ଭୋଟ ହରଣଚାଳ ଅଭିଯୋଗ ଆଣିଲେ ଜୟନାରାୟଣ

ଜଳେଶ୍ୱର, ୨୬।୫(ଡି.ଏନ.ଏ.)-ସରକାରୀ କଳ ଜରିଆରେ ଇଭିଏମ୍‌ରେ ହେରଫେର କରାଯାଇଥିବାରୁ ଭାଜପା ଓଡ଼ିଶାରେ ପରାଜୟର ମୁହଁ ଦେଖିଛି। ଦଳର ନିଶ୍ଚିତ ଭୋଟ୍‌କୁ ହରଣଚାଳ କରାଯାଇଛି ବୋଲି ବାଲେଶ୍ୱର ଜିଲା ଜଳେଶ୍ୱର ବିଧାନସଭା ନିର୍ବାଚନମଣ୍ଡଳୀରେ ନିର୍ବାଚନ ଲଢି ପରାଜୟ ବରଣ କରିଥିବା ଭାଜପା ପ୍ରାର୍ଥୀ ଜୟନାରାୟଣ ମହାନ୍ତି ଏକ ଖବରଦାତା ସମ୍ମିଳନୀରେ ଅଭିଯୋଗ କରିଛନ୍ତି।
ସେ ତାଙ୍କ ପ୍ରତିକ୍ରିୟାରେ ଆହୁରି କହିଥିଲେ, ନିର୍ବାଚନମଣ୍ଡଳୀର ୫୦ହଜାରରୁ ଊର୍ଦ୍ଧ୍ୱ ଭୋଟର ଭାଜପା ଓ ତାଙ୍କ ଉପରେ ଭରସା ରଖି ଭୋଟ ଦେଇଛନ୍ତି। ପୂର୍ବରୁ ବିଧାୟକ ଥିବା ସମୟରୁ ସେ ଲୋକଙ୍କ ସୁଖଦୁଃଖରେ ରହି ଆସିଛନ୍ତି। ବର୍ତ୍ତମାନ ମଧ୍ୟ ଲୋକଙ୍କ ସହିତ ରହି କାର୍ଯ୍ୟ କରିବେ। କଂଗ୍ରେସ ଛାଡି ଭାଜପାରେ ସାମିଲ ହେବା ପରେ ଭାଜପାର ସଙ୍ଗଠନକୁ ଦୃଢ କରିବାକୁ ଉଦ୍ୟମ କରିଥିଲେ। ୨୦୧୪ ନିର୍ବାଚନରେ ଦଳ ୧୩ହଜାର ଭୋଟ ପାଇଥିବା ବେଳେ ଏଥର ୫୦ହଜାରରୁ ଅଧିକ ଭୋଟ ପାଇଛି। ଭବିଷ୍ୟତରେ ଜଳେଶ୍ୱରର ବିକାଶ କାର୍ଯ୍ୟକୁ ଆଗେଇ ନେବା ପାଇଁ ସେ କାର୍ଯ୍ୟ କରିବେ ବୋଲି କହି ବିଜୟୀ ବିଜେଡି ପ୍ରାର୍ଥୀ ଅଶ୍ୱିନୀ କୁମାର ପାତ୍ରଙ୍କୁ ମଧ୍ୟ ଶୁଭେଚ୍ଛା ଜଣାଇଥିଲେ। କେନ୍ଦ୍ରରେ ଭାଜପା ନେତୃତ୍ୱାଧିନ ଏନଡ଼ିଏ ସରକାର ଗଠନ ହେଉଥିବାରୁ ପ୍ରଧାନମନ୍ତ୍ରୀ, ଭାଜପା ରାଷ୍ଟ୍ରୀୟ ଅଧ୍ୟକ୍ଷଙ୍କ ସମେତ ଓଡ଼ିଶାର ନେତା ଧର୍ମେନ୍ଦ୍ର ପ୍ରଧାନଙ୍କୁ ଜୟନାରାୟଣ ଅଭିନନ୍ଦନ ଜଣାଇଥିଲେ। ଶନିବାର ଅପରାହ୍ନରେ ଆୟୋଜିତ ଏହି ଖବରଦାତା ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ ଭାଜପା ଯୁବନେତା ଦିବ୍ୟକାମ ମହାନ୍ତି, ନେତା ଅଭିଜିତ ପ୍ରଧାନ, ଧ୍ରୁବଚରଣ ପାଲ, ଅଜୟ ପରିଡ଼ା, ଶାନ୍ତନୁ ପଟ୍ଟନାୟକ ଓ ଅନ୍ୟ ନେତୃବୃନ୍ଦ ଉପସ୍ଥିତ ଥିଲେ।