Categories: ଜାତୀୟ

ଭେଲୋର ଆସନରେ ନିର୍ବାଚନ ବାତିଲ

ନୂଆଦିଲ୍ଲୀ,୧୭ା୪: ତାମିଲନାଡୁର ଭେଲୋର ଲୋକ ସଭା ଆସନରେ ନିର୍ବାଚନ ବାତିଲ କରିଦିଆଯାଇଥିବା ନିର୍ବାଚନ କମିଶନ୍‌ଙ୍କ ପକ୍ଷରୁ ସୂଚନା ଦିଆଯାଇଛି। ଚଳିତ ମାସ ପ୍ରାରମ୍ଭରେ ଜଣେ ଡିଏମ୍‌କେ ପ୍ରାର୍ଥୀଙ୍କ ଗୋଦାମଘରୁ ୧୧.୫କୋଟି ଟଙ୍କା ଜବତ ହେବା ପରେ ନିର୍ବାଚନ ପାଇଁ ବିପୁଳ ଲାଞ୍ଚ କାରବାର ହେଉଥିବା ସୂଚନା ମିଳିଥିଲା। ଏହି ଘଟଣାକୁ ଆଧାର କରି ଉକ୍ତ ଆସନରେ ନିର୍ବାଚନ ସ୍ଥଗିତ ରଖାଯାଇଛି। ସାଧାରଣ ନିର୍ବାଚନର ଦ୍ୱିତୀୟ ପର୍ଯ୍ୟାୟରେ ଗୁରୁବାର ଅନ୍ୟ ୩୮ଟି ଆସନ ସହିତ ଏଠାରେ ଭୋଟ ଗ୍ରହଣ ହେବାର ଥିଲା। ଏପ୍ରିଲ ୧୪ରେ ନିର୍ବାଚନ କମିଶନ୍‌ଙ୍କ ସୁପାରିସକୁ ଗ୍ରହଣ କରି ରାଷ୍ଟ୍ରପତି ତାମିଲନାଡୁର ଭେଲୋର ଲୋକ ସଭା ନିର୍ବାଚନମଣ୍ଡଳୀରେ ନିର୍ବାଚନକୁ ରଦ୍ଦ କରିଦେଇଥିବା କମିଶନ୍‌ଙ୍କ ପକ୍ଷରୁ ଏକ ବିବୃତିରେ କୁହାଯାଇଛି। ଭୋଟରଙ୍କୁ ଲାଞ୍ଚଦେବା ଉଦ୍ଦେଶ୍ୟରେ ଅର୍ଥ କାରବାର ଅଭିଯୋଗରେ ଏକ ଲୋକ ସଭା ନିର୍ବାଚନମଣ୍ଡଳୀର ଭୋଟଗ୍ରହଣ ବାତିଲ କରିବା ପ୍ରଥମ ଘଟଣା। ଏ ପର୍ଯ୍ୟନ୍ତ ତାମିଲନାଡୁରୁ ୨୦୫କୋଟି ନଗଦ ଟଙ୍କା ଓ ସୁନାର ପରିମାଣକୁ ମିଶାଇ ୫୦୦କୋଟି ଟଙ୍କାରୁ ଊର୍ଦ୍ଧ୍ୱ ଜବତ ହେଲାଣି। ନିର୍ବାଚନ ବାତିଲ ଦ୍ୱାରା ଗଣତନ୍ତ୍ରକୁ ହତ୍ୟା କରାଯାଇଛି ବୋଲି ଡିଏମ୍‌କେ ଅଭିଯୋଗ କରିଛି। ତେବେ ଏହି ନିଷ୍ପତ୍ତିକୁ ଚ୍ୟାଲେଞ୍ଜ କରାଯିବ ବୋଲି ଦଳ ପକ୍ଷରୁ କୁହାଯାଇଛି। ଭେଲୋର ନିର୍ବାଚନମଣ୍ଡଳୀରେ ୨୩ ପ୍ରାର୍ଥୀ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି।

Share