷଣ ମାମଲା କିନ୍ତୁ ଏହାକୁ ଟପି ୭୦ ହଜାର ପୃଷ୍ଠା ସମ୍ବଳିତ ଚାର୍ଜଶିଟ ହୋଇଛି।

Share