ଭୋକିଲାଙ୍କ ପେଟରେ ଆହାର ଦେବାକୁ ପଣ

ସମ୍ବଲପୁର, ୨୯।୩ (ବ୍ୟୁରୋ):ସଂପ୍ରତି କରୋନା ଭୁତାଣୁ ସମଗ୍ର ବିଶ୍ୱକୁ ସଂପୂର୍ଣ୍ଣ ଭାବେ ଗ୍ରାସିଛି। ଜନ ଜୀବନ ଅସ୍ତବ୍ୟସ୍ତ ହେବାରେ ଲାଗିଛି। ଆଧୁନିକ ବୈଜ୍ଞାନିକ ହାତ ଟେକି ଦେଇଛନ୍ତି। ଏପରି ସ୍ଥଳେ ମଣିଷ ଭୟଭିତ ହୋଇ ଘରେ ବସିବାକୁ ବାଧ୍ୟ ହୋଇଛି। ଜନତା କର୍ପ୍ୟୁ ଓ ପରେ ୨୧ ଦିନ ଲାଗି ଦେଶକୁ ଲକ୍‌ ଡାଉନ୍‌ ଘୋଷଣା କରାଯାଇଛି। ଏହାଦ୍ୱାରା ସମଗ୍ର ଦେଶରେ ଗରିବ ନିଷ୍ପେସିତ, ଖଟିଖିଆ ଭୋକରେ ଆଉଟପାଉଟ ହେଉଛନ୍ତି । ଖାଦ୍ୟ ଟିକକ ପାଇଁ ସେମାନେ ଜୀବନ ସହ ସଂଗ୍ରାମ ମଧ୍ୟ କରୁଛନ୍ତି । ଏପରି ଦୁଃଖୀ ଓ ଭୋକିଲାଙ୍କ ପେଟରେ ଆହାର ଦେବା ପାଇଁ ଆଗେଇ ଆସିଛନ୍ତି ସମ୍ବଲପୁର ଏସଆରଆଇଟି କଲୋନୀ ବାସିନ୍ଦା ଦିଲୀପ କୁମାର ପଣ୍ଡା। କରୋନା ଭୂତାଣୁ ଭୟକୁ ମନରୁ ଦୂରେଇ ଦେଇ ସେ ସମ୍ବଲପୁର ମହାନଗର ନିଗମ ଅଞ୍ଚଳ ରେଳ ଷ୍ଟେଶନ, ସମ୍ବଲପୁର ରୋଡ୍‌, ସିଟି ଷ୍ଟେଶନ, ଧନୁପାଲି, ଲକ୍ଷ୍ମୀଟକିଜ, ସିନ୍ଦୂରପଙ୍କ, ଅଇଁଠାପାଲି, ପାଟଣେଶ୍ୱରୀ ମନ୍ଦିର ଛକରେ ରହୁଥିବା ଗରିବମାନଙ୍କୁ ରନ୍ଧାଖାଦ୍ୟ ଓ ପାଣି ଦେଉଛନ୍ତି। ଲକ୍‌ ଡାଉନ ଶେଷ ପର୍ଯ୍ୟନ୍ତ ରନ୍ଧାଖାଦ୍ୟ ବଣ୍ଟନ କରିବାକୁ ସେ ଲକ୍ଷ୍ୟ ରଖିଛନ୍ତି । ଏ ନେଇ ଦିଲୀପ କହନ୍ତି, ବାପା ରାଧେଶ୍ୟାମ ପଣ୍ଡା ଅନାଥ ଆଶ୍ରମରେ ବଢ଼ିଥିଲେ । ପରବର୍ତ୍ତୀ ସମୟରେ ସେ ପୋଲିସ ବିଭାଗର ଅଧିକାରୀ ଭାବେ ଅବସର ଗ୍ରହଣ କରିଛନ୍ତି । ଏହାକୁ ଦୃଷ୍ଟିରେ ରଖି ଗରିବ, ଅନାଥଙ୍କ ପେଟରେ ଖାଦ୍ୟ ମୁଠେ ଦେବାକୁ ମନରେ ସ୍ଥିର କରିଛନ୍ତି। ୨୦୧୪ ଏପ୍ରିଲ ୫ ତାରିଖରୁ ପ୍ରତି ରବିବାର ସହରର ବିଭିନ୍ନ ଛକରେ ରହୁଥିବା ୫ଶହ ଜଣଙ୍କୁ ରନ୍ଧାଖାଦ୍ୟ ଦେଇ ଆସୁଛନ୍ତି। ୨୦୧୪ରେ ସହରରେ ହୋଇଥିବା ଜଣ୍ଡିସ ସମୟରେ ସମ୍ବଲପୁର ଡାକ୍ତରଖାନା ପରିସରରେ ଦେଢ଼ ମାସ ରୋଗୀ ଓ ଜନସାଧାରଣଙ୍କୁ ଗରମ ପାଣି ପ୍ରଦାନ କରିଛନ୍ତି। ଏକ ବେସରକାରୀ କମ୍ପାନୀରେ ସେ ଚାକିରି କରିଛନ୍ତି। ଜନସେବା କରିବା ତାଙ୍କୁ ଆନନ୍ଦ ଦେଇଥାଏ ବୋଲି କହନ୍ତି ଦିଲୀପ। ତେବେ ଖାଦ୍ୟ ପ୍ରସ୍ତୁତ ଓ ବଣ୍ଟନରେ ଦିଲୀପଙ୍କୁ ରମେଶ କୁମାର ଗୁପ୍ତା, ଘନଶ୍ୟାମ ସାହୁ, ରାଜକମଳ ମହାନ୍ତି, ମାନସ ଶତପଥୀ, ବୁଢ଼ା ବେହେରା, ଗୋପିନାଥ ପୃଷେଟ, ବିକାଶ ତ୍ରିପାଠୀ, ବିଜୟ ଧର, ତନ୍ମୟ ମେହେର ପ୍ରମୁଖ ସହଯୋଗ କରିଥାନ୍ତି । ପ୍ରଥମେ ସେମାନେ ନିଜେ ମାସ୍କ ଓ ହାତରେ ଗ୍ଲୋବ୍ସ ପିନ୍ଧି ଖାଦ୍ୟ ଦେବା ପୂର୍ବରୁ ସେନିଟାଇଜରରେ ଅନ୍ୟମାନଙ୍କ ହାତ ସଫା କରିବାକୁ କହିଥାନ୍ତି।

Share