ଭେଣ୍ଟିଲେଟର ଯୋଗାଣ ବିଳମ୍ବରୁ ଚାଇନାରେ ବଢ଼ିଥିଲା ମୃତ୍ୟୁସଂଖ୍ୟା

ବେଜିଂ,୧୨।୪(ପି.ଟି.): ଚାଇନାରେ ଉପଯୁକ୍ତ ସମୟରେ ଯଥେଷ୍ଟ ଭେଣ୍ଟିଲେଟର ଯୋଗାଣ ହୋଇଥିଲେ କରୋନାଜନିତ ମୃତ୍ୟୁସଂଖ୍ୟାକୁ ହ୍ରାସ କରାଯାଇ ପାରିଥାନ୍ତା ବୋଲି ଏକ ଅଧ୍ୟୟନରେ କୁହାଯାଇଛି। ସେଠାରେ କରୋନାରେ ଯେତିକି ଲୋକଙ୍କ ମୃତ୍ୟୁ ଘଟିଛି ସେଥିରୁ ୨୦ ପ୍ରତିଶତଙ୍କୁ ଯାନ୍ତ୍ରିକ ଭେଣ୍ଟିଲେଟର ଓ ରେସ୍ପିରେଟୋରି ସହାୟତା ମୃତ୍ୟୁ ପୂର୍ବରୁ ମିଳିଥିଲା। ଉହାନର ୨୧ଟି ହସ୍ପିଟାଲରୁ ତଥ୍ୟ ସଂଗ୍ରହ କରାଯାଇ ଆମେରିକାନ ମେଡିକାଲ ଆସୋସିଏଶନର ଏକ ପତ୍ରିକାରେ ଏହି ଗବେଷଣାତ୍ମକ ରିପୋର୍ଟ ପ୍ରକାଶ ପାଇଛି। ଜାନୁୟାରୀ ୨୧ରୁ ୩୦ ମଧ୍ୟରେ ସେଠାରେ କରୋନାରେ ପ୍ରାଣ ହରାଇଥିବା ୧୬୮ ଜଣଙ୍କୁ ରେସ୍ପିରେଟୋରି ସହାୟତା ମିଳିଥିଲା। ସେହିପରି ଝୋଙ୍ଗଡା ହସ୍ପିଟାଲରେ ସବୁ ରୋଗୀଙ୍କୁ ଅକ୍ସିଜେନ୍‌ ମିଳିଥିଲେ ହେଁ ମାତ୍ର ୪୬ ଜଣଙ୍କୁ ମୃତ୍ୟୁ ପୂର୍ବରୁ ନାଜାଲ କିମ୍ବା ଫେସ୍‌ମାସ୍କ ଅକ୍ସିଜେନ୍‌ ସପୋର୍ଟ ମିଳିଥିଲା। ଅଧ୍ୟୟନରୁ ଜଣାପଡିଛି ରୋଗୀଙ୍କ ରକ୍ତରେ ଅକ୍ସିଜେନ୍‌ ସ୍ତର ଯଥେଷ୍ଟ କମ୍‌ ଥିବାବେଳେ ଅନ୍ୟ କୌଣସି ଲକ୍ଷଣ ଦେଖାଯାଇ ନ ଥିଲା। ରୋଗୀଙ୍କୁ ବଞ୍ଚାଇବା ଲାଗି ମେକାନିକାଲ ଭେଣ୍ଟିଲେଟର ଅତି ଜରୁରୀ ଥିଲା ବୋଲି ଗବେଷକମାନେ କହିଛନ୍ତି।

Share