ଭୋକିଲା ପେଟରେ ପୂଜାର୍ଚ୍ଚନା କରିବା କାଠିକର ପାଠ ହେବ

ସମ୍ବଲପୁର, ୨୮।୪ (ବ୍ୟୁରୋ)- କରୋନା ଭୂତାଣୁକୁ ନେଇ କଟକଣା ଯୋଗୁ ସମ୍ବଲପୁରର ଇଷ୍ଟଦେବୀ ସମଲେଇଙ୍କ ଦର୍ଶନ ମାର୍ଚ୍ଚ ୧୯ ତାରିଖରୁ ବନ୍ଦ ରହିଛି। ହେଲେ ଦେବୀଙ୍କ ପୂଜାର୍ଚ୍ଚନା ରୀତିନୀତି ଓ ପରମ୍ପରାରେ କରାଯାଉଛି । ମନ୍ଦିର ଟ୍ରଷ୍ଟ ବୋର୍ଡ ପୂଜା ଲାଗି ଦୈନିକ ୧ହଜାର ଟଙ୍କା ପ୍ରଦାନ କରୁଛି। ସମଲେଇଙ୍କ ନୂଆଁବସ୍ତ୍ର, ଅନ୍ନଭୋଗ, ଆଳତି, ପୂଜା ସାମଗ୍ରୀରେ ୧ହଜାରରୁ ଉର୍ଦ୍ଧ୍ୱ ଟଙ୍କା ଖର୍ଚ୍ଚ ହେଉଛି । ଅନ୍ୟପଟେ ମନ୍ଦିର ବନ୍ଦ ଯୋଗୁ ପୂଜକମାନେ କିନ୍ତୁ ଅସୁବିଧାର ସମ୍ମଖୀନ ହେଉଛନ୍ତି । ୧୨ ପୂଜକ ପରିବାରର ୧୫୦ ଜଣ ସଦସ୍ୟ ଏହାଯୋଗୁ ପ୍ରଭାବିତ ହୋଇଛନ୍ତି । ପୂଜକ ଭାବେ ଏମାନେ କୌଣସି ପ୍ରକାର ସରକାରୀ ସହାୟତା ମଧ୍ୟ ପାଉନାହାନ୍ତି । ଏଣୁ ମନ୍ଦିର ଟ୍ରଷ୍ଟ ବୋର୍ଡ ଓ ରାଜ୍ୟ ସରକାର ଆର୍ଥତ୍କ ସହାୟତା ଯୋଗାଇଦେବା ଆବଶ୍ୟକତା ରହିଛି। ନ ଚେତ ଭୋକିଲା ପେଟରେ ଦେବୀଙ୍କର ପୂଜାର୍ଚ୍ଚନା କରିବା କାଠିକର ପାଠ ହେବ । ମଙ୍ଗଳବାର ସମ୍ବଲପୁର ସମଲେଇ ମନ୍ଦିର ପରିସରରେ ଆୟୋଜିତ ଖବରଦାତା ସମ୍ମିଳନୀରେ ପୂଜକମାନେ ଏହା କହିଛନ୍ତି । ଏହି ଖବରଦାତା ସମ୍ମିଳନୀରେ ସାମାଜିକ ଦୂରତ୍ୱ ବଜାୟ ରଖି ମୁଖ୍ୟ ପୂଜକ ଅମ୍ବିକାପ୍ରସାଦ ରାଏ, ପ୍ରକାଶ ରାଏ, ଅକ୍ଷୟ ରାଏ, ନିର୍ଭୟ ରାଏ, କୋଦଣ୍ଡ ରାଏ, ସୁଧାଂଶୁ ରାଏ, ଓକିଲ ରାଏ, ସଗନ ରାଏ, ପ୍ରଶାନ୍ତ ରାଏ, ସାରଙ୍ଗ ରାଏ, ଯୋଗେନ୍ଦ୍ର ରାଏ, ଅମିୟ ରାଏ ଉପସ୍ଥିତ ଥିଲେ ।