ଭୋପାଳରୁ ଦିଲ୍ଲୀ ଯାତ୍ରା କରିବାକୁ ପୂରା ବିମାନ ବୁକ୍‌ କଲେ ଗୋଟିଏ ପରିବାରର ୪ ସଦସ୍ୟ

ଭୋପାଳ,୨୮।୫: ମଧ୍ୟପ୍ରଦେଶର ରାଜଧାନୀ ଭୋପାଳର ରାଜା ଭୋଜ ବିମାନ ବନ୍ଦରରୁ ଗତ ସୋମବାରଠାରୁ ଘରୋଇ ବିମାନ ଚଳାଚଳ ଆରମ୍ଭ ହୋଇଛି। ଏହାସହ ଚାର୍ଟର ବିମାନ ଚଳାଚଳ ପାଇଁ ମଧ୍ୟ ଅନୁମତି ଦିଆଯାଇଛି। ଏହାପରେ କରୋନା ଭାଇରସଠାରୁ ଦୂରେଇ ରହିବାକୁ ଧନୀ ପରିବାରର ବ୍ୟକ୍ତି ଏକେଲା ବିମାନରେ ଯାତ୍ରା କରୁଥିବା ଦେଖାଯାଇଛି। ମିଳିଥିବା ସୂଚନା ଅନୁଯାୟୀ, ଗୋଟିଏ ଧନୀ ପରିବାରର ୪ ଜଣ ସଦସ୍ୟ ଭୋପାଳରୁ ଦିଲ୍ଲୀ ଯାତ୍ରା କରିବା ପାଇଁ ଏୟାରବସ ଏ୩୨୦କୁ ସମ୍ପୂର୍ଣ୍ଣ ବୁକ୍‌ କରିଥିଲେ। ଯାତ୍ରୀଙ୍କ ମଧ୍ୟରେ ଥିଲେ ଜଣେ ଧନୀ ବ୍ୟକ୍ତିଙ୍କ ପତ୍ନୀ, ୨ ପିଲା ଓ ତାଙ୍କ ଘରେ କାମ କରୁଥିବା ଜଣେ ମହିଳା। ୧୮୦ ସିଟ୍‌ ବିଶିଷ୍ଟ ଏହି ବିମାନଟିକୁ ଏକ ଘରୋଇ କମ୍ପାନୀ କ୍ରୟ କରିଥିବା ବେଳେ ଭୋପାଳରୁ ଦିଲ୍ଲୀ ଯାତ୍ରା କରିବାକୁ ଏହାର ମୂଲ୍ୟ ପାଖାପାଖି ୧୦ ଲକ୍ଷ ଟଙ୍କା ହେବ ବୋଲି ବିଶେଷ ସୂତ୍ରରୁ ମିଳିଥିବା ସୂଚନାରୁ ଜଣାପଡିଛି। ଏହା ସାମବାର ପ୍ରାୟ ସକାଳ ୧୧.୩୦ରେ ଭୋପାଳ ବିମାନବନ୍ଦରରୁ ଉଡାଣ ଆରମ୍ଭ କରି ୧୨ଟା ୫୫ରେ ଦିଲ୍ଲୀରେ ପହଞ୍ଚିଥିଲା ଆଉ ସେଥିରେ କ୍ରିୟୁ ମେମ୍ବରଙ୍କ ସହ କେବଳ ୪ ଜଣ ଯାତ୍ରୀ ଯାତ୍ରା କରିଥିଲେ। ଉକ୍ତ ଏୟାର ଲାଇନ୍ସର ଜଣେ ଅଧିକାରୀ କହିଛନ୍ତି କରୋନା ଭାଇରସଠାରୁ ଦୂରେଇ ରହିବା ପାଇଁ ଏବେ ଅଧିକାଂଶ ଧନୀ ଶ୍ରେଣୀର ଲୋକେ ବିମାନରେ ଏକେଲା କେବଳ ପରିବାର ସହ ଯାତ୍ରା କରିବାକୁ ପସନ୍ଦ କରୁଛନ୍ତି। ଏବେ ଅଭିଏଶନ ଟବ୍ରାଇନ ଫୁଏଲ(ଏଟିଏଫ୍‌)ର ଦାମ୍‌ କମ୍‌ ଥିବାରୁ ଏୟାରଲାଇନ୍ସ କମ୍ପାନୀ ଉଚିତ ମୂଲ୍ୟ ନେଉଛି। ତେଣୁ ଧନୀ ଶ୍ରେଣୀର ଲୋକେ ଏକେଲା ଯିବାକୁ ସୁରକ୍ଷିତ ମଣୁଛନ୍ତି।

Share