Categories: ବାଣିଜ୍ୟ

ଭେଣ୍ଟିଲେଟର ପ୍ରସ୍ତୁତ କରିବେ ଅଟୋମୋବାଇଲ କମ୍ପାନୀ

 

ନୂଆଦିଲ୍ଲୀ,୩୧। ୩: ବର୍ତ୍ତମାନ କରୋନା ଭୂତାଣୁରେ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିଚାଲିଛି। ଦେଶ ମଧ୍ୟରେ ଭେଣ୍ଟିଲେଟର ବ୍ୟବହାର ମଧ୍ୟ ବଢ଼ିଛି। ଏହାକୁ ପ୍ରସ୍ତୁତ କରୁଥିବା ମାନୁଫାକଚର୍ସଙ୍କ ସଂଖ୍ୟା କିନ୍ତୁ ବହୁତ କମ୍‌ । ଏହି ପ୍ରସଙ୍ଗକୁ ନଜରରେ ରଖି ଦେଶର ଅଟୋମୋବାଇଲ କମ୍ପାନୀଗୁଡ଼ିକ ଭେଣ୍ଟିଲେଟର ପ୍ରସ୍ତୁତ କରିବେ ବୋଲି ଜଣାପଡିଛି। ଘରୋଇ ବଜାରରେ ଉତ୍ପାଦନ ବଢ଼ାଇବାକୁ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ଅଟୋମୋବାଇଲ କମ୍ପାନୀଗୁଡ଼ିକୁ ନିର୍ଦ୍ଦେଶ ଦେଇଛି। ପ୍ରତିରକ୍ଷା ଗବେଷଣା ଏବଂ ବିକାଶ ପ୍ରତିଷ୍ଠାନ (ଡିଆର୍‌ଡିଓ) ଏବେ ଏନ୍‌-୯୫ ମାସ୍କ ପ୍ରସ୍ତୁତ କରିବ। ଆଗାମୀ ଗୋଟିଏ ସପ୍ତାହ ସୁଦ୍ଧା ଏହା ସପ୍ତାହରେ ୨୦ ହଜାର ଏଭଳି ମାସ୍କ ପ୍ରସ୍ତୁତ କରିପାରିବ ବୋଲି ସୂଚନା ରହିଛି। ସାରା ଦେଶରେ ରହିଥିବା ବିଭିନ୍ନ ହସ୍ପିଟାଲରେ କୋଭିଡ୍‌-୧୯ ରୋଗୀଙ୍କ ଲାଗି ଏବେ ୧୪ ହଜାର ଭେଣ୍ଟିଲେଟର ବ୍ୟବସ୍ଥା କରାଯାଇଥିବା ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି। ଏହାବାଦ ୧୧.୯୫ ଲକ୍ଷ ଏନ୍‌-୯୫ ମାସ୍କ ସଂରକ୍ଷିତ ରଖାଯାଇଛି।
ଗତ ୨ଦିନ ମଧ୍ୟରେ ୫ଲକ୍ଷ ମାସ୍କ ବଣ୍ଟନ କରାଯାଇଛି। ସୋମବାର ୧.୪୦ ଲକ୍ଷ ମାସ୍କ ବଣ୍ଟାଯାଇଛି। ଭେଣ୍ଟିଲେଟର ପ୍ରସ୍ତୁତି ଲାଗି ଅଟୋକମ୍ପାନୀଗୁଡ଼ିକର ପ୍ରସ୍ତୁତି ଚୂଡ଼ାନ୍ତ ପର୍ଯ୍ୟାୟରେ ରହିଛି ବୋଲି ମନ୍ତ୍ରଣାଳୟ ଏକ ଟୁଇଟରେ ପ୍ରକାଶ କରିଛି। ଆଗାମୀ ୨ ମାସରେ ୩୦ ହଜାର ଭେଣ୍ଟିଲେଟର ପ୍ରସ୍ତୁତ କରିବାକୁ ରାଷ୍ଟ୍ରାୟତ୍ତ ଭାରତ ଇଲେକ୍‌ଟ୍ରୋନିକ୍ସ ଲିମିଟେଡ୍‌(ବିଇଏଲ୍‌)କୁ କୁହାଯାଇଛି। ସ୍ଥାନୀୟ ମାନୁଫାକଚରଙ୍କ ସହ ମିଳିତ ହୋଇ ଏହି ଭେଣ୍ଟିଲେଟର ପ୍ରସ୍ତୁତ କରାଯିବ ବୋଲି ସୂଚନା ରହିଛି। ଗୋଟିଏ ମାସ ମଧ୍ୟରେ ୧୦ ହଜାର ଭେଣ୍ଟିଲେଟର ପ୍ରସ୍ତୁତ କରିବାକୁ ନଏଡାର ଏଜିଭିଏ ହେଲ୍‌ଥ କେୟାରକୁ ନିର୍ଦ୍ଦେଶ ଦିଆଯାଇଛି। ଏପ୍ରିଲ ୨ୟ ସପ୍ତାହରେ ଏହି କମ୍ପାନୀ ଯୋଗାଣ ଧାରା ଆରମ୍ଭ କରିବ। ଦେଶ ମଧ୍ୟରେ ସ୍ଥାନୀୟ ମାନୁଫାକରରମାନେ ଦୈନିକ ୫୦ ହଜାର ଏନ୍‌-୯୫ ମାସ୍କ ପ୍ରସ୍ତୁତ କରୁଛନ୍ତି। ଗୋଟିଏ ସପ୍ତାହ ମଧ୍ୟରେ ଏହା ୧ ଲକ୍ଷ ଛୁଇଁପାରେ। ରେଡ୍‌କ୍ରସ୍‌ ପକ୍ଷରୁ ୧୦ହଜାର ବ୍ୟକ୍ତିଗତ ସୁରକ୍ଷା ଯନ୍ତ୍ରାଂଶ ପ୍ରଦାନ କରାଯାଇଛି। ଏହାକୁ ସୋମବାରଠାରୁ ବଣ୍ଟନ କରାଯାଇଛି।

Share