ଭୋଗରାଇ ନାବାଳିକା ଜଗତ୍‌ସିଂହପୁରରୁ ଉଦ୍ଧାର

ଭୋଗରାଇ, ୨୫।୧(ଡି.ଏନ.ଏ.)-ବାଲେଶ୍ୱର ଜିଲା ଭୋଗରାଇ ଥାନା ଅଧୀନ ଗୁନାଇବସାଣ ଗ୍ରାମର ବିଜୟ କୁମାର ଦେ ନାମକ ଯୁବକ ଜଣେ ନାବାଳିକାଙ୍କୁ ଅପହରଣ କରିନେଇଥିବା ତାଙ୍କ ବାପା ଭୋଗରାଇ ଥାନାରେ ଅଭିଯୋଗ କରିଥିଲେ। ଏହି ଘଟଣାରେ ଭୋଗରାଇ ଥାନା ପକ୍ଷରୁ ଅପହରଣକାରୀଙ୍କ ବିରୋଧରେ ଏକ ମାମଲା (ନଂ. ୧୦/୨୦) ରୁଜୁ କରାଯାଇ ନାବାଳିକାଙ୍କୁ ଉଦ୍ଧାର ପାଇଁ ତଲାସୀ କରାଯାଇଥିଲା। ଅପହରଣକାରୀ ଯୁବକଙ୍କ ମୋବାଇଲ ଫୋନ୍‌ ଟ୍ରାକ୍‌ କରି ଭୋଗରାଇ ପୋଲିସ ସଦଳବଳେ ଜଗତ୍‌ସିଂହପୁର ଜିଲା ରଘୁନାଥପୁର ଅଞ୍ଚଳରେ ଗତ ଶୁକ୍ରବାର ରାତିରେ ଯୁବକଙ୍କ ସାଙ୍ଗ ଘରେ ଚଢ଼ାଉ କରି ନାବାଳିକାଙ୍କୁ ଉଦ୍ଧାର କରିବା ସହିତ ଅପହର୍ତ୍ତାଙ୍କୁ ଗିରଫ କରି ଶନିବାର ଭୋଗରାଇ ଥାନାରେ ହାଜର କରିଥିଲେ। ନାବାଳିକା ପୀଡ଼ିତାଙ୍କୁ ଡାକ୍ତରୀ ପରୀକ୍ଷା ନିମନ୍ତେ ଶନିବାର ବାଲେଶ୍ୱର ସରକାରୀ ଡାକ୍ତରଖାନାକୁ ପଠାଯାଇଥିବା ବେଳେ ଅପହରଣକାରୀ ଯୁବକଙ୍କୁ କୋର୍ଟଚାଲାଣ କରାଯାଇଛି। ଯୁବକଙ୍କ ଜାମିନ ନାମଞ୍ଜୁର ହେବାରୁ ତାଙ୍କୁ ଜେଲ ହାଜତକୁ ପଠାଇ ଦିଆଯାଇଛି।