ଭେଣ୍ଟିଲେଟରରେ ଅଧିକ କରୋନା ସଂକ୍ରମିତଙ୍କ ଘଟୁଛି ମୃତ୍ୟୁ !

ଓ୍ବାଶିଂଟନ,୧୩।୪: କରୋନା ସଂକ୍ରମଣ ନେଇ ସାରା ପୃଥିବୀରେ ଆତଙ୍କ ଦେଖାଦେଇଛି। ଗୁରୁତର କରୋନା ସଂକ୍ରମିତଙ୍କ ଚିକିତ୍ସା ପାଇଁ ଭେଣ୍ଟିଲେଟରର ସହାୟତା ନିଆଯାଉଛି। ତେବେ ଏକ ରିପୋର୍ଟରୁ ଜଣାପଡ଼ିଛି ଯେ, ଅନ୍ୟ ରୋଗ ତୁଳନାରେ କରୋନା ସଂକ୍ରମିତଙ୍କର ଅଧିକ ସଂଖ୍ୟାରେ ଭେଣ୍ଟିଲେଟରରେ ମୃତ୍ୟୁ ହେଉଥିବାରୁ ଡାକ୍ତର ଏବଂ ସ୍ବାସ୍ଥ୍ୟକର୍ମୀମାନେ ବେଶ୍‌ ଆଶ୍ଚର୍ଯ୍ୟାନ୍ବିତ ହେଉଛନ୍ତି। ଇଟାଲି, ଆମେରିକା, ସ୍ପେନ୍‌, ଜର୍ମାନୀ ଆଦି କେତେକ ବିକଶିତ ଦେଶରେ ୧୦-୧୫ ଦିନ ଭେଣ୍ଟିଲେଟରରେ ରହିବା ପରେ ମଧ୍ୟ କରୋନା ସଂକ୍ରମିତଙ୍କ ମୃତ୍ୟୁ ଘଟୁଛି। ସେମାନଙ୍କ ସ୍ବାସ୍ଥ୍ୟାବସ୍ଥାରେ ସୁଧାର ଆସିବା ପରିବର୍ତ୍ତେ ଏହା ଧୀରେଧୀରେ ଗୁରୁତର ହେଉଥିବା କୁହାଯାଉଛି। କରୋନା ସଂକ୍ରମଣର ଏନ୍ତୁଡ଼ିଶାଳ ପାଲଟିଥିବା ଚାଇନାର ଉହାନ ସହରରେ ଭେଣ୍ଟିଲେଟରରେ ରହିଥିବା ୮୬ ପ୍ରତିଶତ ସଂକ୍ରମିତଙ୍କ ମୃତ୍ୟୁ ଘଟିଛି। ତେଣୁ ସଂକ୍ରମିତଙ୍କୁ ଭେଣ୍ଟିଲେଟରରେ ରଖିବାକୁ ଡାକ୍ତର ଏବଂ ସ୍ବାସ୍ଥ୍ୟକର୍ମୀମାନେ ପଛଘୁଞ୍ଚା ଦେଉଛନ୍ତି।

Share