ଭୋକରେ ଫେରୁଥିବା ନିର୍ଯାତିତ ଶ୍ରମିକ ଆଶ୍ରୟସ୍ଥଳରେ ଭର୍ତ୍ତି, ଠିକାଦାରଙ୍କ ନାମରେ ମାମଲା

ସୋନପୁର,୧୬।୪(ନି.ପ୍ର.): କରୋନା ଭୂତାଣୁ ସଂକ୍ରମଣକୁ ପ୍ରତିହତ କରିବା ପାଇଁ ସାରା ଦେଶରେ ଲକ୍‌ଡାଉନ୍‌ ଘୋଷଣା କରାଯାଇଛି। କୋଠାବାଡି ନିର୍ମାଣ କାର୍ଯ୍ୟ ବନ୍ଦ ରହିଛି। ଏଭଳି ସ୍ଥିତିରେ ଛତିଶଗଡର ୧୦ଜଣ ଶ୍ରମିକ ସୁବର୍ଣ୍ଣପୁରରେ ନିର୍ମାଣାଧୀନ ମାତୃ ଓ ଶିଶୁ ସ୍ବାସ୍ଥ୍ୟକେନ୍ଦ୍ର ନିର୍ମାଣରେ ନିୟୋଜିତ ହୋଇଥିଲେ ମଧ୍ୟ ଠିକାଦାର ସେମାନଙ୍କୁ ଖାଇବାକୁ ନ ଦେଇ ନିର୍ଯାତନା ଦେଉଥିବା ସୋନପୁର ଥାନାରେ ଲିଖିତ ଅଭିଯୋଗ ହୋଇଛି। ଶ୍ରମିକଙ୍କ ବୟାନ ଆଧାରରେ ଠିକାଦାରଙ୍କ ବିରୋଧରେ ଜିଲା ଶ୍ରମ ଅଧିକାରୀ ଡିଲେଶ୍ୱର ଖାଖା ଏହି ଅଭିଯୋଗ କରିଛନ୍ତି । ପୋଲିସ ଠିକାଦାର ଓ ପେଟି ଠିକାଦାରଙ୍କ ନାମରେ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି।
ପ୍ରକାଶ ଯେ, ସହରର ମହାନଦୀ କୂଳ ଝୁପୁଡିପଡା ନିକଟରେ ନିର୍ମାଣାଧୀନ ସ୍ବାସ୍ଥ୍ୟକେନ୍ଦ୍ରରେ ଛତିଶଗଡର ଶ୍ରମିକ କାର୍ଯ୍ୟ କରୁଥିଲେ। ଲକ୍‌ଡାଉନ୍‌ ସମୟରେ ପୂର୍ତ୍ତ ବିଭାଗର କର୍ତ୍ତୃପକ୍ଷଙ୍କ ଜାଣତରେ ବେଆଇନ ଭାବେ ନିର୍ମାଣ କାର୍ଯ୍ୟ ଚାଲିଥିଲା। ତେବେ ଠିକାଦାର ଶ୍ରମିକମାନଙ୍କୁ ନିର୍ଯାତନା ଦେବା ସହ ଖାଇବାକୁ ଦେଉ ନ ଥିଲେ। ଶ୍ରମିକମାନେ ବୁଧବାର ଅପରାହ୍ନରେ ଚାଲିଚାଲି ବିନିକା ରାସ୍ତା ଦେଇ ଘରକୁ ଫେରୁଥିଲେ। ଜିଲା ମଙ୍ଗଳ କାର୍ଯ୍ୟାଳୟର କିରାଣୀ ସିତେଶ ପୂଜାହାରୀ ଘୋଡାଧାର ନିକଟରେ ଶ୍ରମିକମାନଙ୍କ ସହିତ କଥା ହୋଇ ଘଟଣା ସମ୍ପର୍କରେ ଅବଗତ ହୋଇଥିଲେ। ପୂଜାହାରୀ ଏ ସମ୍ପର୍କରେ ଅତିରିକ୍ତ ଜିଲାପାଳ ଶରତ ଚନ୍ଦ୍ର ପଣ୍ଡାଙ୍କୁ ଜଣାଇଥିଲେ । ଅତିରିକ୍ତ ଜିଲାପାଳ ପଣ୍ଡା ଜିଲାପାଳ ମୋନିଷା ବାନାର୍ଜୀଙ୍କୁ ବାହାର ରାଜ୍ୟର ନିର୍ଯାତିତ ଶ୍ରମିକଙ୍କ ବିଷୟରେ ଅବଗତ କରାଇଥିଲେ। ଜିଲାପାଳଙ୍କ ନିର୍ଦ୍ଦେଶକ୍ରମେ ବିନିକାର ଅତିରିକ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ ନିରଞ୍ଜନ ନାଏକ ୬ ମାସର ଶିଶୁ ସହିତ ମହିଳା ଓ ପୁରୁଷ ମୋଟ ୧୦ ଜଣ ଶ୍ରମିକଙ୍କୁ କର୍ତ୍ତଙ୍ଗ ବିଦ୍ୟାଳୟ(ଅସ୍ଥାୟୀ ଆଶ୍ରୟସ୍ଥଳ)ରେ ରହିବାର ବ୍ୟବସ୍ଥା କରିଛନ୍ତି। ସେମାନଙ୍କୁ ୨ ଓଳି ରନ୍ଧାଖାଦ୍ୟ, ଜଳଖିଆ, ଶିଶୁଖାଦ୍ୟ ଓ ଅତ୍ୟାବଶ୍ୟକ ସାମଗ୍ରୀ ଯୋଗାଇ ଦିଆଯାଉଛି। ଲକ୍‌ଡାଉନ୍‌ ଅବଧି ହଟିବା ପର୍ଯ୍ୟନ୍ତ ଶ୍ରମିକମାନେ ଏଠାରେ ରହିବେ। ଅନ୍ୟପକ୍ଷେ ଜିଲାପାଳଙ୍କ ନିର୍ଦ୍ଦେଶକ୍ରମେ ଜିଲା ଶ୍ରମ ଅଧିକାରୀ ଘଟଣାର ତଦନ୍ତ କରିବା ସହିତ ଠିକାଦାରଙ୍କ ନାମରେ ଏତଲା ଦେଇଛନ୍ତି।

Share