ଭୋଟିଂ ବନ୍ଦ, ରି-ପୋଲିଂ ପାଇଁ ଚିଠି ଲେଖିଲେ ରିଟର୍ଣ୍ଣି ଅଫିସର

ସୁନ୍ଦରଗଡ଼,୧୮।୪: ସୁନ୍ଦରଗଡ଼ରେ ଲୋକ ସଭା ନିର୍ବାଚନ ପାଇଁ ଦ୍ୱିତୀୟ ପର୍ଯ୍ୟାୟ ମତଦାନ ଗୁରୁବାର ଆରମ୍ଭ ହୋଇଥିଲା। ହେଲେ ଇଭିଏମ ତୃଟି ପାଇଁ ସକାଳୁ ଭୋଟ ଗ୍ରହଣ ବନ୍ଦ ରହିଛି। ସୂଚନାଯୋଗ୍ୟ, ସୁନ୍ଦରଗଡ଼ ସହର ରଙ୍ଗଢ଼ିପା ଗଁାର ୨୧୩ ନଂ ବୁଥ୍‌ରେ ସକାଳୁ ଇଭିଏମ୍‌ରେ ତ୍ରୁଟି ପରିଲିକ୍ଷିତ ହୋଇଥିଲା। ଫଳରେ ଉକ୍ତ  ବୁଥ୍‌ରେ ଭୋଟ ଗ୍ରହଣ ବନ୍ଦ ରହିଥିଲା। ଭୋଟରମାନେ ବହୁ ସମୟ ଧରି ଲମ୍ବାଧାଡ଼ିରେ ଛିଡ଼ା ହୋଇଥିବା ବେଳେ ପ୍ରାୟ ୩ ଘଣ୍ଟା ବିଳମ୍ବରେ ଭୋଟ ଗ୍ରହଣ ଆରମ୍ଭ ହୋଇଥିଲା। ହେଲେ ଭୋଟ ଗ୍ରହଣର କିଛି ସମୟ ପରେ ପୁଣି ଇଭିଏମ୍‌ ଖରାପ ହୋଇଯାଇଥିଲା।  ଗୋଟିଏ ଚିହ୍ନରେ ଭୋଟ ଦେଲେ ଅନ୍ୟ ଚିହ୍ନକୁ ଯାଉଥିବା ଅଭିଯୋଗ ହୋଇଥିଲା। ଏହାକୁ ନେଇ ଭୋଟରଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଥିଲା। ଖବର ପାଇଁ ଘଟଣାସ୍ଥଳରେ ରିଟର୍ଣ୍ଣିଂ ଅଫିସର ପହଞ୍ଚି ଭୋଟ ବନ୍ଦ କରିଥିଲେ। ରିଟର୍ଣ୍ଣି ଅଫିସର ଭୋଟ ବନ୍ଦ କରିବା ସହ ପୁନଃ ମତଦାନ ପାଇଁ ନିର୍ବାଚନ କମିଶନଙ୍କୁ ଚିଠି ଲେଖିଥିଲେ।