ଭୋଗରାଇ ତହସିଲ ଆଗରେ ବିକ୍ଷୋଭ

ଭୋଗରାଇ, ୧।୬(ଡି.ଏନ.ଏ.)-ବାଲେଶ୍ୱର ଜିଲା ଭୋଗରାଇ ତହସିଲ ସମ୍ମୁଖରେ ସୋମବାର ରାଷ୍ଟ୍ରୀୟ ସ୍ବୟଂ ସେବକ ସଂଘ ଓ ଭାଜପାର ମିଳିତ ସହଯୋଗରେ ଶତାଧିକ ମହିଳା ଏବଂ ପୁରୁଷ ସାମାଜିକ ଦୂରତା ରକ୍ଷା କରି ନୀରବ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ସମାଜସେବୀ ଦିଲ୍ଲୀପ କାମିଳାଙ୍କ ଉପରେ ହୋଇଥିବା ଆକ୍ରମଣକାରୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସାମାଜିକ କର୍ମୀ ରାଜେଶ୍ୱରୀ କାମିଳା, ରାମହରି ସୁର, ନୀଳକଣ୍ଠ ଘୋଷ, ବନମାଳୀ ଦାସ, ସୁଶୀଲ କୁମାର ମହାନ୍ତି ଓ ଭାଜପା ନେତା ସଞ୍ଜୀବ କୁମାର ସାହୁ ଦାବି କରିଥିଲେ।
ଗତ ୨୪ ତାରିଖ ରାତି ୧୦ଟା ବେଳେ ଦିଲୀପ ଚନ୍ଦନେଶ୍ୱର ବଜାରରୁ ଘରକୁ ଫେରୁଥିବା ବେଳେ କେତେକ ଯୁବକ ତାଙ୍କୁ ଆକ୍ରମଣ କରିଥିବା ତାଙ୍କ ସ୍ତ୍ରୀ ରାଜେଶ୍ୱରୀ କାମିଳା ଗତ ୨୬।୫।୨୦୨୦ରେ ତାଳସାରୀ ମେରାଇନ ଥାନାରେ ଅଭିଯୋଗ କରିଥିଲେ। ତାଳସାରୀ ମେରାଇନ ଥାନାରେ ଏକ ମାମଲା (ନଂ. ୩୧/୨୦) ରୁଜୁ କରାଯାଇ ଜଣେ ଯୁବକଙ୍କୁ ପୋଲିସ ଗିରଫ କରି କୋର୍ଟଚାଲାଣ କରିଥିଲା। ଆକ୍ରମଣକାରୀଙ୍କୁ ୭ଦିନ ମଧ୍ୟରେ ଗିରଫ ନ କଲେ ଆନ୍ଦୋଳନକାରୀମାନେ ଆମରଣ ଅନଶନ କରିବେ ବୋଲି ପ୍ରଶାସନକୁ ଚେତାବନୀ ଦେଇଥିଲେ।