ଭେଣ୍ଡର ରସିଦ୍‌ ଦାବିରେ ସମବାୟ ସମିତିରେ ତାଲା

ଭଣ୍ଡାରିପୋଖରୀ, ୨୬।୬ (ଡି.ଏନ.ଏ.) : ଭଦ୍ରକ ଜିଲା ଭଣ୍ଡାରିପୋଖରୀ ବ୍ଲକ ସରସଦା ସେବା ସମବାୟ ସମିତିରେ ଗତ ଖରିଫ୍‌ ଧାନ ବିକ୍ରିର ଶେଷ ପର୍ଯ୍ୟାୟରେ ଧାନ ବିକ୍ରି କରିଥିବା ଚାଷୀମାନେ ଭେଣ୍ଡର ରସିଦ୍‌ ଦାବି କରି ବୁଧବାର ସମିତି କାର୍ଯ୍ୟାଳୟରେ ତାଲା ପକାଇ ଆନ୍ଦୋଳନ କରିଥିଲେ। ଚାଷୀମାନେ ସମିତି ଜରିଆରେ ବିଭିନ୍ନ ମିଲ୍‌କୁ ଖରିଫ ଧାନ ବିକ୍ରି କରିଥିଲେ। ସେହି ସମୟ ମଧ୍ୟରେ ଚାଷୀମାନଙ୍କୁ ଭେଣ୍ଡର ରସିଦ୍‌ ମିଳି ନ ଥିଲା। ଅନ୍ୟପକ୍ଷରେ ଭେଣ୍ଡର ରସିଦ୍‌ ପାଇଥିବା ଚାଷୀମାନେ ଅଦ୍ୟାବଧି ଧାନ ବିକ୍ରୟ ପାଉଣା ପାଇ ନ ଥିବାବେଳେ ରସିଦ୍‌ ପାଇ ନ ଥିବା ଚାଷୀ ପାଉଣା ବୁଡ଼ିଯିବା ଆଶଙ୍କାରେ ବୁଧବାର ଏଭଳି ପଦକ୍ଷେପ ନେଇଥିଲେ। ଏଥିପୂର୍ବରୁ ଭେଣ୍ଡର ରସିଦ୍‌ ପାଇବା ପାଇଁ ଚାଷୀମାନେ ସମିତି, ସମବାୟ ବ୍ୟାଙ୍କ ଓ ସ୍ଥାନୀୟ ମାର୍କେଟିଂ ଇନ୍ସପେକ୍ଟରଙ୍କୁ ଲିଖିତ ଭାବେ ଜଣାଇଥିଲେ। ମାର୍କେଟିଂ ଇନ୍ସପେକ୍ଟର ସମିତିକୁ ଭେଣ୍ଡର ରସିଦ୍‌ ଦେବା ଲାଗି ନିର୍ଦ୍ଦେଶ ଦେଇଥିଲେ ମଧ୍ୟ ତାହା କାର୍ଯ୍ୟକାରୀ ହୋଇନାହିଁ। ଚାଷୀମାନେ ବିଶ୍ୱାସ ହରାଇ ସମିତି ଆଗରେ ତାଲା ପକାଇ ବସିରହିଥିଲେ। ସରସଦା ସମବାୟ ସମିତି ସଭାପତି ଦେବେନ୍ଦ୍ରନାଥ ଧଳ ପହଞ୍ଚି ଆସନ୍ତା ୧ ତାରିଖଠାରୁ ଭେଣ୍ଡର ରସିଦ୍‌ ଦିଆଯିବ ବୋଲି ପ୍ରତିଶ୍ରୁତି ଦେବା ପରେ ଚାଷୀମାନେ ଆନ୍ଦୋଳନରୁ ଓହରିଥିଲେ। ଉଲ୍ଲେଖନୀୟ ଯେ, ଭଣ୍ଡାରିପୋଖରୀ ବ୍ଲକରେ ଚାଷୀ ବିଭିନ୍ନ ସମିତି ଜରିଆରେ ପ୍ରାୟ ୨୨ ହଜାର କୁଇଣ୍ଟାଲ ଧାନ ଦେଇ ଏପର୍ଯ୍ୟନ୍ତ ପ୍ରାପ୍ୟ ପାଇନାହାନ୍ତି।

Share