ଭୋଗରାଇରେ ବିରଳ ପ୍ରଜାତିର ମାଛ

ଭୋଗରାଇ, ୧୭।୧୧(ଡି.ଏନ.ଏ.)-ବାଲେଶ୍ୱର ଜିଲା ଭୋଗରାଇ ବ୍ଲକ ଅଧୀନ କୁସୁଟି ଗ୍ରାମ ନିକଟସ୍ଥ ଧାନ କ୍ଷେତରେ ଏକ ବିରଳ ପ୍ରଜାତିର ମାଛ ଉଦ୍ଧାର ହୋଇଛି। ଦେଢ଼ଫୁଟ୍‌ ଲମ୍ବର ଏହି ବିରଳମାଛ ଦେହସାରା ବିଚିତ୍ର ରଙ୍ଗଥିବା ବେଳେ ମୁଣ୍ଡ ଭାଗ ଚେପଟା ଓ କିମ୍ବଦ ଆକାର ହୋଇଛି। ମାଛର କାତିଗୁଡ଼ିକ ଶକ୍ତ ରହିଛି।
କୁସୁଟି ଗ୍ରାମର ଚିତ୍ତରଞ୍ଜନ ଭଞ୍ଜ ସକାଳଉ ଧାନଜମି ପରିଦର୍ଶନରେ ଯାଇ ଥିବା ବେଳେ ଧାନ ଜମି ସଂଲଗ୍ନ ବନ୍ଧରେ ଏକ ଜାଲରେ ମାଛଟି ଛନ୍ଦି ହୋଇ ଛଟପଟ ହେଉଥିବା ନଜରକୁ ଆସିଥିଲା। ସେ ତତ୍‌କ୍ଷଣାତ୍‌ ମାଛଟିକୁ କୌଶଳକ୍ରମେ ଜାଲରୁ ମୁକୁଳାଇ ଗ୍ରାମକୁ ଆଣିଥିଲେ। ଏହି ମାଛକୁ ଦେଖିବା ପାଇଁ ଆଖପାଖ ଗ୍ରାମରୁ ଲୋକଙ୍କ ଭିଡ଼ ହୋଇଥିଲା। ମାଛକୁ ଏକ ପାତ୍ରରେ ଜିଅନ୍ତା ରଖାଯାଇଛି। ସମ୍ଭବତଃ ଏହି ମାଛ ସୁବର୍ଣ୍ଣରେଖା ନଦୀରୁ ଚିତେଇ ନଈକୁ ଆସି ଝଡ଼ବର୍ଷାରେ ଧାନଜମିରେ ପଶିଯାଇଥିବା ଅନୁମାନ କରାଯାଇଛି। ଏହି ବିରଳ ପ୍ରଜାତିର ମାଛ ଉଦ୍ଧାର ଲାଗି ମତ୍ସ୍ୟ ଅଧିକାରୀଙ୍କୁ ସୂଚନା ଦିଆଯାଇଛି।