ଭୋକ ଓପାସରେ ବାହାର ରାଜ୍ୟର ୯ ଶ୍ରମିକ

ଖଇରା, ୬।୪(ଡି.ଏନ.ଏ.): ବାହାର ରାଜ୍ୟର ୯ଜଣ ଶ୍ରମିକ ୨ଦିନ ହେଲା ଭୋକଓପାସରେ ରହିଛନ୍ତି। ସେମାନେ ବାଲେଶ୍ୱର ଜିଲା ଖଇରା ବ୍ଲକ ଝିଙ୍କିରିଆ ପଞ୍ଚାୟତ ଅଧୀନ ସିଂହିପୁର ଗ୍ରାମରେ ଆଶ୍ରୟ ନେଇଛନ୍ତି। ତୁରନ୍ତ ଖାଦ୍ୟ ବ୍ୟବସ୍ଥା କରିବାକୁ ସେମାନେ ପ୍ରଶାସନ ନିକଟରେ ଗୁହାରି କରିଛନ୍ତି। ଏହି ଶ୍ରମିକମାନଙ୍କ ଘର ପଶ୍ଚିମବଙ୍ଗ ରାଜ୍ୟର ମେଦିନୀପୁର ଅଞ୍ଚଳରେ। ସେମାନେ ଜଣେ ମଧ୍ୟସ୍ଥିଙ୍କ ପ୍ରରୋଚନାରେ ଆସି ଏହି ସିଂହିପୁର ଗ୍ରାମରେ ରହି ଝିଙ୍କିରିଆ ସମେତ ପଡୋଶୀ ସାରଡାଙ୍ଗ ତଥା ଗୋଳିହା ପଞ୍ଚାୟତର ବିଭିନ୍ନ ଗୃହ ନିର୍ମାଣ କାର୍ଯ୍ୟରେ ନିୟୋଜିତ ଥିଲେ। କରୋନା ଭାଇରସ ସଂକ୍ରମଣକୁ ନେଇ କଟକଣା ଲାଗୁ ହେବା ପରେ ସେମାନଙ୍କୁ ନେଇ ଆସିଥିବା ମଧ୍ୟସ୍ଥି ଜଣକ ଅଳ୍ପ କିଛି ଅର୍ଥ ଦେଇ ଘରକୁ ପଳାଇଥିଲେ। ସେମାନେ ଏହି ସେହି ଅର୍ଥରେ ଖାଦ୍ୟ ସରଞ୍ଜାମ ଯୋଗାଡ କରି କିଛିଦିନ ଚଳିଗଲେ। ସେପଟେ ପଇସା ସରିଆସୁଥିବା ବେଳେ ଖଇରା ବ୍ଲକ ପ୍ରଶାସନ ତରଫରୁ ବାହାର ରାଜ୍ୟର ଶ୍ରମିକଙ୍କୁ ଖାଦ୍ୟର ବ୍ୟବସ୍ଥା ଲାଗି ମାଇକ ପ୍ରଚାର କରିବା ପରେ ସେମାନଙ୍କ ମନରେ ନୂଆ ଆଶା ମନରେ ସଞ୍ଚାର ହୋଇଥିଲା। ହେଲେ ପୂର୍ବରୁ ବାକି ଦେଉଥିବା ଦୋକାନୀମାନେ କିଛି ଦିନ ତଳେ ଆଉ ଜିନିଷ ଦେବାକୁ ମନା କରିଦେଇଥିଲା। ଆଜି ପର୍ଯ୍ୟନ୍ତ ପ୍ରଶାସନ ତରଫରୁ କୌଣସି ଖାଦ୍ୟ ବ୍ୟବସ୍ଥା କରା ନ ଯିବାରୁ ତାଙ୍କ ମୁଣ୍ଡରେ ଚିନ୍ତା ବଢିଯାଇଛି। ସେମାନେ ଏବେ ଚାଲି ଚାଲି ଗ୍ରାମକୁ ଯିବାକୁ ପ୍ରସ୍ତୁତ ହେଉଛନ୍ତି। ଗ୍ରାମର କେତେକ ଲୋକ ବ୍ୟକ୍ତିଗତ ସ୍ତରରେ କିଛି ଖାଦ୍ୟର ବ୍ୟବସ୍ଥା କରିଛନ୍ତି। ସରକାର ସମସ୍ତ ବାହାର ଶ୍ରମିକଙ୍କ ପାଇଁ ରନ୍ଧାଖାଦ୍ୟ ପ୍ରଦାନ ବ୍ୟବସ୍ଥା କରାଯାଇଥିବା ନେଇ ଘୋଷଣା କରୁଥିବା ବେଳେ ଏହି ଶ୍ରମିକମାନେ ଏଥିରୁ ବଞ୍ଚିତ ରହିବା ଯନ୍ତ୍ରଣାଦାୟକ ବୋଲି କେତେକ ଗ୍ରାମବାସୀ ଅଭିଯୋଗ କରିଛନ୍ତି। ଏ ସମ୍ପର୍କରେ ବିଡିଓ ଦେବେନ୍ଦ୍ର ପ୍ରସାଦ ବଳଙ୍କ ଦୃଷ୍ଟି ଆକର୍ଷଣ କରାଯିବାରୁ ସେମାନଙ୍କ ପାଇଁ ଖାଦ୍ୟ ସାମଗ୍ରୀ ବ୍ୟବସ୍ଥା କରିବେ ବୋଲି କହିଛନ୍ତି।

 

Share