ଭୋକିଲା ପେଟକୁ ମୁଠାଏ ଅନ୍ନ

ବରଗଡ଼ ଅଫିସ୍‌,୨୭।୩- କରୋନା ଭୂତାଣୁକୁ ପ୍ରତିହତ କରିବା ପାଇଁ ମଙ୍ଗଳବାର ମଧ୍ୟରାତ୍ରିରୁ ଦେଶବ୍ୟାପୀ ଲକ୍‌ ଡାଉନ୍‌ କଟକଣା ଲାଗୁ କରାଯାଇଛି। ଏହି କଟକଣା ଲାଗୁ ହେବା ପରେ ସାଧାରଣ ଜନତାଙ୍କଠାରୁ ଅସହାୟଙ୍କ ସମସ୍ୟା ବଢ଼ି ଯାଇଛି। ଖାଇବାକୁ ନ ପାଇ ଅସହାୟ ଲୋକେ ବସ୍‌ଷ୍ଟାଣ୍ଡ, ରେଳଷ୍ଟେଶନ ଆଦି ସ୍ଥାନରେ ଆଶ୍ରୟ ନେଇ ଭୋକଶୋଷରେ ରହୁଛନ୍ତି। ଏହାକୁ ହୃଦୟଙ୍ଗମ କରି ଗୁରୁବାର ବରଗଡ଼ ପୋଲିସ ଓ ସ୍ବେଚ୍ଛାସେବୀମାନେ ଭୋକିଲା ପେଟକୁ ମୁଠାଏ ଅନ୍ନ ଯୋଗାଇବା ଅଭିଯାନରେ ବାହାରିଛନ୍ତି। ସ୍ଥାନୀୟ ହାଟପଦାର ସାଇ ଟ୍ରଷ୍ଟ ସହଯୋଗରେ ବରଗଡ଼ ପୋଲିସ ଅସହାୟମାନଙ୍କୁ ରନ୍ଧାଖାଦ୍ୟ ବିତରଣ କରିଥିଲା। ଅତିରିକ୍ତ ଏସ୍‌ପି ଅମରେନ୍ଦ୍ର ରଣା, ଟାଉନ ଥାନା ଆଇଆଇସି ସଦନନ୍ଦ ପୂଜାହାରୀ ପ୍ରମୁଖଙ୍କ ତତ୍ତ୍ବାବଧାନରେ ପୋଲିସ କର୍ମଚାରୀମାନେ ସ୍ଥାନୀୟ ରେଳଷ୍ଟେଶନ, ବସଷ୍ଟାଣ୍ଡ୍‌, ଡାକ୍ତରଖାନାକୁ ଯାଇ ସେଠାରେ ରହିଥିବା ଅସହାୟ ଲୋକଙ୍କୁ ରନ୍ଧାଖାଦ୍ୟ ଦେଇଥିଲେ। ଅନୁରୂପଭାବେ ସ୍ଥାନୀୟ ସାମାଜିକ କର୍ମୀ ବିକାଶ ଅଗ୍ରୱାଲ, ରୋହିତ ଜୟସ୍ବାଲଙ୍କ ତତ୍ତ୍ବାବଧାନରେ ସ୍ବେଚ୍ଛାସେବୀମାନେ ଅସହାୟକୁ ରନ୍ଧାଖାଦ୍ୟ ଯୋଗାଇବା ପାଇଁ ଗୁରୁବାରରୁ ଅମୃତ ଆହାର ଅଭିଯାନରେ ବାହାରିଛନ୍ତି। ଏହି ଅଭିଯାନର ସ୍ବେଚ୍ଛାସେବୀମାନେ ମଧ୍ୟ ବରଗଡ଼ ସହରରେ ଥିବା ବସ୍‌ଷ୍ଟାଣ୍ଡ, ରେଳ ଷ୍ଟେଶନ, ଭଟଲି ରୋଡ୍‌ ଛକ, ଭିଏସଏସ ନଗର ଛକ ସମେତ ସହର ଉପକଣ୍ଠ ନାଗେନପାଲି ଛକ ଆଦି ଅଞ୍ଚଳକୁ ଯାଇ ଅସହାୟଙ୍କୁ ରନ୍ଧାଖାଦ୍ୟ ଯୋଗାଇଥିଲେ । ଯେତେଦିନ ପର୍ଯ୍ୟନ୍ତ ଲକ୍‌ ଡାଉନ୍‌ କଟକଣା ଲାଗୁ ରହିଥିବ, ସେତେଦିନ ପର୍ଯ୍ୟନ୍ତ ଏହି ଅଭିଯାନ ଜାରି ରହିଥିବ ବୋଲି ସାମାଜିକ କର୍ମୀ ଅଗ୍ରୱାଲ କହିଛନ୍ତି । ଲକ୍‌ ଡାଉନ୍‌ ସମୟରେ ଅସହାୟଙ୍କ କ୍ଷୁଧା ମେଣ୍ଟଇବା ଲକ୍ଷ୍ୟ ନେଇ ନିଜ ମଧ୍ୟରେ ସେମାନେ ପାଣ୍ଠି ସଂଗ୍ରହ କରିଛନ୍ତି ଏବଂ ନିଜେ ରନ୍ଧାବଢ଼ା କରି ଅସହାୟକୁ ଏହି ସେବା ଯୋଗାଇ ଆସୁଥିବା ସେ ପ୍ରକାଶ କରିଛନ୍ତି ।