‘ଭୋଟର ତାଲିକା ଯାଞ୍ଚ ଅବଧି ବଢ଼ିଲା’

ଭୁବନେଶ୍ୱର,୧୬।୧୧(ବ୍ୟୁରୋ): ରାଜ୍ୟରେ ଚାଲୁ ରହିଥିବା ଭୋଟର ତାଲିକା ଯାଞ୍ଚ କାର୍ଯ୍ୟକ୍ରମର ଅବଧିକୁ ଭୋଟରମାନଙ୍କ ସୁବିଧା ପାଇଁ ଭାରତର ନିର୍ବାଚନ କମିଶନ ଚଳିତ ମାସ ୩୦ ପର୍ଯ୍ୟନ୍ତ ବଢ଼ାଇଦେଇଛନ୍ତି।
ତ୍ରୁଟିଶୂନ୍ୟ ଭୋଟର ତାଲିକା ପ୍ରସ୍ତୁତି ପାଇଁ ଶୁକ୍ରବାର ସୁଦ୍ଧା ମୋଟ ୪,୮୫,୨୪୧ ଗୋଟି ଅର୍ଥାତ୍‌ ଶତକଡ଼ା ୯୦.୭୭୭ ପ୍ରତିଶତ ଫର୍ମ ସଂଗ୍ରହ କରାଯାଇଛି ା ଭୋଟର ତାଲିକାରେ ଅନ୍ତର୍ଭୁକ୍ତ, ବାଦ୍‌ ପଡ଼ିବା ଏବଂ ଆବଶ୍ୟକ ସଂଶୋଧନ ନିମନ୍ତେ ଯଥାକ୍ରମେ ଫର୍ମ ନଂ-୬,୭ ଏବଂ ୮ ଓ ୮(କ) ଦ୍ୱାରା ଆବେଦନ କରାଯାଇଥାଏ।
ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ(ସିଇଓ) ସୁଶୀଲ କୁମାର ଲୋହାନୀ ସମସ୍ତ ଜିଲାର ଜିଲାପାଳ ଓ ଉପଜିଲାପାଳଙ୍କ ସହ ଭିଡିଓ କନ୍‌ଫରେନ୍‌ସିଂ ମାଧ୍ୟମରେ ଏହି କାର୍ଯ୍ୟକ୍ରମର ସମୀକ୍ଷା କରିଥିଲେ। ଉତ୍ତମ କାର୍ଯ୍ୟ କରିଥିବା ଜିଲାପାଳମାନଙ୍କୁ ଲୋହାନୀ ପ୍ରଶଂସା କରିବା ସହ ଚଳିତ ମାସ ଶେଷ ସୁଦ୍ଧା ଶତପ୍ରତିଶତ ଆବଶ୍ୟକ ଫର୍ମ ସଂଗ୍ରହ କରିବାକୁ ଜିଲାପାଳମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ।
ଏଥି ସହ ଭୋଟରମାନଙ୍କ ମଧ୍ୟରେ ବ୍ୟାପକ ସଚେତନତା ସୃଷ୍ଟି କରିବା ପାଇଁ ଜିଲାପାଳମାନଙ୍କୁ ପରାମର୍ଶ ଦେଇଥିଲେ।
ଭୋଟରମାନେ ମଧ୍ୟ ନିର୍ବାଚନ କମିଶନଙ୍କ ୱେବ୍‌ସାଇଟ୍‌ www.nvsp.inକୁ ଯାଇ ନିଜେ ନିଜେ ସେମାନଙ୍କର ଭୋଟର ତାଲିକା ଦେଖିବା ସହ ତ୍ରୁଟି ଥିଲେ ଆବଶ୍ୟକ ସଂଶୋଧନ କରିପାରିବେ। ଏତଦ୍‌ବ୍ୟତୀତ ସବୁ ଉପଖଣ୍ଡ ଅଧୀନରେ ଖୋଲାଯାଇଥିବା ଭୋଟର ସହାୟତା କେନ୍ଦ୍ର, ଜନସେବାକେନ୍ଦ୍ର, ବି.ଏଲ୍‌.ଓ. କିମ୍ବା ୧୯୫୦କୁ ଫୋନ୍‌ କରି ଭୋଟର ତାଲିକାର ଯାଞ୍ଚ କାର୍ଯ୍ୟକ୍ରମ ସମ୍ପର୍କରେ ଜାଣିପାରିବେ ଏବଂ ଆବଶ୍ୟକ ସଂଶୋଧନ କରାଇପାରିବେ। ଏହାପରେ ଆସନ୍ତା ଡିସେମ୍ବର ୧୬ରେ ଡ୍ରାଫଟ୍‌ ଭୋଟର ତାଲିକା ପ୍ରକାଶ ପାଇବ। ଏ ସମ୍ପର୍କିତ ଦାବି ଓ ଆପତ୍ତି ଆସନ୍ତା ଡିସେମ୍ବର ୧୬ରୁ ୨୦୨୦ ଜାନୁୟାରୀ ୧୫ ମଧ୍ୟରେ ଗ୍ରହଣ କରାଯିବ।
୨୦୨୦ ଜାନୁୟାରୀ ୨୭ରେ ଦାବି ଓ ଆପତ୍ତିର ଫଇସଲା କରାଯାଇ ଆସନ୍ତା ଫେବୃୟାରୀ ୭ରେ ଚୂଡ଼ାନ୍ତ ଭୋଟର ତାଲିକା ପ୍ରକାଶ ପାଇବ ବୋଲି ସିଇଓ ଜଣାଇଛନ୍ତି।

Share