ଭେସେଲ୍‌ରେ ଯିବେ ଏକ ତୃତୀୟାଂଶ ଯାତ୍ରୀ

ପୁରୀ ଅଫିସ,୧୯।୩: ଦିନକୁ ଦିନ ଆମ ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢିବାରେ ଲାଗିଛି। ଓଡ଼ିଶାରେ ଜଣେ ଆକ୍ରାନ୍ତ ଚିହ୍ନଟ ହେବା ପରେ ରାଜ୍ୟବାସୀ ଚିନ୍ତିତ ହୋଇପଡ଼ିଛନ୍ତି। ଏହି ପ୍ରାଣଘାତୀ ଭାଇରସ୍‌ ପାଇଁ ଏ ପର୍ଯ୍ୟନ୍ତ କୌଣସି ଔଷଧ ବାହାରି ନ ଥିବାବେଳେ କେବଳ ସତର୍କତା ଓ ସଚେତନତା ଉପରେ ଗୁରୁତ୍ୱ ଦିଆଯାଇଛି। ଗୋଟିଏ ଜାଗାରେ ଏକତ୍ର ହେବାକୁ ବାରଣ କରାଯାଉଛି। ତେବେ ସବୁଠୁ ଗୁରୁତ୍ୱପୂର୍ଣ୍ଣ ହେଉଛି ସାମାଜିକ ଦୂରତ୍ୱ ରକ୍ଷା କରିବା। ରାଜ୍ୟ ସରକାର ଏଥିପାଇଁ ନିର୍ଦ୍ଦେଶାନାମା ଜାରି କରିଥିବାବେଳେ ପୁରୀ ଜିଲା ପ୍ରଶାସନ ଏହାକୁ କଡ଼ାକଡ଼ିି ଭାବେ ଲାଗୁ କରିଛି। ଚିଲିକାରେ ଚଳାଚଳ କରୁଥିବା ଭେସେଲ, ଟୁରିଷ୍ଟ ବୋଟ୍‌ ଉପରେ ମଧ୍ୟ କଟକଣା ଲଗାଯାଇଛି। ପରିବହନ କ୍ଷମତା ଏକ ତୃତୀୟାଂଶକୁ ହ୍ରାସ କରିବା ଲାଗି ନିର୍ଦ୍ଦେଶ ଦିଆଯାଇଛି। ଜିଲାପାଳ ବଲୱନ୍ତ ସିଂଙ୍କ ନିର୍ଦ୍ଦେଶ ଅନୁଯାୟୀ ଶପିଂମଲ୍‌ ବନ୍ଦ କରାଯାଇଛି। କିନ୍ତୁ ଅତ୍ୟାବଶ୍ୟକ ସାମଗ୍ରୀ ବିକ୍ରୟ ନିମନ୍ତେ ସମ୍ପୃକ୍ତ ଶପିଂ ମଲ୍‌ଗୁଡ଼ିକୁ ଅନୁମତି ଦିଆଯାଇଛି। ସେହିପରି ବାର୍‌ ଏବଂ ବିୟର ପାର୍ଲରକୁ ବନ୍ଦ ରଖାଯାଇଛି।
ଚିଲିକାରେ ଭେସେଲ ସେବା ରହିଛି। ଚିଲିକା ଉନ୍ନୟନ କର୍ତ୍ତୃପକ୍ଷ (ସିଡିଏ) ପକ୍ଷରୁ ଏହି ଭେସେଲ ସାତପଡ଼ାରୁ ଜହ୍ନିକୁଦା ମଧ୍ୟରେ ଚଳାଚଳ କରିଥାଏ। ବର୍ତ୍ତମାନ କରୋନା ମୁକାବିଲା ନେଇ ଏଥିରେ କଟକଣା ଲଗାଇଛି ସିଡିଏ। ଯାତ୍ରୀ ପରିବହନ କ୍ଷମତା ଯାହା ରହିଛି ତାହାର ଏକ ତୃତୀୟାଂଶ ଯାତ୍ରୀ ଯିବାଆସିବା କରିବେ। ସେହିପରି ଟୁରିଷ୍ଟ ବୋଟ୍‌ରେ ମଧ୍ୟ ସମାନ କଟକଣା ରହିବ। କିନ୍ତୁ ଭେସେଲ ଏବଂ ଟୁରିଷ୍ଟ ବୋଟରେ ଯାତାୟାତ କରୁଥିବା ଯାତ୍ରୀଙ୍କ ମଧ୍ୟରେ ସାମାଜିକ ଦୂରତା ରଖାଯିବ। ପରସ୍ପର ମଧ୍ୟରେ ଅତି କମ୍‌ରେ ୧ ମିଟର ଦୂରତା ରଖିବା ଲାଗି ନିର୍ଦ୍ଦେଶ ଦିଆଯାଇଛି। ରାଜ୍ୟ ବାହାରୁ ଜିଲାର ନିଜ ଘରକୁ ଫେରୁଥିବା ବ୍ୟକ୍ତିଙ୍କ ଉପରେ ନଜର ରଖାଯିବା ସହ ପଞ୍ଚାୟତସ୍ତରରେ ବ୍ୟାପକ ସଚେତନତା ସୃଷ୍ଟି କରାଯାଉଛି।

Share